ବାରଙ୍ଗ/ତ୍ରିଶୁଳିଆ: କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରି ସଫଳତା ଅର୍ଜନ କରିବାରେ ନନ୍ଦନକାନନ ସର୍ବାଗ୍ରେ ରହିଛି। ଜଙ୍ଗଲରୁ ବିଲୁପ୍ତ ହେବାକୁ ଯାଉଥିବା ବଜ୍ରକାପ୍ତା ବଂଶବୃଦ୍ଧି ପାଇଁ ନନ୍ଦନକାନନ ପ୍ରଜନନ କେନ୍ଦ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏକ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିଛି। ଏବେ ନନ୍ଦନକାନନରେ ବଜ୍ରକାପ୍ତା ସଂଖ୍ୟା ୨୬ରେ ପହଞ୍ଚିପାରିଛି। ପୂର୍ବରୁ ଘଡ଼ିଆଳ ପ୍ରଜନନରେ ମଧ୍ୟ ନନ୍ଦନକାନନ ଉଲ୍ଲେଖନୀୟ ସଫଳତା ପାଇଛି ଏବଂ ଏଠାରୁ ଜନ୍ମ ନେଉଥିବା ଘଡ଼ିଆଳ ଛୁଆମାନଙ୍କୁ ମହାନଦୀରେ ଛଡ଼ାଯାଉଛି। ସେହିଭଳି କଳାବାଘ ଓ ଶାଗୁଣା ପ୍ରଜନନ କ୍ଷେତ୍ରରେ ମଧ୍ୟ ନନ୍ଦନକାନନ ପଛରେ ପଡ଼ିନାହିଁ। ଏହାର କଳେବର ଓ ପରିଧିକୁ ବଢ଼ାଇ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବାକୁ ଉଦ୍ୟମ ଜାରି ରହିଛି। ଆଜି ନନ୍ଦନକାନନର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅତିଥିମାନେ ଏଭଳି ସୂଚନା ଦେଇଛନ୍ତି।
ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରଥମେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ ହୋଇଥିବା ଶିଶୁ ଉଦ୍ୟାନକୁ ଉଦ୍ଘାଟନ କରିଥିଲେ। ପରେ ମା’ ପରିତ୍ୟକ୍ତ କିମ୍ବା ମା’ ଛେଉଣ୍ଡ ପ୍ରାଣୀମାନଙ୍କ ଚିକିତ୍ସା କେନ୍ଦ୍ର ଓ ଗୁରୁତର ଜୀବଜନ୍ତୁଙ୍କ ଚିକିତ୍ସା ଲାଗି ଅତ୍ୟାଧୁନିକ ଓଟି ଲୋକାର୍ପଣ କରିଥିଲେ। ସେହିଭଳି ପୋର୍ଟେବୁଲ୍ ଏକ୍ସରେ, ଅଲଟ୍ରା ସାଉଣ୍ଡ, ଆନେସ୍ଥେସିଆ ଖଚିତ ଓଟି ରୁମ ବା ଶଲ୍ୟ ଚିକିତ୍ସା ଗୃହକୁ ଉଦ୍ଘାଟନ କରାଯାଇଥିଲା। ସେହିଭଳି ଗତ ୧୫ ତାରିଖଠାରୁ ନନ୍ଦନକାନନକୁ ମହୀଶୂର ଚିଡ଼ିଆଖାନାରୁ ଅଣାଯାଇଥିବା ୪ଟି ମିର୍କାଟଙ୍କୁ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୁଆଡ଼ରେ ଛଡ଼ାଯାଇଥିଲା।
ଏହି ଅବସରରେ ଉପନିର୍ଦ୍ଦେଶକ ସଂଜିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କହିଥିଲେ ଯେ ନନ୍ଦନକାନନର କଳେବର ବୃଦ୍ଧି ଲାଗି ଚୂଡ଼ଙ୍ଗ ଓ କୃଷ୍ଣନଗରର ଦେଢ ଶହ ଏକର ଜମିକୁ ସାମିଲ୍ କରିବାକୁ କାର୍ଯ୍ୟ ଚାଲିଛି। ନୂଆ ନୂଆ ପ୍ରଜାତିର ଜୀବଜନ୍ତୁ ଆଣି ଏହାକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ। ସମ୍ମାନିତ ଅତିଥି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଚୂଡ଼ଙ୍ଗ ଜଙ୍ଗଲ ଭିତରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ବିସ୍ଥାପନ କରିବା ପୂର୍ବରୁ ଥଇଥାନ କରିବା ଲାଗି ନିବେଦନ କରିଥିଲେ। ନନ୍ଦନକାନନରେ ସାପ ସଂଖ୍ୟା କମ୍ ଥିବାକୁ ବିଭିନ୍ନ ପ୍ରଜାତିର ଅଧିକ ସାପ ଆଣିବା ଲାଗି ସେ ପରାମର୍ଶ ଦେଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶିଲ କୁମାର ପୋପଲି ଓ ବନ ବାହିନୀ ମୁଖ୍ୟ (ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ନନ୍ଦନକାନନର ବାର୍ଷିକ ପୁସ୍ତିକା, ଆଗନ୍ତୁକ ପକ୍ଷୀଙ୍କ ଫଟୋଚିତ୍ର ପୁସ୍ତକ ଓ ନନ୍ଦନକାନନର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନନ୍ଦନକାନନର କର୍ମଚାରୀ ଅକ୍ଷୟ କୁମାର ଦାସ, ଦୁଷ୍ମନ୍ତ ନାଏକ, ସନ୍ଦୀପ ସଚ୍ଚିଦାନନ୍ଦ ଦାସ, ଜ୍ୟୋତ୍ସ୍ନା ପାତ୍ର, ସୁଧୀର କୁମାର ବେହେରାଙ୍କ ସମେତ ୧୪ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନନ୍ଦନକାନନର ନିର୍ଦ୍ଦେଶକ ଡ. ମନୋଜ ଭି ନାୟର ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ସଞ୍ଜିତ କୁମାର ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/ddggddg.jpg)