୨୪ ଘଣ୍ଟାରେ ୬୧ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରେ ଲଗାତର ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି ୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଗୋଟିଏ ସପ୍ତାହର ଡେଙ୍ଗୁ ସ୍ଥିତିକୁ ଅନୁଧ୍ୟାନ କଲେ ପ୍ରତ୍ୟେକ ଦିନ ୩୦ରୁ ୪୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଗତ ୨୪ ଘଣ୍ଟାରେ ଦେଢ଼ଗୁଣରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ହୋଇଛି। ବିଏମ୍‌ସି ପକ୍ଷରୁ ଚାଲିଥିବା ଡେଙ୍ଗୁ ମୁକାବିଲା ଅଭିଯାନରେ ଆଜି ସୁଦ୍ଧା ବିଏମ୍‌ସି ପକ୍ଷରୁ ୭ ହଜାର ୮୩୩ ପରିବାରର ୩୨ ହଜାର ୩୨୮ ଲୋକଙ୍କୁ ସଚେତନ କରା‌ଯାଇଛି। ୨୮ ହଜାର ୧୮୩ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୨୮ ହଜାର ୮୫ ଲାର୍ଭା ଚିହ୍ନଟ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ସେହିପରି ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୨୯ ରହିଥିବା ବେଳେ ରବିବାର ଏହି ସଂଖ୍ୟା ୨୩୧ ରହିଛି। ଗତକାଲି ମୃତ୍ୟୁ ସଂଖ୍ୟା ୨୦ ଥିବା ବେଳେ ରବିବାର ୧୫ ଦର୍ଶାଯାଇଛି।

ଅନ୍ୟପଟେ କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଗତକାଲି ଏହି ସଂଖ୍ୟା ୨୮୦୬ ଥିବା ବେଳେ ଆଜି ୨୮୨୪କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨ ହଜାର ୬୧ରେ ପହଞ୍ଚିଛି। ରବିବାର ଚିହ୍ନଟ ହୋଇଥିବା ୨୬୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରେ ସର୍ବାଧିକ ୧୮ ଆକ୍ରାନ୍ତ ଥିବା ବେଳେ ଖଣ୍ଡଗିରି ଓ ପୁରୁଣା ଭୁବନେଶ୍ବରରୁ ୧୪, ପଟିଆରେ ୧୩, ନୂଆପଲ୍ଲୀ, ଲକ୍ଷ୍ମୀସାଗର ଓ ଝାରପଡ଼ାରେ ୧୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର