ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ଥମୁନାହିଁ। ଗତ ୧୫ଦିନରେ ରାଜଧାନୀରେ ୬୨୦୧ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଯାହାକି ଏକ ଜିଲ୍ଲାର ସମୁଦାୟ ସଂଖ୍ୟାଠାରୁ ମଧ୍ୟ ଅଧିକ। ଗତ ୨୪ଘଣ୍ଟାରେ ୩୪୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬,୯୩୩ରେ ପହଞ୍ଚିଛି। ଚିହ୍ନଟ ୩୪୨ ପଜିଟିଭ୍ଙ୍କ ମଧ୍ୟରେ ୯୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ ବିଜେବି ନଗର, ସିବିଆଇ କଲୋନି, ବରମୁଣ୍ଡା, ରସୁଲଗଡ଼, ଗୌତମ ନଗର, ହଂସପାଳ, ପ୍ରଶାନ୍ତିବିହାର, ରଘୁନାଥପୁର, ବେହେରା ବସ୍ତି, ଶାସ୍ତ୍ରୀ ନଗର, ଟଙ୍କପାଣି ରୋଡ, ପଟିଆ, ନନ୍ଦନବିହାର, ପୋଖରୀପୁଟ, ପୁଲିସ କଲୋନି ଆଦି ଅଞ୍ଚଳରୁ ରହିଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତରେ ଆଇଆରସି ଭିଲେଜ, ଝାରପଡ଼ା, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ଟଙ୍କପାଣି ରୋଡ୍, ସାମନ୍ତରାପୁର, ଶୈଳଶ୍ରୀବିହାର, ଟଙ୍କପାଣି ରୋଡ୍, ପଳାସପଲ୍ଲୀ, ପଟିଆ, ନୂଆଗାଁ, ଖଣ୍ଡଗିରି ହାଉସିଂ ବୋର୍ଡ, ବମିଖାଲ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଓ ଅନ୍ୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତେବେ ଉଲ୍ଲେଖନୀୟ ବିଷୟ ଯେ, ଲଗାତାର ଏବେ ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ବଢ଼ିଛି। ଏ ପର୍ଯ୍ୟନ୍ତ ୧୨,୨୮୮ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜଧାନୀରେ ସୁସ୍ଥ ହାର ୭୨ ପ୍ରତିଶତ ଛୁଇଁଛି। ମାତ୍ର ଏବେ ବି ୪୫୬୮ ଚିକିତ୍ସିତ ରୋଗୀ ରହିଛନ୍ତି। ଏବେ ସୁଦ୍ଧା ରାଜଧାନୀରେ ୬୪ଜଣ କରୋନାର ଶିକାର ହୋଇସାରିଛନ୍ତି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୮ କରୋନା ଯୋଦ୍ଧା ପଜିଟିଭ୍
ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଡ୍ୟୁଟି କରୁଥିବା ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଆଜି ଉକ୍ତ ଡାକ୍ତରଙ୍କ ସହିତ ଅନ୍ୟ ଜଣେ ଏଏନଏମଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଅନ୍ୟମାନେ କିଛିଦିନ ପୂର୍ବରୁ ସଂକ୍ରମିତ ହୋଇ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଡାକ୍ତର ଓ ଏଏନଏମ ଦୁଇଦିନ ତଳେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାବ୍ ପରୀକ୍ଷା କରାଇଥିଲେ। ଅନ୍ୟମାନେ ହେଲେ ୩ଜଣ ଏଏନଏମ, ଦୁଇ ଜଣ ଫାର୍ମାସିଷ୍ଟ ଓ ଜଣେ ଟେକ୍ନିସିଆନ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ପରୀକ୍ଷା ଓ ଚିକିତ୍ସା ଦାୟିତ୍ବ ତୁଲାଉଥିବା ସଂପୃକ୍ତ ଡାକ୍ତରଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀମାନେ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇ କାମ ଚଳାଯାଉଥିବା ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ତେବେ ଏଥିଯୋଗୁଁ କୋଭିଡ୍ ଚିକିତ୍ସା ଓ ସେବା ପ୍ରଦାନରେ କୌଣସି ସମସ୍ୟା ସୃଷ୍ଟି ହେଉନଥିବା ସଂପୃକ୍ତ ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଆଜି ଏଠାରେ ୧୨୦ ଜଣଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/f8sh798sfh798sfh798hshsfsfhf.jpg)