ବାଲିଅନ୍ତା: ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ବାଳକାଟି ଫାଣ୍ଡି ଅଞ୍ଚଳରେ ଜୟଦେବ ମିନି ମାରାଥନ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ ପ୍ରତିଯୋଗିତା ବାଳକାଟିସ୍ଥିତ ବାଳକୃଷ୍ଣ ଦାଶଙ୍କ ସ୍ମୃତି ପୀଠରୁ ଟଙ୍କପାଣି ବ୍ରିଜ ନିକଟସ୍ଥ ମହାତ୍ମାଗାନ୍ଧୀ ପଦଯାତ୍ରା ସ୍ମାରକୀ ପୀଠ ପର୍ଯ୍ୟନ୍ତ ହୋଇଥିଲା। ବାଲିଅନ୍ତା, ବାଲିପାଟଣା ବ୍ଲକ ଓ ଆଖପାଖ ଅଞ୍ଚଳରୁ ଏହି ପ୍ରତିଯୋଗିତାରେ ୬୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପୁରୁଷବର୍ଗରେ ଯଥାକ୍ରମେ ଅଶୋକ ଦଣ୍ଡସେନା, ବଳଭଦ୍ର ଭଦ୍ରା, ସୂର୍ଯ୍ୟକାନ୍ତ ରାୟ, ସତ୍ୟରଞ୍ଜନ ଦାସ, ଦେବରାଜ ଭୋଇ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।
ସେମାନଙ୍କୁ ପୁରସ୍କାର ସ୍ବରୂପ ଯଥାକ୍ରମେ ୧୦ ହଜାର, ୭,୫୦୦, ୫ ହଜାର, ୩ ହଜାର ଓ ୨ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ମହିଳା ବର୍ଗରେ ସୋନାଲି ମୁର୍ମୁ, ସସ୍ମିତା ଭୋଇ, ବନିତା ସ୍ବାଇଁ, ସସ୍ମିତା ମାଝୀ, ଓ ଆଦ୍ୟାଶା ଦାଶ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନ ଅଧିକାର କରିଥଇଲେ। ସେମାନଙ୍କୁ ୬ହଜାର, ୪ ହଜାର, ୩ ହଜାର, ୨ହଜାର ଓ ୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ବିଜୟୀ ପ୍ରତିଯୋଗୀମାନଙ୍କୁ ଚେକ୍ ପ୍ରଦାନ କରିଥିଲେ। ବାଳକାଟି ପୁରୁଣା ଫାଣ୍ଡି ଛକ ନିକଟରେ ଶ୍ରୀ ବେହେରାଙ୍କ ସମେତ ସିନେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ର ଓ ବିଦୁସ୍ମିତା ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ, ଅନ୍ତର୍ଜାତୀୟ କରାଟେକା ଗଜେନ୍ଦ୍ର ମେହେର ଓ ସମାଜସେବୀ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ମଧ୍ୟ ସମ୍ମାନିତ କରାଯାଇଥିଲା।