ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପରେ ଖୋର୍ଧାରେ ରାଜ୍ୟର ଦ୍ବିତୀୟ ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୮୦ଜଣ କରୋନାର ଶିକାର ହୋଇଥିବା ବେଳେ ତହିଁରୁ ରାଜଧାନୀର କେବଳ ୫୨ଜଣ ରହିଛନ୍ତି। ଯାହାକି ଜିଲ୍ଲାର ସମୁଦାୟ କରୋନା ମୃତ୍ୟୁର ୬୫ ପ୍ରତିଶତ। ରାଜଧାନୀରେ କରୋନା ମୃତ୍ୟୁ ହାର ୦.୩୫ ପ୍ରତିଶତ ରେକର୍ଡ କରାଯାଇଛି। ଯାହା ରାଜ୍ୟର କରୋନା ମୃତ୍ୟୁ ହାରଠାରୁ କମ୍।

Advertisment

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜଧାନୀରେ ୪୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୯୧ ଜଣ ସଙ୍ଗରୋଧରୁ ଓ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ବସ୍ତି ଗୁଡ଼ିକ ମଧ୍ୟରେ ପାଣିଟାଙ୍କି, ସାଲିଆସାହି, ମହାବୀର, ନୀଳକଣ୍ଠନଗର ରହିଛି। ସେହିପରି ଏମ୍‌ସକୁ ବାଦ୍ ଦେଲେ ୪ଟି ଘରୋଇ ହସ୍ପିଟାଲରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ଚନ୍ଦ୍ରଶେଖରପୁର, ପଟିଆ, ବରମୁଣ୍ଡା, ବଡ଼ଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ପ୍ରାଚୀ ବିହାର, ପଳାଶୁଣୀ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ରୋଗୀ ବାହାରିଛନ୍ତି। ‌ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ମୁଣ୍ଡାସାହି, ସାଲିଆସାହି, ସବରସାହି, ମଙ୍ଗଳା ବସ୍ତି ଅଞ୍ଚଳକୁ ବାଦ୍ ଦେଲେ ଖଣ୍ଡଗିରି, ଜାଗମରା, ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ବର, ଗାଡ଼କଣ, ନୂଆପଲ୍ଲୀ, ଆଇଆରସି ଭିଲେଜ, ନ୍ୟୁ ଫରେଷ୍ଟ ପାର୍କ ଓ ବମିଖାଲ ଆଦି ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୪,୪୯୨ରେ ପହଞ୍ଚିଛି। ତହିଁରୁ ୯୩୫୦ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ୫୦୭୭ ରୋଗୀଙ୍କ ଏବେ ବି ଚିକିତ୍ସା ଜାରି ରହିଛି। ଯଦିଓ ଗତ ୨୪ଘଣ୍ଟାରେ ରାଜଧାନୀରେ ୪୦୧ ରୋଗୀ ସୁସ୍ଥ ହୋଇଛନ୍ତି। ତଥାପି ରାଜଧାନୀ‌ରେ କରୋନା ରୋଗୀଙ୍କ ସୁସ୍ଥ ହାର ରାଜ୍ୟ ହାରଠାରୁ କମ୍ ରହିଛି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୪ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହା ୭୭ ପ୍ରତିଶତ ରହିଛି। ବିଏମ୍‌ସି ପକ୍ଷରୁ ଚଳିତମାସ ୧୫ତାରିଖ ବେଳକୁ ରାଜଧାନୀରେ ୫ହଜାରରୁ ଅଧିକ ଚିକିତ୍ସିତ ରୋଗୀ ରହିଥିବେ ବୋଲି ଆକଳନ କରାଯାଇଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରାଜଧାନୀରେ ଏହି ସଂଖ୍ୟା ହୋଇସାରିଛି।