ରେଭେନ୍ସାରେ ପଢିବା ଆମ ପାଇଁ ଭାଗ୍ୟର କଥା ଥିଲା। ମୋର ସାଙ୍ଗମାନେ ଏବେ ବହୁତ ଭଲ ସ୍ଥାନରେ ଅଛନ୍ତି। ରେଭେନ୍ସା ପାଇଁ ଅନେକ କ୍ରିକେଟ ଖେଳିଛି। ମୋ ସମୟରେ ଖେଳିଲାବେଳେ ଆମର ଅଧିନାୟକ ଜାଣିଶୁଣି ଲେଡିଜ୍‌ ହଷ୍ଟଲ୍‌ ଆଡ଼କୁ ବଲ୍‌ ମାରନ୍ତି। କିନ୍ତୁ ହଷ୍ଟେଲ୍‌ରୁ ବଲ୍‌ ଆଣବାକୁ କେହି ଯାଆନ୍ତିନି। ମୁଁ ବଲ୍‌ ଆଣିବାକୁ ଯାଉଥିଲି। ତାହା ମୋ ପାଇଁ ମଜାଦାର ଅନୁଭବ ଥିଲା। ଏବେ ରେଭେନ୍ସା ବହୁତ ବଢ଼ିଯାଇଛି। ପ୍ରତିଦିନ କିଛି ନା କିଛି ବୈଷୟିକ ଜ୍ଞାନ କୌଶଳ ଆସୁଛି, ସେହି ଅନୁପାତରେ ନିଶ୍ଚିତ ଭାବେ ପ୍ରତ୍ୟେକ ଦିନ ଉନ୍ନତି କରିବାକୁ ହେବ।
କାମାକ୍ଷା ପ୍ରସାଦ ସିଂହଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ
ମହାମିଳନ ରେଭେନ୍ସାର ସମ୍ମାନକୁ ଆହୁରି ବଢ଼ାଇବ
ରେଭେନ୍ସାକୁ ବହୁବାର ଆସିଛି, ମାତ୍ର ଆଜି ଆସିବାରେ ଏକ ଭିନ୍ନ ଅନୁଭୂତି ପାଇଛି। ଅନେକ ପୁରାତନ ସାଙ୍ଗ ଓ ଛାତ୍ରଛାତ୍ରୀଙ୍କୁ ଦେଖି ବହୁତ ଖୁସି ଲାଗୁଛି। ମହାମିଳନ ଉତ୍ସବ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଓ ଏହାକୁ ଜାରି ରଖାଯାଉ। ପୁରାତନ ଛତ୍ରମାନେ ଗୋଟେ ଶିକ୍ଷା ଅନୁଷ୍ଠାନର ମାନକୁ ବୃଦ୍ଧି କରିଥାଏ। ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଗଲେ ରେଭେନ୍ସାର ମାନ ଓ ସମ୍ମାନ ଆହୁରି ଅଧିକ ବଢିବ।
ଅବସର ବେଉରିଆ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ
ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏକାଠି
ରେଭେନ୍ସା କଲେଜର ପ୍ରଫେସର ଓ ଅଧ୍ୟକ୍ଷ ଭାବେ ମୋର ଅଭିଜ୍ଞତା ଖୁବ୍‌ ଆନନ୍ଦଦାୟକ ଥିଲା। ଏକ ଉତ୍ସବମୟ ପରିବେଶ ମଧ୍ୟରେ କଲେଜ ଚାଲୁଥିଲା। ମୋ ସମୟରେ ରେଭେନ୍ସାର ଗୋଟିଏ ଆନ୍ଥମ୍‌ ତିଆରି କରାଯାଇଥିଲା। କଲେଜରେ ମୋ ପ୍ରଚେଷ୍ଟାରେ ଇଂରାଜୀ ନାଟକ କରାଯାଉଥିଲା। ବର୍ତ୍ତମାନଏହି ମହାମିଳନରେ ଅଲଗା କରିବେଶ ଦେଖିବାକୁ ମିଳୁଛି। ଏଠାରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଏକାଠି ହୋଇଛନ୍ତି। ସତେଯେମିତି ସମୟ ଗୋଟିଏ ବିନ୍ଦୁକୁ ଆସିଯାଇଛି। ସମସ୍ତଙ୍କ ଜୀବନରେ ରେଭେନ୍ସାର ଅବଦାନ ଅନେକ ଅଛି। ବିଶ୍ୱବିଦ୍ୟାଳୟ ଯଦି ଉନ୍ନତି ପ୍ରତି ସ୍ୱତନ୍ତ୍ର ଆଭିମୁଖ୍ୟ ଆଣିବ ତାହେଲେ ତାହାର ଅର୍ଥ ରହିବ। ନଚେତ୍‌ ଚିରାଚରିତ ପାଠ୍ୟକ୍ରମ ରହିଲେ ସମାଜରେ ପ୍ରଭାବ ପଡିବ ନାହିଁ। ଅନ୍ୟପକ୍ଷରେ ଚାକିରି ପାଇଁ ଆଶା ରଖିବା ସହିତ ଗବେଷଣା କରାଯିବା ଦରକାର। ଓଡ଼ିଶାର ଇତିହାସ ଉପରେ କାମ ହେଉନାହିଁ। ରେଭେନସା ଏହାର ନେତୃତ୍ୱ ନେବା ଦରକାର।
ପ୍ରଫୁଲ୍ଲ କୁମାର ମହାନ୍ତି, ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ

????????????????????????????????????

ରେଭେନ୍ସା ମୋର ଦ୍ୱିତୀୟ ଘର
ଏହି ବୈଠକରେ ଜଣେ ହେଲେ ସାଙ୍ଗକୁ ଦେଖିବାକୁ ପାଉନି। ବୋଧହୁଏ ବୟସାଧିକ ଦୃଷ୍ଟିରୁ ଆସି ପାରିନାହାନ୍ତି। ମୋର ସ୍କୁଲ, କଲେଜ ସବୁ ଏହିଠାରେ। ରେଭେନ୍ସା ମୋର ଦ୍ୱିତୀୟ ଘର ଭଳି ଥିଲା। ଏହା ଭିତରକୁ ଥରେ ପଶିଗଲେ ପୁରୁଣା ଦିନ ଫେରିଆସେ। ହେଲେ ଏବେ ରେଭେନ୍ସାରେ ଅନେକ ପରିବର୍ତ୍ତନ ଆସିଥିବା ଉପଲବ୍ଧି କରୁଛି। ଆମ ସମୟ ଭଳି ଶୃଙ୍ଖଳା ଏଠାରେ ନାହିଁ। ହେଲେ ଏହା କମିଯାଇଥିବାରୁ ଦୁଃଖ ଲାଗୁଛି।
ରବୀନ୍ଦ୍ର ନାଥ ମହାନ୍ତି, ପୁରାତନ ଛାତ୍ର
ମନ୍ଦିରକୁ ପ୍ରବେଶ କଲାଭଳି ଲାଗେ
ମୋତେ ୭୮ ବର୍ଷ ବୟସ ହେଲାଣି। ୧୯୫୬ରେ ମୁଁ ଏଠାରେ ପଢୁଥିଲି। ରେଭେନ୍ସାକୁ ଆସିଲାବେଳେ ମନ୍ଦିରରେ ପ୍ରବେଶ କରିବା ଭଳି ଲାଗୁଥିଲା। ଏବେ ସେହି ପବିତ୍ରତା ନଷ୍ଟ ହେଲାଭଳି ଲାଗୁଛି। ସମସ୍ତଙ୍କୁ ଭେଟିବାକୁ ସୁଯୋଗ ମିଳୁନାହିଁ। ଏହି ମିଳନରେ କିଛି ବନ୍ଧୁଙ୍କୁ ପୁଣି ପାଖରେ ପାଇଛି। ପୁରୁଣା ଦିନ ସବୁ ମନେ ପଡ଼ିଯାଉଛି। ଏତେ ବର୍ଷ ପରେ ସମସ୍ତଙ୍କ ସହିତ ମିଶିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଲାଗୁଛି।
ଗୋପାଳ କୃଷ୍ଣ ବେହେରା, ପୁରାତନ ଛାତ୍ର
ଏବେ ବି ମନରେ ରୋମାଞ୍ଚ ସୃଷ୍ଟି ହୁଏ
ରେଭେନ୍ସାକୁ ନେଇ ଅନେକ ଅନୁଭୂତି ମନ ଭିତରେ ରହିଛି। ସେଦିନର ସ୍ମୃତି ଆଜି ମନେ ପଡିଲେ ବୟସ ବଢିଯାଇ ଥିଲେ ବି ମନରେ ରୋମାଞ୍ଚ ସୃଷ୍ଟିହୁଏ। ସେତେବେଳର ଶିକ୍ଷକ ଓ ବନ୍ଧୁମାନଙ୍କୁ କେବେ ଭୁଲି ହେବ ନାହିଁ। ରେଭେନ୍ସାର ଗୁରୁତ୍ୱ ଅତୀତରେ ଥିଲା, ଆଜି ବି ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ। ଆଜିର ଏ ମହାମିଳନ ପର୍ବ ବହୁପୂର୍ବରୁ ହେବାର ଥିଲା। ଯାହାହେଉ ବିଳମ୍ବରେ ହେଲେ ବି ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ।
ଦୀପକ ସାମନ୍ତରାଏ, ପୁରାତନ ଛାତ୍ର
ମହାମିଳନର ଅନୁଭୂତି ନିଆରା
ଆଜିର ଏହି ମହାମିଳନର ଅନୁଭୂତି ନିଆରା। ୧୯୬୮ ପରଠାରୁ ରେଭେନ୍ସାକୁ ଆସିନଥିଲି। ଯଦିବା ଆସିବାକୁ ଇଚ୍ଛା ଥିଲା, ମାତ୍ର ବାହାନା ମିଳୁନଥିଲା। ରେଭେନ୍ସାର କିଛି ପୁରୁଣା ଚେହେରା ସେପରି ଥିବା ବେଳେ ଆଉ କିଛି ନୂଆ ହୋଇଛି। ପୁରୁଣା ରୂପକୁ ଦେଖିଲେ ମଧୁର ସ୍ମୃତି ମନକୁ ଆସୁଛି। ନୂଆକୁ ଦେଖିଲେ ଆମ କଲେଜର ଅନେକ ଉନ୍ନତି ହୋଇଛି ବୋଲି ଖୁସି ବି ଲାଗୁଛି।
ଡକ୍ଟର ସୁବାସ ପାଣି, ପୂର୍ବତନ ମୁଖ୍ୟ ଶାସନ ସଚିବ
ଛାତ୍ର ଆନ୍ଦୋଳନରେ ଯୋଗ ଦେଇ ଜେଲ୍‌ ଯାଇଥିଲି
ରେଭେନ୍ସାରେ ପଢିବା ସମୟରେ ୧୯୬୪ ଛାତ୍ର ଆନ୍ଦୋଳନରେ ଯୋଗ ଦେଇ ୭ଦିନ ପାଇଁ ଜେଲକୁ ଯିବା ଘଟଣା ଆଜି ବି ମନେ ପଡିଗଲେ ଦେହ ଓ ମନରେ କମ୍ପନ ଖେଳିଯାଏ। ରେଭେନ୍ସାର ସମସ୍ତ ଭଲ ବିଷୟକୁ ସାରା ବିଶ୍ୱକୁ ଜଣାଯାଉ। ଏଥିପାଇଁ ଆମେ ପୁରାତନ ଛାତ୍ରଛାତ୍ରୀ ଆଗକୁ ଅସିବା ଦରକାର। ଏପରି ମହାମିଳନ ପର୍ବ ପ୍ରତିବର୍ଷ ଆୟୋଜନ କରାଯାଇ ରେଭେନ୍ସା ପ୍ରତି ଆମର ଥିବା ଦାୟିତ୍ୱକୁ ସଚେନତନ କରାଯାଉ।
ଟହଲି ଚରଣ ମହାନ୍ତି, ବରିଷ୍ଠ ଆଇନଜୀବୀ,
ସେ ସମୟର ସାଙ୍ଗକୁ ଭୁଲି ପାରିବି ନାହିଁ
ଆଜିର ମହାମିଳନ ପର୍ବ ମୋ ପାଇଁ ଆତ୍ମହରା ଅନୁଭୂତି। ରେଭେନ୍ସା ପରି ଶିକ୍ଷାନୁଷ୍ଠାନ ଓ ଏହାର ପୁରାତନ ଛାତ୍ରଙ୍କ ନିକଟରେ ମୁଁ ନତମସ୍ତ। ରେଭେନ୍ସାରେ ପଢୁଥିବା ବେଳେ ଏହିଠାରୁ ବିଭିନ୍ନ ମାଗାଜିନ୍‌ ପାଇଁ କାର୍ଟୁନ ଆଙ୍କିବା ଆରମ୍ଭ କରିଥିଲି। ସେତେବେଳର ସାଙ୍ଗମାନେ କାର୍ଟୁନ ଆଙ୍କିବାବେଳେ ମୋତେ ଅନେକ ମାତ୍ରାରେ ଉତ୍ସାହିତ କରୁଥିଲେ। ସେ ସମୟର ସାଙ୍ଗ ଓ ସ୍ମୃତିକୁ କେବେ ଭୁଲି ପାରିବି ନାହିଁ।
ପରେଶ ନାଥ, ବିଶିଷ୍ଟ କାର୍ଟୁନିଷ୍ଟ
ପୁରୁଣା ସ୍ମତି ସବୁ ଉଜ୍ଜୀବିତ ହୋଇ ଉଠୁଛି
ରେଭେନ୍ସା ପ୍ରତି ଏକ ଭିନ୍ନ ଆତ୍ମୀୟତା ରହିଛି। ଏଠାକୁ ଆସି କିଛି ପୁରୁଣା ସାଙ୍ଗଙ୍କ ସହିତ ଦେଖା ହୋଇଛି। ଏଠାରେ ପଢୁଥିବା ବେଳେ ଜୟପ୍ରକାଶ ନାରାୟଣ କଟକକୁ ଆସିଥିଲେ। ତାଙ୍କୁ ଦେଖିବାକୁ ମୁଁ ଓ ମୋ ସାଙ୍ଗମାନେ ଯାଇଥିଲୁ। ତାଙ୍କ ଅଭିଭାଷଣ ଶୁଣି ଦେଶ ପାଇଁ କିଛି କରିବାକୁ ଆମ ମଧ୍ୟରେ ଏକ ପ୍ରକାର ନୂଆ ଉତ୍ସାହ ଦେଖାଯାଇଥିଲା। ଏବେ ସେସବୁ ପୁରୁଣା ସ୍ମୃତି ଉଜ୍ଜୀବିତ ହୋଇ ଉଠୁଛି।
ପଦ୍ମ ଚରଣ ନାୟକ, ପୂର୍ବତନ ବିଧାୟକ
ରେଭେନ୍ସାରେ ପଢ଼ି ଗର୍ବିତ
୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଏଠାରେ ପଢିଛି। ଏହି ୪ବର୍ଷ ମୁଁ ଭାବେ ମୋ ଜୀବନର ଗୌରବମୟ ସମୟ ଥିଲା। ରେଭେନ୍ସାର ଐତିହ୍ୟ ଓ ରାଜ୍ୟର ଶିକ୍ଷାକୁ ଏହାର ଅବଦାନ ଅନେକ। ଏଠାରେ ପଢ଼ିବାକୁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। ମୋର ଅଧ୍ୟକ୍ଷ ଡ. ମହେନ୍ଦ୍ର କୁମାର ରାଉତ ଓ ଅନ୍ୟାନ୍ୟ ଅଧ୍ୟାପକଙ୍କଠାରୁ ଅନେକ କିଛି ଶିଖିଛି। ପଢିବା ସମୟରେ ଅନେକ ଭଲ ଛାତ୍ର ଓ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିଥିଲା।
ମନୋରଂଜନ ପାଣିଗ୍ରାହୀ,
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶାସନ ସଚିବ

ପୁରାତନ ଛାତ୍ର ସଂସଦ ପାଣ୍ଠିକୁ ଦେଢ଼ ଲକ୍ଷ ଦାନ


ପୁରାତନ ଛାତ୍ର ସଂସଦ ପକ୍ଷରୁ ଗଠନ ହୋଇଥିବା ପାଣ୍ଠିକୁ ରାଜ୍ୟର ଦୁଇ ଜଣ ସାରସ୍ୱତ ସାଧିକା ଆଜି ଦେଢ଼ ଲକ୍ଷ ଟଙ୍କା ଦାନ କରିଛନ୍ତି। ନିଜର ଗୋଟିଏ ମାସର ଦରମା ରେଭେନ୍‌ସା ପାଣ୍ଠିକୁ ଦାନ କରିବାକୁ ପୁରାତନ ଛାତ୍ର ସଂସଦ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ଵାନ କରିବା ପରେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ ଏକ ଲକ୍ଷ ଟଙ୍କା ଦାନ କରିବା ବିଷୟ ଘୋଷଣା କରିଥିଲେ। ସେହିପରି ମଞ୍ଚ ଉପରେ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏଥିପାଇଁ ସୌମ୍ୟରଞ୍ଜନ ଦୁଇ ସାହିତ୍ୟିକାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ। ଏହି ପାଣ୍ଠି ଅର୍ଥରେ ରେଭେନ୍ସାର ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

କ୍ୟାମ୍ପସ୍‌ରେ ନ ଥିଲା ବାରଣ

????????????????????????????????????

କୁଳପତି ପ୍ରଫେସର ଈଶାନ୍‌ କୁମାର ପାତ୍ରଙ୍କ ଘୋଷଣାକ୍ରମେ ରେଭେନ୍ସା ମହାମିଳନରେ ଯୋଗ ଦେଇଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଲାଗି ଆଜି କ୍ୟାମ୍ପସରେ କୌଣସି ବାରଣ ନ ଥିଲା। ସମସ୍ତ ବିଭାଗ ଖୋଲା ରହିଥିଲା। ବୁଲିବା ଉପରେ ବି କୌଣସି କଟକଣା ରଖାଯାଇ ନ ଥିଲା। ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଭାଗକୁ ଯିବା ସହ କ୍ଲାସରୁମ୍‌, ହଷ୍ଟେଲ ବୁଲିଥିଲେ। ସେହିପରି କିଛି ଅଧ୍ୟାପକ ରେସିଡେଣ୍ଟକୁ ଯାଇ ପୁରୁଣା ଦିନର ସ୍ମୃତିକୁ ତାଜା କରିଥିଲେ। ତେବେ ମହାମିଳନକୁ ଆସିଥିବା ବହୁ ପୁରାତନ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ର ବିଭିନ୍ନ ସ୍ଥାନରେ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା।

ରେଭେନ୍ସା ଛାଡ଼ିବା ଦିନ ବହୁତ କାନ୍ଦିଥିଲି
ରେଭେନ୍ସା ଅନେକ ସଫଳ ମଣିଷକୁ ତିଆରି କରିଛି । ଯେଉଁମାନେ ରାଜ୍ୟ ଓ ଦେଶର ବିକାଶରେ କାମ କରିଛନ୍ତି। ଏପରି ଉତ୍ସବ ଆୟୋଜନ କରାଯାଇ ସେହି ସଫଳ ବ୍ୟକ୍ତିଙ୍କୁ ରେଭେନ୍ସାକୁ କିଛି ଫେରାଇବାକୁ ସୁଯୋଗ ଦିଆଯାଉ। ଯେଉଁଦିନ ରେଭେନ୍ସା ଛାଡିଥିଲି ଗେଟ ପାଖରେ ବ୍ୟାଗକୁ ଧରି ବହୁତ କାନ୍ଦିଥିଲି ମାତ୍ର ଆଜି ଏଠାକୁ ପ୍ରତିବର୍ଷ ଆସିବାକୁ ସୁଯୋଗ ସୃଷ୍ଟି ହୋଇଥିବାରୁ ବହୁତ ଆନନ୍ଦ ଲାଗୁଛି।
କୃଷ୍ଣ ସଗରିଆ, କୋରାପୁଟ ବିଧାୟକ
ଜୀବନ୍ୟାସ ପାଇଲା ଭଳି ଲାଗୁଛି
ରେଭେନ୍‌ସାକୁ ପୁଣି ଆସିଲା ପରେ ଜୀବନ୍ୟାସ ପାଇଲା ଭଳି ଲାଗୁଛି। ବିଭିନ୍ନ ବର୍ଗର ଓ ସମୟର ଲୋକଙ୍କ ସମାବେଶ ହୋଇଛି। ଏକ ସୃଷ୍ଟି ମୁଖ ଉଜ୍ଜୀବନ ଯାହାକୁ ରେଭେନସା ଅପେକ୍ଷା କରିଥିଲା, ତାହା ଏଠାରେ ସଫଳ ହୋଇଛି। ସେତେବେଳର ଆତ୍ମିକ ବନ୍ଧନ ଏବେ ଆଙ୍ଗିକ ହୋଇପଡ଼ିଛି। ଆମେ ପରସ୍ପର ସହ ମିଶୁଛୁ କିନ୍ତୁ ଆତ୍ମାର ଆବେଗ ରହୁନି। ମହାମିଳନ ଦ୍ୱାରା ଏବେ ତାହା ଯୋଡି ହୋଇଯାଇଛି।
ହେମେନ୍ଦ୍ର ନାରାୟଣ ଦାସ, ପୁରାତନ ଛାତ୍ର
ଅନେକ ମଧୁର ସ୍ମୃତି ରହିଛି
ରେଭେନ୍ସା ଯେପରି ଥିଲା ସେପରି ରହିଛି। ଏହାର ରଙ୍ଗକୁ ଦେଖିଲେ ପୁରୁଣା ସ୍ମୃତି ମନ ଭିତରକୁ ଆସିଯାଉଛି। ମୁଁ େଓ୍ଵଷ୍ଟ ହଷ୍ଟେଲରେ ରହୁଥିଲି। ଏହା ପରିସରରେ ଅନେକ ମଧୁର ସ୍ମୃତି ରହିଛି। ଏହା ଜୀବନର ଶେଷ ସମୟରେ ମୋତେ ଅନେକ ସାହାର୍ଯ୍ୟ କରୁଛି।
ମୁକରାମ ଖାନ୍‌, ପୁରାତନ ଛାତ୍ର
ଏଠାରେ ପାଦଦେଲେ ମନରେ ଭକ୍ତି ଭରିଯାଏ
୧୯୮୧ ରୁ ୮୭ ମଧ୍ୟରେ ଏଠାରେ ପଢିବାର ସୁଯୋଗ ପାଇଥିଲି। ରେଭେନ୍ସାର ୧୫୦ ବର୍ଷ ଇତିହାସର ଛାତ୍ର ସଂସଦରେ ଜଣେ ମାତ୍ର ସଭାନେତ୍ରୀ ହେବାର ଅନୁଭୂତି କିଛି ନିଆରା। ରେଭେନ୍ସା ମୋତେ ଓଡ଼ିଶାରେ ପରିଚିତ କରାଇଛି। ଯେବେ ବି ଏହାର ମାଟିରେ ପାଦ ଦିଏ, ଏକ ଭକ୍ତିଭାବ ମନ ଭିତରକୁ ଆପେ ଆସିଯାଏ।

????????????????????????????????????

ଅର୍ଚ୍ଚନା ନାୟକ, ପୂର୍ବତନ ସାଂସଦ
ଆଗକୁ ଯିବାକୁ ରେଭେନ୍ସା ଉତ୍ସାହ ଦେଇଛି
ରେଭେନ୍ସାରେ ପଢିବା ସମୟରେ ଲଗାତାର ତିନିବର୍ଷ ଧରି ଖେଳରେ ଚାମ୍ପିଅନ ହୋଇଥିଲା। ଯାହାକୁ ୨୦୧୧ ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନଥିଲେ। ଏଠାରେ ୧୫ ବର୍ଷଧରି ଭୂଗୋଳ ବିଭାଗରେ ଶିକ୍ଷାଦାନ କରିଛି। ରେଭେନ୍ସା ମୋତେ ଆଗକୁ ଯିବା ପାଇଁ ବହୁ ଉତ୍ସାହିତ କରିଛି। ଆଜିର ମହାମିଳନ ଉତ୍ସବରେ ନିଜକୁ ସାମିଲ କରିଥିବାରୁ ବହୁତ ଖୁସି ଲାଗୁଛି।
ନନ୍ଦିତା ପ୍ରଧାନମିଶ୍ର, ଅବସରପ୍ରାପ୍ତ ଅଧ୍ୟାପିକା
ସବୁବର୍ଷ ଏ ଉତ୍ସବ ହେଉ
ଏ ମହାମିଳନ ବେଶ୍‌ ନିଆରା ଥିଲା। ନିର୍ଦ୍ଦିଷ୍ଟ କୌଣସି ବ୍ୟାଚ୍‌ର ଛାତ୍ରଛାତ୍ରୀ ଏକାଠି ନହୋଇ ଏଥିରେ ବରିଷ୍ଠ, କନିଷ୍ଠ ସମସ୍ତେ ଏକାଠି ହୋଇପାରିଲୁ। ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ଏକାଠି ହେବା କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଛି। ଏପରି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷହେବ ଆଶା ରଖୁଛି।ଏପରି ଏକ ସଫଳ କାର୍ଯ୍ୟକ୍ରମ କରିଥିବାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅନେକ ଅନେକ ଶୁଭେଚ୍ଛା।
ବୁଦ୍ଧାଦିତ୍ୟ ମହାନ୍ତି, ଅଭିନେତା
ପୁରାତନ ବନ୍ଧୁଙ୍କୁ ଭେଟି ଖୁସି ଲାଗିଲା
ଏ ମହାମିଳନ ଏକ ଅତୁଳନୀୟ ଘଟଣା।ଏହା ମନୋଜ ଦାସ, ଯୋଗେଶ ପତିଙ୍କ ପରି ବହୁ ବିଶିଷ୍ଟ ପୁରାତନ ଛାତ୍ରଙ୍କୁ ଏକାଠି କରିପାରିଛି। ଅନେକ ପୁରାତନବନ୍ଧୁଙ୍କୁ ଭେଟି ଖୁସି ଲାଗିଲା।
ସୁବାସ ମହାନ୍ତି, ପୁରାତନ ଛାତ୍ର

ସମ୍ବନ୍ଧିତ ଖବର