ଭୁବନେଶ୍ବର: ବାର୍ଷିକ ୨୪ ପ୍ରତିଶତ ସୁଧ ହାରରେ ରିଟର୍ଣ୍ଣ ଦେବାକୁ ପ୍ରଲୋଭିତ କରି ୬ ରାଜ୍ୟରୁ ୬୦୦ କୋଟି ଟଙ୍କା ହଡ଼ପ କରିଥିବା ଏଲ୍‌ଏଫ୍‌ଏସ୍ ବ୍ରୋକିଂ ଆଣ୍ଡ ପିଏମ୍‌ଏସ୍ ସର୍ଭିସେସ୍‌ର ଇଣ୍ଡିଆ ହେଡ୍ ସୟଦ୍‌ ଜିଆଜୁର୍‌ ରେହମାନ୍‌ ଏବେ ଜେଲ୍‌ରେ। ଏହି ଠକ ସଂସ୍ଥା ଓଡ଼ିଶାରୁ ୧୦୦ କୋଟି ଟଙ୍କା ଠକିନେଇଛି। ଇଣ୍ଡିଆ ହେଡ୍‌ ଜିଆଜୁର୍‌ ଗିରଫ ହୋଇଛି ସିନା ଠକ ସଂସ୍ଥାର ଓଡ଼ିଶା ହେଡ୍‌ ମୀର୍ଜା ତାହିର୍ ଏବେ ବି ପୁଲିସ ହାତକୁ ଆସିନାହିଁ। ଜିଆଜୁର୍‌ ପ୍ରଥମେ ବାଲାଂଦେଶ ଓ ପରେ ଦୁବା‌ଇରେ ଆତ୍ମଗୋପନ କରିଥିଲା। ସେହିଭଳି ମୀର୍ଜା ତାହିର୍ ମଧ୍ୟ ବାଲାଂଦେଶକୁ ପଳାଇଥିବା ସନ୍ଦେହ କରାଯାଉଛି। ତାକୁ ଠାବ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜୋର୍‌ଦାର ଉଦ୍ୟମ ଜାରି ରଖିଥିଲେ ହେଁ ସମ୍ଭବ ହୋଇନାହିଁ। ଖୁବ୍‌ ଶୀଘ୍ର ଜିଆଜୁର୍‌କୁ ରିମାଣ୍ଡରେ ଆଣି ଇଓଡବ୍ଲ୍ୟୁ ଜେରା କରିବ। ତେଣୁ ତା’ଠାରୁ ତଥ୍ୟ ହାତଇେବା ପରେ ମୀର୍ଜା ତାହିର୍‌କୁ ଗିରଫ କରିବା ସହଜ ହେବ ବୋଲି ଆଶା କରାଯାଉଛି। ଏହା ଭିତରେ ଜିଆଜୁର୍‌ର ୨ ପତ୍ନୀଙ୍କୁ ଇଓଡବ୍ଲ୍ୟୁ ଜେରା କରିବ ବୋଲି ସୂଚନା ମିଳିଛି।

Advertisment

ଠକେଇ ଟଙ୍କାରେ ଜିଆଜୁର୍‌ ୨ଟି ହୋଟେଲ୍ କିଣିଛି ଏବଂ ସେଗୁଡ଼ିକୁ ତା’ର ୨ ପତ୍ନୀ ପରିଚାଳନା କରୁଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ ସେମାନେ ବି ଜେରାର ସମ୍ମୁଖୀନ ହେବେ ବୋଲି ସୂଚନା ମିଳିଛି। ଠକ ସଂସ୍ଥାର ଇଣ୍ଡିଆ ହେଡ୍‌ ଜିଆଜୁର୍‌ ବାଲେଶ୍ବର ସୋରରେ ଅନ୍ୟ ଏକ ଅଫିସ୍‌ ଖୋଲିଥିଲା। ପାଖାପାଖି ୧୦ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟର ମୁଖ୍ୟ ଥିଲା ମୀର୍ଜା ତାହିର୍‌। ମୀର୍ଜା ସୋରରେ ବହୁ ଏଜେଣ୍ଟ ନିଯୁକ୍ତି ଦେଇଥିଲା। ନିୟମିତ ବ୍ୟବଧାନ‌ରେ ଏଜେଣ୍ଟଙ୍କ ଜରିଆରେ ଜମାକାରୀଙ୍କୁ ଏକାଠି କରି ମିଟିଂ କରୁଥିଲା। ବର୍ଷକୁ ୨୪ ପ୍ରତିଶତ ସୁଧହାରରେ ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ସେୟାର୍‌ ଟ୍ରେଡିଂ ପାଇଁ ନିବେଶକାରୀ ଯୋଗାଡ଼ କରୁଥିଲା। ୧୦ ବର୍ଷ କାଳ ସେ ସୋର‌ରେ ଆଡ଼ା ଜମାଇଥିଲେ ବି କୌଣସି ନିବେଶକ ତାହିର୍‌ର ସମ୍ପୂର୍ଣ୍ଣ ଠିକଣା ଜାଣିବାକୁ ସୁଯୋଗ ପାଇନଥିଲେ। ପ୍ରଥମେ ପ୍ରଥମେ ନିବେଶକଙ୍କୁ ଭଲ ଲାଭ ଦେଇ ସେ ଅଧିକରୁ ଅଧିକ ଜମାକାରୀ ସଂଗ୍ରହ କରିଥିଲା। ମୋଟ ନିବେଶ ୧୦୦ କୋଟି ଟଙ୍କା ଛୁଇଁବା ପରେ ହଠାତ୍ ତାହିର୍‌ ଅନ୍ତର୍ଦ୍ଧାନ ହୋଇଯାଇଥିଲା ଏବଂ ସଂସ୍ଥାରେ ତାଲା ପଡ଼ିଯାଇଥିଲା। ଏହାପରେ ମାମଲା ଇଓଡବ୍ଲ୍ୟୁରେ ପହଞ୍ଚିଥିଲା। ଏବେ ଇଣ୍ଡିଆ ହେଡ୍‌ ଜିଆଜୁର୍‌ ପୁଲିସ ପଞ୍ଝାରେ ଫସିଛି। ମାତ୍ର ମୀର୍ଜା ତାହିର୍‌ ପୁଲିସ ପାଇଁ ଅପହଞ୍ଚ ହୋଇରହିଛି।

ଜିଆଜୁର୍‌ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଗୁଜୁରାଟରୁ ୬୨୧୯ ଜମାକାରୀଙ୍କଠାରୁ ପ୍ରାୟ ୬୦୦ କୋଟି ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଗିରଫଦାରୀ ଭୟରେ ସେ ବିଦେଶକୁ ପଳାଇଥିଲା। ତାକୁ ଧରିବାକୁ ପୁଲିସ ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଜାରି କରିଥିଲା। ଗୁରୁବାର ଜିଆଜୁର୍‌ ଦୁବାଇରୁ କୋଲକାତା ଫେରୁଥିବା ବେଳେ ବିମାନବନ୍ଦରରେ ଇମିଗ୍ରେସନ୍‌ ଟିମ୍‌ ତାକୁ କାବୁ କରି ଇଓଡବ୍ଲ୍ୟୁ ଜିମା ଦେଇଥିଲା।