ଚାଷୀଙ୍କୁ ଉନ୍ନତମାନର ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ବ

ଓଡ଼ିଶା କୃଷକ ସମାଜର ୬୦ତମ ବାର୍ଷିକୋତ୍ସବ

ଭୁବନେଶ୍ବର: ଓଡ଼ିଶା କୃଷକ ସମାଜର ୬୦ତମ ବାର୍ଷିକୋତ୍ସବ ଓ ବିଶ୍ବ ଖାଦ୍ୟ ଦିବସ ଆଜି ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷକ ସମାଜର ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦେଶକ ତ୍ରିଲୋଚନ ମହାପାତ୍ର ଯୋଗଦେଇ କହିଲେ, ଦେଶରେ କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି। ଭାରତ ବିଦେଶକୁ ଖାଦ୍ୟ ଦ୍ରବ୍ୟ ରପ୍ତାନି କରିବାରେ ସକ୍ଷମ ହୋଇପାରିଛି। ଚାଷୀମାନେ ଉନ୍ନତ ମାନର ଜ୍ଞାନକୌଶଳ ବ୍ୟବହାର କରି ନିଜର ଆୟକୁ ଦ୍ବିଗୁଣିତ କରିପାରିବେ ବୋ‌ଲି ଶ୍ରୀ ମହାପାତ୍ର କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଲେ, ଖାଦ୍ୟଶସ୍ୟ ଅଧିକ ଉତ୍ପାଦନ ହେଲେ ମଧ୍ୟ ଖାଦ୍ୟ ଗଚ୍ଛିତ ଓ ଉଚିତ୍ ମୂଲ୍ୟ ବ୍ୟବସ୍ଥା କରାଯିବା ଜରୁରୀ। ଜଳ ଓ ମାଟିକୁ ଠିକ୍ ଭାବେ ବ୍ୟବହାର କରି ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ପ୍ରଫେସର ପଶୁପାଳକ କହିଥିଲେ। ସୋଆ ବିଶ୍ବବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଡିନ୍ ବିଜୟ କୁମାର ସାହୁ ୨୦୨୩ ସୁଦ୍ଧା ଦେଶରେ ଯେପରି କୌଣସି ବ୍ୟକ୍ତି ଭୋକିଲା ରହିବେ ନାହିଁ ସେଥିପାଇଁ ଚାଷୀମାନେ ଉନ୍ନ ଜ୍ଞାନ କୌଶଳରେ କୃଷି କାର୍ଯ୍ୟ କରିବା ପାଇଁ‌ ‌ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଏଆର-ସିଆଇଡବ୍ଲୁଆଇ ଏସ୍.କେ ଶ୍ରୀବାସ୍ତବ, ଆଇସିଏଆର-ସିଆଇଏଫଏର ନିର୍ଦେଶକ ବିନ୍ଦୁ.ଆର ପିଲ୍ଲାଇ, ବରିଷ୍ଠ ଆଇନଜୀବୀ ଗୁରୁ ପ୍ରସାଦ ମହାନ୍ତି, ବିଶ୍ବ ଖାଦ୍ୟ ଦିବସ କମିଟିର ଅଧ୍ୟକ୍ଷ ଖଗେଶ୍ବର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ୨୨ଜଣ ବ୍ୟକ୍ତି ବିଶେଷଙ୍କୁ କୃଷକ ବନ୍ଧୁ ସମ୍ମାନ, କୃଷି ପ୍ରତିଭା ସମ୍ମାନ, କୃଷକ ସାଥୀ ସମ୍ମାନ, ପଞ୍ଜାବ ରାଉ ଦେଶମୁଖ ସମ୍ମାନ, ପଦ୍ମଭୂଷଣ ରାଧାନାଥ ରଥ ସମ୍ମାନ, ବଳରାମ ଝାଖର ସମ୍ମାନ, କୃଷି ମିତ୍ର ସମ୍ମାନ ଓ କୃଷି ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ପାରାଦୀପସ୍ଥିତ ଇଫକୋ ୟୁନିଟ୍‌ ଓ କଟକସ୍ଥିତ ଆଇସିଏଆ-ଏନ୍‌ଆରଆରଆଇକୁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଓଡ଼ିଶା କୃଷକ ସମାଜର ସଂଯୋଜକ ବସନ୍ତ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଭାରତ କୃଷକ ସମାଜର ଜାତୀୟ ପରିଷଦ ସଦସ୍ୟ ଗୋପୀନାଥ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର