‘ଅବଧୂତ ମାତୃତ୍ୱ’ ମାଧ୍ୟମରେ ଗର୍ଭ ସଂସ୍କାର ଯୋଜନା

୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ

ପ୍ରସୂତିଙ୍କ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ନେଇ ମାନସମନ୍ଥନ

ଭୁବନେଶ୍ୱର : ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେପରି ମାତୃ ଗର୍ଭରୁ ବିଭିନ୍ନ ବିଦ୍ୟା ଲାଭ କରିଥିଲେ, ସେହିପରି ଭାବରେ ଗର୍ଭବତୀ ମହିଳାମାନଙ୍କୁ ଗର୍ଭ ସଂସ୍କାର ଶିକ୍ଷା ପ୍ରଦାନ କରାଯିବ। ‘ଅବଧୂତ ମାତୃତ୍ୱ ଯୋଜନା’ ମାଧ୍ୟମରେ ପ୍ରସୂତି ମହିଳାମାନଙ୍କୁ ଅବସାଦଗସ୍ତ ନହେବା, ସର୍ବଦା ପ୍ରଫୁଲ୍ଲ ରହିବା, ବିଭିନ୍ନ ଶିକ୍ଷଣୀୟ ବିଦ୍ୟା ଅଧ୍ୟୟନ କରିବା, ସକାରାତ୍ମକ ଚିନ୍ତା କରିବା ତଥା ନିରାପଦ ମାତୃତ୍ୱ ନିମନ୍ତେ ବିଭିନ୍ନ ପଦ୍ଧତି ଆପଣାଇବା ଆଦି ବିଷୟରେ ଅବଗତ କରାଯିବ। ଏହି ଗର୍ଭ ସଂସ୍କାର ଯୋଜନା ସୁରକ୍ଷିତ ପ୍ରସବ ସହିତ ଉଭୟ ମା’ ଓ ଶିଶୁଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ବେଶ୍‌ ଉତ୍ତମ ଓ ସକାରାତ୍ମକ ପ୍ରଭାବ ପକାଇବ। ଜନତା ମଇଦାନରେ ଆୟୋଜିତ ହେଉଥିବା ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀର ଆୟୋଜନ କମିଟି ଅଧ୍ୟକ୍ଷ ଡ. ପି ସି ମହାପାତ୍ର ଏଭଳି ମତ ରଖିଛନ୍ତି। ଆଜି ସମ୍ମିଳନୀରେ ଏହି ଅଭିନବ ଯୋଜନା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନର ଭଗିନୀ ଶିବାନୀଙ୍କ ହାତରେ ଉଦ୍‌ଘାଟିତ ହୋଇଛି।

ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଫୋର୍‌-ଡି ସର୍ଜରୀ ପଦ୍ଧତି ଏହି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଉଲ୍ଲେଖ କରି ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପି.ସି ମହାପାତ୍ର କହିଲେ, ଏହି ସର୍ଜରି ଜରିଆରେ ଶିଶୁ ଜନ୍ମ ବେଶ୍‌ ନିରାପଦ ହେବା ସହିତ ମା’କୁ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ। ପ୍ରସବ ପରବର୍ତ୍ତୀ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କମ୍‌ ରହିଥାଏ। ଯାହାକି ଉଭୟ ମା’ ଓ ଶିଶୁକୁ ସୁରକ୍ଷିତ କରିଥାଏ। ଏହାସହିତ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବାରେ ମଧ୍ୟ ଏହା ବେଶ୍‌ ସହାୟକ ହେଉଛି। ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଏହି ପଦ୍ଧତି ଉପରେ ବ୍ୟାପକ ଆଲୋଚନା ହୋଇଛି। ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଥିବା ଗର୍ଭାଶୟ ପ୍ରତିରୋପଣ ବାବଦରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞମାନଙ୍କ ସହିତ ମତବିନିମୟ ଓ ଆଲୋଚନା ହୋଇଛି। ଡ. ମହାପାତ୍ର କହିଛନ୍ତି ଯେ ସାରା ବିଶ୍ୱରେ ମାତ୍ର ୧୧ଟି ଏଭଳି ଘଟଣା ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଗର୍ଭବତୀ ହୋଇସାରିଲେଣି ଯାହାକି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ସଫଳତା। ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ଗର୍ଭାବସ୍ଥାରେ କର୍କଟ ତଥା ଅନ୍ୟାନ୍ୟ ଜଟିଳ ଅବସ୍ଥାରୁ ମୁକୁଳିବା ନିମନ୍ତେ ବିଶ୍ୱ ସ୍ତରରେ ଉଦ୍ଭାବନ ହୋଇଥିବା ନୂତନ ପଦ୍ଧତି ବିଷୟରେ ବିଭିନ୍ନ ଅଧିବେଶନ କାଳରେ ଦେଶ ବିଦେଶର ସ୍ୱନାମଧନ୍ୟ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରୁଛନ୍ତି।

