୬୭ତମ ଜାତୀୟ ଫିଲ୍ମ ପୁରସ୍କାର: କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ ବାଜପେୟୀ ଓ ଧନୁଷ୍‌ ଶ୍ରେଷ୍ଠ ଅଭିନେତା

‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ସ୍ଥିତ ନାସନାଲ୍‌ ମିଡିଆ ସେଣ୍ଟର ଠାରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ ହୋଇଛି। ଏଥିରେ ୨୦୧୯ ମସିହା ପାଇଁ ବିଜେତା ହୋଇଥିବା ବିଭିନ୍ନ ଚଳଚ୍ଚିତ୍ର ଓ କଳାକାରଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଫିଲ୍ମ ଫେଷ୍ଟିଭାଲ୍‌ସ ନିର୍ଦ୍ଦେଶାଳୟ ଦ୍ବାରା ଏହି ପୁରସ୍କାର ସାଧାରଣତଃ ପ୍ରତିବର୍ଷ ମେ ୩ ତାରିଖରେ ଘୋଷିତ ହୋଇ ଆସୁଥିବା ବେଳେ ଗତବର୍ଷର ବିଜେତାଙ୍କ ନାମ ମହାମାରୀ କୋଭିଡ୍‌ ସକାଶେ ପାଖାପାଖି ବର୍ଷେ ଘୁଞ୍ଚାଇବା ପରେ ଆଜି ପ୍ରକାଶିତ ହୋଇଛି। ଏଥର ଏହି ପୁରସ୍କାର ପାଇଁ ଫିଚର ଫିଲ୍ମ ବର୍ଗରେ ୪୬୧ଟି ଓ ଅଣଫିଚର ଫିଲ୍ମ ବର୍ଗରେ ୨୨୦ଟି ଚଳଚ୍ଚିତ୍ର ସାମିଲ ହୋଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ସଂପନ୍ନ ରାଜ୍ୟ ପାଇଁ ୧୩ଟି ଆବେଦନ ଗୃହୀତ ହୋଇଥିଲା।

ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ନାମଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇଟି ଫିଲ୍ମ ପଙ୍ଗା ଓ ମଣିକର୍ଣ୍ଣିକାର ନାୟିକା କଙ୍ଗନା ରାଣାୱତ ଏବଂ ଶ୍ରେଷ୍ଠ ଅଭିନେତା ଭାବେ ମିଳିତ ଭାବେ ହିନ୍ଦୀ ଫିଲ୍ମ ଭୋଁସଲେର ନାୟକ ମନୋଜ ବାଜପେୟୀ ଓ ତାମିଲ୍‌ ଚଳଚ୍ଚିତ୍ର ଅସୁରନ୍‌ର ନାୟକ ଧନୁଷ ରହିଛନ୍ତି। ସେହିପରି ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ହିନ୍ଦୀ ଚଳଚ୍ଚିତ୍ର ଦି ତାସକେଣ୍ଟ୍‌ ଫାଇଲ୍‌ସର ନାୟିକା ପଲ୍ଲବୀ ଯୋଶୀ ଓ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ତାମିଲ ଫିଲ୍ମ ସୁପର ଡିଲକ୍ସର ନାୟକ ବିଜୟ ସେତୁପତିଙ୍କ ନାମ ଘୋଷିତ ହୋଇଛି। ସେହିପରି ମାଲାୟାଲାମ୍‌ ଚଳଚ୍ଚିତ୍ର ମରକ୍କାର: ଲାୟନ୍‌ ଅଫ୍‌ ଦି ଆରବିଆନ୍‌ ସି କୁ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ମିଳିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ହିନ୍ଦୀ ଚଳଚ୍ଚିତ୍ର ବହତ୍ତର ହୁରେଁ ର ନିର୍ଦ୍ଦେଶକ ସଞ୍ଜୟ ପୁରନ୍‌ ସିଂହ ମନୋନୀତ ହୋଇଛନ୍ତି। ଅପରପକ୍ଷେ, ଶ୍ରେଷ୍ଠ ଚଳଚ୍ଚିତ୍ର ସଂପନ୍ନ ରାଜ୍ୟ ଭାବେ ସିକିମ୍‌କୁ ବଛାଯାଇଛି। ଏଥି ସହିତ ବିଭିନ୍ନ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଛିଛୋରେ(ହିନ୍ଦୀ), ଶଲା ବୁଢ଼ାର ବଦଲା ଓ କାଲିର ଅତୀତ (ଓଡ଼ିଆ), ଗୁମନାମୀ (ବଙ୍ଗଳା), ରୋନୁଵା-ହୁ ନେଭର ସରେଣ୍ଡର (ଅହମିୟା), ଜର୍ସି (ତେଲଗୁ), କଲ୍ଲା ନୋତ୍ତମ୍‌(ମାଲାୟାଲାମ୍‌), ଅସୁରନ୍‌ (ତାମିଲ୍‌), ଭୁଲାନ୍‌ ଥେ ମାଜେ(ଛତିଶଗଡ଼ୀ), ବାରଦୋ (ମରାଠୀ), ଆକ୍ଷି (କନ୍ନଡ଼), କାଜରୋ (କୋଙ୍କଣୀ), ଛୋରିୟାଁ ଛୋରୋଁ ସେ କାମ୍‌ ନେହିଁ ହୋତି (ହରିଆଣୀ) ଏବଂ ରବ୍‌ ଦା ରେଡିଓ ୨ (ପଞ୍ଜାବୀ) ଆଦି ରହିଛି।

ସମ୍ବନ୍ଧିତ ଖବର