୬୫ହଜାର ଲୋକ ସ୍ଥାନାନ୍ତର, କାଳ ସାଜିପାରେ ଖାଲ

ବାଲିପାଟଣାରେ ୫୩୩୮ ଲୋକ ସ୍ଥାନାନ୍ତର

ବାଲିପାଟଣା: ଆଜି ସନ୍ଧ୍ୟାରୁ ବାଲିପାଟଣାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଲୋକମାନେ ବାତ୍ୟା ଆସିବ ଆସିବ ଶୁଣିବା ଦିନରୁ ରବି ଫସଲ ଅମଳରେ ଦିନରାତି ଲାଗିଛନ୍ତି। ବହୁ ଜମି ଓ ଖଳାରେ ମୁଗ, ବିରି ପଡ଼ିଛି। ବର୍ଷା,ପବନ ହେଲେ ଚାଷୀଙ୍କ ଲକ୍ଷଲକ୍ଷ ଟଙ୍କାର ରବି ଫସଲ ସହ ପନିପରିବା ବୁଡ଼ିବା ସୁନିଶ୍ଚିତ ବୋଲି ଚାଷୀ ଚିନ୍ତାରେ ଅଛନ୍ତି। ବାଲିପାଟଣା ବ୍ଲକରେ ଉପ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ବାବଧାନରେ ତହସିଲଦାର,ବିଡିଓ ଓ ବିଭିନ୍ନ ଅଫିସରମାନେ ବାତ୍ୟା ପ୍ରଭାବେ ପଡ଼ିବାକୁ ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ବ୍ଲକରେ ମୋଟ ୧୦୪ବାତ୍ୟା ଆଶ୍ରୟସ୍ଥଳ ଖୋଲା ଯାଇଛି। ପ୍ରତି ପଞ୍ଚାୟତରେ ନୋଡାଲ ଅଫିସରଙ୍କ ସମେତ ସରପଞ୍ଚ, ସ୍ଥାନୀୟ ଲୋକପ୍ରତିନିଧି, ସ୍ବଚ୍ଛାସେବୀଙ୍କୁ ନେଇ ଟିମ୍‌ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି।

ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ନାକେଦମ
ଏଠାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ୁଛି। କଚାଘରେ ରହୁଥିବା ଲୋକଙ୍କୁ ପ୍ରଶାସନ ବୁଝାଶୁଝା କରିବା ସହ ଗୋଟିଏ ଗୋଟିଏ ସ୍ଥାନରେ ପୁଲିସକୁ ଠିଆ କରି ବାତ୍ୟା ଆଶ୍ରୟସ୍ଥଳକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସନ୍ଧ୍ୟା ସୁଦ୍ଧା ବାଲିପାଟଣାର ବିଭିନ୍ନସ୍ଥାନରେ ମୋଟ ୫୩୩୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୪୦ଜଣିଆ ଏନ୍‌ଡିଆର୍‌ଏଫ୍‌ର ଟିମ ବାଲିପାଟଣାରେ ଉପସ୍ଥିତ ଅଛନ୍ତି। ଏଥିସହ ୨୧ଜଣିଆ ଅଗ୍ନିଶମ ବିଭାଗର କର୍ମଚାରୀ ବି ଜଣେ ଅଫିସରଙ୍କ ନେତୃତ୍ବରେ ଉପସ୍ଥିତ ଅଛନ୍ତି। ମାର୍ଥାପୁର ପଞ୍ଚାୟତ ପନ୍ଦାରିସାହିଠାରେ ଆଜି ସକାଳେ ପବନରେ ରାସ୍ତା ଓ ସ୍କୁଲ ଉପରେ ପଡ଼ିଥିବା ଗଛଗୁଡ଼ିକୁ ଅଗ୍ନିଶମ କର୍ମଚାରୀମାନେ ମେସିନ ସାହାଯ୍ୟରେ କାଟି ରାସ୍ତା ସଫା କରିଛନ୍ତି।

ଭୁବନେଶ୍ବର: ଲଗାଣ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ନୂଆ କଥା ନୁହେଁ। ମାତ୍ର ବାତ୍ୟା ବେଳେ ଯଦି ବର୍ଷା ଏହିଭଳି ଲାଗୁ ରୁହେ ଯାତାୟାତ ତ ସମସ୍ୟା ହେବ, କିନ୍ତୁ କାଳ ସାଜିପାରେ ଅବ୍ୟବସ୍ଥିତ ଖାଲ। ଏବେ ଅନେକ ମୁଖ୍ୟ ରାସ୍ତା ଓ ଗଳି ରାସ୍ତାରେ ବିଦ୍ୟୁତ ତାର ବିଛାଇବା ଏବଂ ସ୍ବରେଜ୍‌ ଲାଇନ୍‌ ପାଇଁ ଖୋଳାଯାଇଥିବା ଖାଲ ରାଜଧାନୀ ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ପାଇଁ ସାଂଘାତିକ ହୋଇପାରେ। ବିଶେଷକରି ଏହି ଖାଲଗୁଡ଼ିକ ସାଧାରଣ ନାଳ ଅପେକ୍ଷା ଅଧିକ ଗଭୀର ହୋଇଥିବାରୁ ମୁଖ୍ୟ ରାସ୍ତା କିମ୍ବା ଗଳି ରାସ୍ତାରେ ଗଲା ବେଳେ ସାବଧାନ ହୋଇ ଯିବାକୁ ପଡ଼ିବ। ବାତ୍ୟା ଜନିତ ପ୍ରଭାବରେ ବିଦ୍ୟୁତ ସଂଯୋଗ କଟିଯିବାର ସମ୍ଭାବନା ରହିଛି। ତେଣୁ ରାତିରେ ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାର ରହିବ। ଅଧିକାଂଶ ଲୋକେ ବାଇକ୍‌ କିମ୍ବା କାର୍‌ରେ ଯିବା ଆସିବା କରୁଥିବାରୁ ରାତିରେ ଯା’ଆସ ବେଳେ ଏହି ଖାଲଗୁଡ଼ିକ ସେମାନଙ୍କ ପାଇଁ ସାଂଘାତିକ ହୋଇପାରେ। ତେଣୁ ରାତିରେ ରାସ୍ତାରେ ଯାଆସ ବେଳେ ସାବଧାନ ହେବାକୁ ପଡ଼ିବ। ଅନେକ ନାଳରେ କିଛିକିଛି ସ୍ଥାନ ସ୍ଲାବ୍‌ ନପଡ଼ି ଖୋଲା ରହିଥିବାରୁ ନାଳ ଉପରେ ପାଣି ଚାଲିବା ଭଳି ସ୍ଥିତି ଉପୁଜିଲେ ରାସ୍ତା କଡ଼ରେ ଯିବା ବେଳେ ପଡ଼ିଯିବାର ସମ୍ଭାବନା ରହିଛି।

ଭୁବ‌େନଶ୍ବର: ବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳ ଭାଗ ଛୁଇଁବାକୁ ଥିବା ବେଳେ ଏହା ପ୍ରଭାବରେ ରାଜଧାନୀରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ଏବଂ ପ୍ରାୟ ୧୫୦ କିମି ବେଗରେ ପବନ ବହିପାରେ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ସମୟରେ ଯେପରି କୌଣସି କ୍ଷୟକ୍ଷତି ନହୁଏ, ସେଥିପାଇଁ ୧୩୧ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଥିବା ବେଳେ ପ୍ରାୟ ୬୫ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ଆଜି ରାତି ସୁଦ୍ଧା ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀରେ ୫୦୦ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଛି। ଏହାସହ ଆବଶ୍ୟକୀୟ ଆଲୋକ, ପିଇବା ପାଣି, ଶୌଚାଳୟ ବ୍ୟବସ୍ଥା ହୋଇଛି। ମୁଖ୍ୟତଃ ବସ୍ତି ଓ ତଳିଆ ଅଞ୍ଚଳରେ ଏହି ଆଶ୍ରୟସ୍ଥଳୀ ଖୋଲାଯାଇଛି। ଆଶାକର୍ମୀମାନଙ୍କ ଦ୍ବାରା ଆଶୁ ଚିକିତ୍ସା ଯୋଗାଯିବ। ଆଜି ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ବିଏମ୍‌ସି କମିସନର ସମର୍ଥ ବର୍ମା, ବିଏମ୍‌ସି ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପେଟ୍ରୋଲ ଟାଙ୍କିରେ ଭିଡ଼
‘ଫନି’ ଭୟରେ ଲୋକେ ପ୍ରଚୁର ପରିମାଣର ପନିପରିବା ଓ ପେଟ୍ରୋଲ୍ ସଞ୍ଚୟ କରି ରଖୁଥିବାରୁ ଏଥିରେ କୃତ୍ରିମ ଅଭାବ ଦେଖାଦେଇଛି। ଲୋକେ ଭୟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ତେଲ କିଣି ନେଉଥିବାରୁ ଆଜି କିଛି ଘଣ୍ଟା ପାଇଁ ରାଜଧାନୀର କେତୋଟି ପେଟ୍ରୋଲ ପମ୍ପରେ ତେଲ ସରି ଯାଇଥିଲା। ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍‌ ସଂଘର ସାଧାରଣ ସଂପାଦକ ସଂଜୟ ଲାଠଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଗତକାଲି ଗ୍ରାହକମାନେ ସ୍ୱଭାବିକଠାରୁ ଅଢ଼େଇଗୁଣ ଅଧିକ ଏବଂ ଆଜି ଦୁଇ ଗୁଣ ଅଧିକ ତେଲ କିଣିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅପରାହ୍‌ଣରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା। ଟାଙ୍କି ମାଲିକମାନେ ୩ ଦିନର ଆବଶ୍ୟକତା ପୂରଣ ପାଇଁ ତେଲ ମଗାଇ ରଖିଛନ୍ତି ଏବଂ ଗ୍ରାହକମାନେ ଅଯଥାରେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ କିଛି ଟାଙ୍କିରେ ଲୋକ ଡ୍ରମ୍‌ରେ ତେଲ ବୋଝେଇ କରି ନେଉଥିବାରୁ ଉତ୍ତେଜନା ଦେଖାଦେଇଥିଲା। ସବୁ ଟାଙ୍କିରୁ ତେଲ ସରିଯିବା ପରେ ଏହି ତେଲକୁ ଉଚ୍ଚ ଦରରେ ବିକ୍ରି କରିବା ପାଇଁ ଏପରି କରାଯାଉଥିବା ଲୋକେ ଅଭିଯୋଗ କରିଥିଲେ।

ସ୍କାଏଲାଇଟ୍’ରେ ପଟା ପ୍ୟାଚ୍
ବାତ୍ୟା ସମୟରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ଆଶଙ୍କା ଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍କାଏଲାଇଟ୍‌ ଫାଙ୍କ ଦେଇ ଘର ଭିତରକୁ ପବନ ପଶିଯିବା ଭୟରେ ଲୋକମାନେ ତାହାକୁ କାଠପଟା ଦେଇ ବନ୍ଦ କରି ଦେଇଥିବା ଦେଖାଦେଇଛି। ବଡ଼ ବଡ଼ ଆପାର୍ଟମେଣ୍ଟଗୁଡ଼ିକରେ ମଧ୍ୟ ଶ୍ରମିକମାନେ ଏପରି କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର