୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ,୨ ଗିରଫ

ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଟୋଲ୍‌ଗେଟ୍‌ ଛକରୁ ବ୍ରାଉନ୍‌ସୁଗାର ବେପାର କରୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଖୋର୍ଦ୍ଧା ନବୀନାବାଗ ଅଞ୍ଚଳର ବ୍ରଜ ପଟନାୟକ (୪୮) ଓ ଚନ୍ଦକା ଥାନା ଗଙ୍ଗପଡ଼ା ଗୋପୀନାଥପୁର କଲୋନି‌ରେ ରହୁଥିବା ନୟାଗଡ଼ ଜିଲ୍ଲା ରଣପୁର ଗଡ଼ବାଣିକିଲର ବିଶ୍ବରଂଜନ ପରିଡ଼ା ଓରଫ୍ ଟିକିଲି (୨୭)। ସେମାନଙ୍କଠାରୁ ୬୦ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୂଚନାନୁସାରେ, ଗତକାଲି ବ୍ରଜ ଓ ଟିକିଲି ଗଙ୍ଗପଡ଼ା ପୁରୁଣା ଟୋଲ୍‌ଗେଟ୍‌ ଛକରେ ଥିବା ବେଳେ କ୍ୟୁଏଟି ଓ ଯାଁଳା ଫାଣ୍ଡି ପୁଲିସ ସେଠାରେ ଚଢ଼ଉ କରିଥିଲା। ବ୍ରଜ ଖୋର୍ଦ୍ଧାରୁ ଆସି ଗଙ୍ଗପଡ଼ା ଛକରେ ଅପେକ୍ଷା କରିଥିଲା ଓ ଟିକିଲି ଆସିବା ପରେ ସେମାନେ ସାଙ୍ଗ ହୋ‌ଇ ବେପାର କରିବାକୁ ଖଣ୍ଡଗିରି ଯିବାର ଥିଲା। ମାତ୍ର ପୂର୍ବରୁ ଛକି ରହିଥିବା ପୁଲିସ ସେମାନଙ୍କୁ ଘେରି ଯାଇଥିଲା। ଯାଞ୍ଚ କଲା ବେଳେ ସେମାନଙ୍କ ଗାଡ଼ି ଦୁଇଟିରୁ ୬୦ ଗ୍ରାମ୍‌ ବ୍ରାଉନ୍ ସୁଗାର ମିଳିଥିଲା। ଦୀର୍ଘ ଦିନ ଧରି ସେମାନେ କଳିଙ୍ଗନଗର, ଖଣ୍ଡଗିରି, ଯାଁଳା, ତମାଣ୍ଡୋ, ପାତ୍ରପଡ଼ା, ବରମୁଣ୍ଡା ଓ ଭରତପୁର ଆଦି ଅଞ୍ଚଳରେ ଏହି ଜହର କାରବାର ଚଳାଇ ଆସିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଅଭିଯୁକ୍ତଦ୍ବୟ ଖୋର୍ଦ୍ଧାରୁ ଭୁବନେଶ୍ବରକୁ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ବେଳେ ଏମାନଙ୍କ ମାଷ୍ଟର ମାଇଣ୍ଡ ଜଳେଶ୍ବରରୁ ମାଲ୍ ଆଣୁଥିବା ପୁଲିସକୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର