ଭୁବନେଶ୍ବର: ପ୍ରତି ୱାର୍ଡର ଦାୟିତ୍ବ ନେଇଛନ୍ତି ଜଣେ ଜଣେ ସାନିଟାରି ଇନ୍ସ୍ପେକ୍ଟର(ଏସ୍ଆଇ)। ପୂର୍ବରୁ ଏସ୍ଆଇଙ୍କର ଅଭାବ ଥିବାରୁ ନିକଟ ଅତୀତରେ ୩୪ଜଣ ଏସ୍ଆଇଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରଶିକ୍ଷଣ ନେଇ ପ୍ରସ୍ତୁତ ହେବା ପରେ ଆଜି ସେମାନଙ୍କୁ ଦାୟିତ୍ବ ବଣ୍ଟାଯାଇଛି। କେଉଁ ୱାର୍ଡ ଦାୟିତ୍ବରେ କିଏ ରହିବେ, ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ୬୭ ସାନିଟାରି ଇନ୍ସପେକ୍ଟର୍ଙ୍କ ମୋବାଇଲ ନମ୍ବର ସହ ଏନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନେ କାମ ଆରମ୍ଭ କରିବା ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ବିଏମ୍ସି ଆଶାବାଦୀ ରହିଛି।
ସୂଚନା ମୁତାବକ, ଜେଡ୍ଡିସିମାନେ ଏମାନଙ୍କୁ କାମରେ ଲଗାଇବେ ଓ ଏମାନେ ଜେଡ୍ଡିସିଙ୍କୁ ପ୍ରତ୍ୟେକ ଦିନ କାର୍ଯ୍ୟର ରିପୋର୍ଟ କରିବେ। ଘରୁ ଦୈନିକ ସଂଗ୍ରହ ହେଉଥିବା ଆବର୍ଜନା, ଗଳି ଝାଡ଼ୁ ହେବା, ଡ୍ରେନ୍ ସଫା, ବୁଦା କାଟିବା, କନଜର୍ଭାନ୍ସି ସଫେଇ, ଯାନ୍ତ୍ରିକ ସଫେଇ, ୱାଲ୍ ଟୁ ୱାଲ୍ ସଫେଇ ପ୍ରଭୃତି ଏମାନେ ନିଶ୍ଚିତ କରିବେ। ଏହାସହ ଏମାନେ ବିଏମ୍ସି ନେଇଥିବା ନୂଆ ନିଷ୍ପତ୍ତି ସବୁ ନିଶ୍ଚିତ କରିବାକୁ ଏସ୍ବିଏ ସେଲ୍ ଓ ଜୋନ୍ ସାନିଟାରି ଏକ୍ସପର୍ଟଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ବିଏମ୍ସିର ଏହି ନୂଆ ନିଷ୍ପତ୍ତିଗୁଡ଼ିକ ହେଉଛି, ଘାସ, ପ୍ଲାଷ୍ଟିକ୍ ଓ ମାଟିମୁକ୍ତ ରାସ୍ତା, ୫ମିଟର ପରିସର ସଫେଇ, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ନ ହେବା, ରାସ୍ତାକଡ଼ରୁ ଆବର୍ଜନା ଗାଡ଼ି ଉଠାଇବା, ରାତି ସଫେଇ, ମୋ ୱାର୍ଡ ବୈଠକ, ଗଛ, ଖୁଣ୍ଟ ଓ କାନ୍ଥ ସଫା ରଖିବା।
ସଫେଇ ଦାୟିତ୍ବ ନେଇଥିବା ସଂସ୍ଥା କାମରେ ଖିଲାପ କଲେ ଏହି ଏସ୍ଆଇମାନେ ରିପୋର୍ଟ କରିବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ଏମ୍ସିସିଗୁଡ଼ିକ ଯେଭଳି ସୁରୁଖୁରୁରେ ଚାଲିବ, ସେନେଇ ଏମାନେ ୱାର୍ଡ ଅଫିସର, ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର୍ଙ୍କ ସହ ସମନ୍ବୟ ରକ୍ଷା କରିବେ। ଏହାବାଦ୍ ଟିଟିଏସ୍ ଓ ଭୁଆସୁଣି ଡମ୍ପିଂୟାର୍ଡର ସୁପରିଚାଳନା ପାଇଁ ମଧ୍ୟ ଏମାନେ କାମ କରିବେ। ସର୍ବୋପରି ପରିମଳକୁ ନେଇ ବିଭିନ୍ନ ସମୟରେ ଆସୁଥିବା ସରକାରୀ ନିର୍ଦ୍ଦେଶନାମା ପାଳନକୁ ମଧ୍ୟ ନିଶ୍ଚିତ କରିବାକୁ ଆଦେଶରେ ଉଲ୍ଲେଖ ରହିଛି।