ସରସ୍ବତୀ ପୂଜାକୁ ଆଉ ୬ଦିନ: ଦ୍ବନ୍ଦ୍ବରେ ଶିକ୍ଷାନୁଷ୍ଠାନ, କାରିଗର

ଓଡ଼ିଆ କାରିଗରଙ୍କ ମୂର୍ତ୍ତି ବିକ୍ରି ହେଉନି

ଭୁବନେଶ୍ୱର: ଆଉ ମାତ୍ର ୬ଦିନ ପରେ ପୂଜା ପାଇବେ ବିଦ୍ୟାଦାତ୍ରୀ ମା’ ସରସ୍ବତୀ। କିଏ ବାଦ୍ୟ ଯନ୍ତ୍ରର ସୁମଧୁର ମୂର୍ଚ୍ଛନାରେ ତ’ ଆଉ କିଏ ଅଗରୁ ଚନ୍ଦନର ମହମହ ବାସ୍ନାରେ ମା’ଙ୍କୁ ସ୍ବାଗତ କରିବେ। ଏଥିପାଇଁ ଛାତ୍ରଛାତ୍ରୀ ଓ ଭକ୍ତ ଉତ୍ସାହିତ। କିନ୍ତୁ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ଅନୁଷ୍ଠାନରେ ମା’ଙ୍କ ପୂଜା ନେଇ ଅନୁମତି ମିଳିବ କି ନାହିଁ ଦ୍ବନ୍ଦ୍ବ ରହିଛି। ଏଥିସହ ମୂର୍ତି କାରିଗରମାନେ ବି ଦ୍ବନ୍ଦ୍ବରେ। ବରାଦ ଆସି ନ ଥିବାରୁ ଅଧିକ ସଂଖ୍ୟକ ମୂର୍ତି ଗଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି କାରିଗର କୁଳ।

ବିଦ୍ୟାଦାତ୍ରୀ ମା’ ସରସ୍ବତୀ ଧରାପୃଷ୍ଠକୁ ଅବତରଣ କରିବେ। ବର୍ଷର ଏହି ଦିନ ସମସ୍ତ ଶିକ୍ଷାନୁଷ୍ଠାନରେ ଖୁବ୍‌ ଜାକଜକମରେ ପାଳିତ ହୁଏ ସରସ୍ୱତୀ ପୂଜା। କାରିଗରମାନେ ବି ଗ୍ରାହକଙ୍କ ବରାଦ ଅନୁଯାୟୀ ମୂର୍ତି ଗଢ଼ି ଦିଅନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ସେମାନଙ୍କ ବେଉଷା ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। କରୋନା କଟକଣା ଯୋଗୁଁ ସମସ୍ତ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦୁର୍ଗା ପୂଜା, ଗଣେଶ ପୂଜା, କାଳୀପୂଜା ଓ ଲଷ୍ମୀ ପୂଜା ଆଦି ସମୟରେ କାରିଗରମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି। ଏବେ କରୋନା କଟକଣା କୋହଳ ହୋଇଥିବାରୁ ସରସ୍ୱତୀ ପୂଜାରେ ଭଲ ଦୁଇ ପଇସା ବେପାର ପାଇଁ କାରିଗରମାନେ ଆଶା ରଖିଥିଲେ। କିନ୍ତୁ ଅଧିକାଂଶ ଶିକ୍ଷାନୁଷ୍ଠାନ ବନ୍ଦ ଓ ସରସ୍ୱତୀ ପୂଜା ପ୍ରତି ଲୋକଙ୍କ ବିମୁଖ ଭାବ ଯୋଗୁଁ ସରସ୍ବତୀ ପୂଜା ମୂର୍ତି କାରିଗର ହାତବାନ୍ଧି ବସିଛନ୍ତି।

ଅନ୍ୟପଟେ ଓଡ଼ିଶା ମୂର୍ତ୍ତି ବଜାରରେ ଓଡ଼ିଆ କାରିଗରଙ୍କ ମୂର୍ତ୍ତି ବିକ୍ରି କରି ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇଛି। ବଙ୍ଗାଳୀ କାରିଗରଙ୍କ ମୂର୍ତି ଶସ୍ତା ଓ ସୁନ୍ଦର ହୋଇଥିବାରୁ ଲୋକମାନେ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳ‌ରେ ଓଡ଼ିଶା କାରିଗରୀର ସ୍ବାତନ୍ତ୍ର୍ୟ ଧୀରେଧୀରେ ହଜିଯିବାରେ ଲାଗିଛି। ଯେଉଁ କାରିଗର ସରସ୍ୱତୀ ପୂଜାରେ ୨୦-୨୫ ମୂର୍ତ୍ତି ବିକ୍ରି କରୁଥିଲା ଏବେ ସେ କଷ୍ଟେମଷ୍ଟେ ୧୦ ଟି ମୂର୍ତ୍ତି ବିକ୍ରି କରିବା ମଧ୍ୟ ସମ୍ଭବ ହେଉନାହିଁ। କିଛି କାରିଗର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଛାଡ଼ି ଅନ୍ୟ କାମ କରି ପରିବାର ପ୍ରତିପୋଷଣ କରିବା ନଜିର ରହିଛି।
ପୁରୁଣା ଭୁବନେଶ୍ୱରର ପ୍ରସିଦ୍ଧ ମୂର୍ତି କାରିଗର ଟିକନ ମହାପାତ୍ର କହିଛନ୍ତି, ବିଗତ କିଛି ବର୍ଷ ହେବ ସରସ୍ୱତୀ ପୂଜା ବେପାର ସଂପୂର୍ଣ୍ଣ ମାନ୍ଦା। ନିଜ ଘରେ ସରସ୍ୱତୀ ପୂଜା ପ୍ରାୟ ଲୋକ କରନ୍ତି ନାହିଁ। ୧୫ ବର୍ଷ ତଳେ ସମସ୍ତ ବଡ଼ ବଡ଼ ସ୍କୁଲ କଲେଜରୁ ମୂର୍ତି ପାଇଁ ଆଗୁଆ ବରାଦ ଆସୁଥିଲା। କିନ୍ତୁ ଗତ ୨/୩ ବର୍ଷ ହେଲା ସରସ୍ବତୀ ପୂଜା ପାଇଁ ଏମିତି କ’ଣ ପାଇଁ ଆଗ୍ରହ କମିଲା ତାହା ବୁଝା ପଡ଼ୁନାହିଁ। ଅନ୍ୟପଟେ ବଙ୍ଗାଳୀ କାରିଗରଙ୍କ ଚାଲୁ ଓ ଶସ୍ତା କାମକୁ ଓଡ଼ିଆ ଲୋକ ଅଧିକ ପସନ୍ଦ କରୁଛନ୍ତି। ଓଡ଼ିଆ କାରିଗରୀ ସମ୍ପୂର୍ଣ୍ଣ ଅଲଗା। ମା’ଙ୍କ ମୁହଁ ସହ ତାଙ୍କର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଆମେ ନିଖୁଣ ଭା‌ବେ ଖୋଦେଇ କରି ନିର୍ମାଣ କରୁ। କିନ୍ତୁ ବଙ୍ଗାଳୀ କାରିଗର ଅଧା ଆବକ୍ଷ ପ୍ରତିମୂର୍ତି ନିର୍ମାଣ କରି ସେଥିରେ ବସ୍ତ୍ର ଓ କେଶ ସାହାଯ୍ୟରେ ଢାଙ୍କି ଦିଅନ୍ତି। ଏଣୁ ତାଙ୍କର ମୂର୍ତିର ଦାମ୍‌ ବି କମ୍‌ ରହେ। ଆମର ଯେଉଁ ମୂର୍ତିର ଦାମ୍‌ ୭ ହଜାର ଟଙ୍କା ହୋଇଥାଏ, ସେମାନଙ୍କଠାରୁ ତାହା ୩ରୁ ୪ ହଜାରରେ ମିଳିଯାଏ। ଦିନେ ଦୁଇ ଦିନ ପାଇଁ ଏତେ ଅଧିକ ଟଙ୍କା କାହିଁକି ଦେବୁ ଭାବି ଲୋକମାନେ ବି ବଙ୍ଗାଳୀ କାରିଗରଙ୍କ ତିଆରି ମୂର୍ତ୍ତି କିଣି ନେଉଛନ୍ତି। ପ୍ରତି ବର୍ଷ ମୂର୍ତ୍ତି ବିକ୍ରି କରି ୪/୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏ ବର୍ଷ ପଚାଶ ହଜାର ଟଙ୍କା ରୋଜଗାର କରିବା ବି ମୋ ପାଇଁ କଷ୍ଟକର ହୋଇଯାଇଛି।

ସେହିପରି ଅନ୍ୟ ଜଣେ ମୂର୍ତ୍ତି କାରିଗର ଶ୍ରୀକାନ୍ତ କୁମାର ମାଝୀ କୁହନ୍ତି, ଏ ବର୍ଷ ମୂର୍ତ୍ତି ବେପାର ସମ୍ପୂର୍ଣ୍ଣ ମାନ୍ଦା। କରୋନା ମାଡ଼ ପରେ ଲୋକମାନେ ବଙ୍ଗାଳୀ ମୂର୍ତ୍ତି ଓ କମ ଦର ପ୍ରତି ଆଗ୍ରହ, ଓଡ଼ିଶା କାରିଗରଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏଥିସହ ଶିକ୍ଷାନୁଷ୍ଠାନମାନଙ୍କରେ ସରସ୍ୱତୀ ପୂଜା ଉପରେ କଟକଣା ଫଳରେ ସରସ୍ୱତୀ ମୂର୍ତ୍ତି ବିକ୍ରି ଏ ବର୍ଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା କହିଲେ ଚଳେ। କେବଳ ହାତ ଗଣତି କେତେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ତରଫରୁ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ହୋଇଛି। ମୂର୍ତ୍ତି ନିର୍ମାଣ ପାଇଁ ଭୁବନେଶ୍ବରର ମୂର୍ତ୍ତି କାରିଗର ମାନେ ସୁନ୍ଦରପଦା, ଗାଙ୍ଗୁଆ ବ୍ରିଜ, ଜଟଣୀ, ନିମାପଡ଼ାର ଚାରିଛକ ଆଦି ସ୍ଥାନରୁ ଚିକିଟା ମାଟି ଆଣୁଥିବା ବେଳେ ନାଲିମାଟି ଖଣ୍ଡଗିରିରୁ ଆସିଥାଏ।
ମୂର୍ତି କାରିଗରମାନେ ଏଥର ପଦ୍ମ ଉପରେ ବସିଥିବା ସ୍ବରସ୍ବତୀ, ହଂସ ଉପରେ ବିରାଜମାନ ସରସ୍ବତୀ, ସିଂହାସନ ସରସ୍ବତୀ, ପଦ୍ମ ପାଖୁଡ଼ା ଓ ପଦ୍ମ ପତ୍ରରେ ବସିଥିବା ସରସ୍ବତୀଙ୍କ ସହ ମୟୂର ଉପରେ ବସିଥିବା ସରସ୍ବତୀ ଆଦି ମୂର୍ତି ତିଆରି କରିଛନ୍ତି। ଏହି ସବୁର ଉଚ୍ଚତା ୭ରୁ ୮ ଫୁଟ ଯାଏଁ ରହିଥିବା ବେଳେ ୪ ହଜାରରୁ ଆରମ୍ଭ କରି ୭ ହଜାର ପର୍ଯ୍ୟନ୍ତ ଏହାର ଦାମ୍‌ ରହିଛି।

ସମ୍ବନ୍ଧିତ ଖବର