ଓଡ଼ିଶାରୁ ଏହି ସମ୍ମିଳନୀରେ ପ୍ରାୟ ୧୨୦୦ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଏହି କ୍ଷେତ୍ରରେ ନୂତନ ଚିକିତ୍ସା ପଦ୍ଧତି ବିଷୟରେ ଜ୍ଞାନ ଆରହଣ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ୍‌ ଉପାଦେୟ ହେବା ନେଇ ସୂଚନା ଦେଇଛନ୍ତି ଡ. ମହାପାତ୍ର। ସେହିପରି ଫୋଗ୍‌ସି ପକ୍ଷରୁ ଓଡ଼ିଶାରେ ମାତୃ ଓ ଶିଶୁ ମୃତ୍ୟୁହାର କମ୍‌ କରିବା ନେଇ ‘ସମ୍ପୂର୍ଣ୍ଣା’ ଯୋଜନା ମାଧ୍ୟମରେ ଉଭୟ ଘରୋଇ ଓ ସରକାରୀ ଚିକିତ୍ସକମାନେ ମାଗଣାରେ ସଚେତନତା ସୃଷ୍ଟି କରିବା ସହିତ ଚିକିତ୍ସା ସେବା ଯୋଗାଇଦେବେ। ଏହା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡ. ମହାପାତ୍ର ବିଶ୍ୱାସ ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟଯେ ଫୋଗ୍‌ସି ଆନୁକୁଲ୍ୟରେ ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସଂଘ (ଏଓଜିଓ) ପକ୍ଷରୁ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା କାର୍ଯ୍ୟକ୍ରମରେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରୁ ୨୦୦ ବିଦେଶୀ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୯୦୦୦ ପ୍ରତିନିଧିଙ୍କ ଅଂଶଗ୍ରହଣ ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ ସଫଳ କରିଥିବା ଆୟୋଜନ କମିଟିର କୋଷାଧ୍ୟକ୍ଷ ଡ. ଜନ୍ମେଜୟ ମହାପାତ୍ର ସୂଚନା ଦେଇଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଫାର୍ମା କମ୍ପାନିର ୨୦୦୦ ପ୍ରତିନିଧି ମଧ୍ୟ ଏହି ସମ୍ମିଳନୀରେ ଭାଗ ନେଇଛନ୍ତି।

‘ଜାତୀୟ ପୁଷ୍ଟି ପଞ୍ଜୀକରଣ’ ବ୍ୟବସ୍ଥାର ଶୁଭାରମ୍ଭ
ସମଗ୍ର ଭାରତରେ ମହିଳାମାନଙ୍କର ପୁଷ୍ଟି ସମ୍ବନ୍ଧୀୟ ସ୍ଥିତିର ସୂଚନା ନେବା ନିମନ୍ତେ ଫୋଗ୍‌ସି ଓ ଆଇସିଓଜି ପକ୍ଷରୁ ମିଳିତ ଭାବରେ ଜାତୀୟ ପୁଷ୍ଟି ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ସାରା ଭାରତରେ ମହିଳାମାନଙ୍କ ପୁଷ୍ଟି ସମ୍ବନ୍ଧରେ ତଥ୍ୟ ହାସଲ ନିମିତ୍ତ ମାଗଣା ଶିବିରର ଆୟୋଜନ କରାଯିବ। ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଏଭଳି ଏକ ଅଭିନବ ଯୋଜନାର ଆରମ୍ଭ ହେଉଛି। ଏଥିପାଇଁ ନ୍ୟୁଟ୍ରିମିଟର ନାମକ ଏକ ଆପ୍‌ ସୃଷ୍ଟି କରାଯାଇଥିବା ଫୋଗ୍‌ସିର ନବନିର୍ବାଚିତ ଅଧ୍ୟକ୍ଷା ଡ. ଜଇଦୀପ୍‌ ମଲହୋତ୍ରା ସୂଚନା ଦେଇଛନ୍ତି। ୬୧ତମ ସର୍ବଭାରତୀୟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସମ୍ମିଳନୀ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର