କାଳ୍ପନିକ ଜଗତରେ ବଞ୍ଚୁଥିବା ଏକ ମଣିଷର କଥା

ଷଷ୍ଠ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୧୮

ଭୁବନେଶ୍ୱର: ରବି ମଜୁମ୍‌ଦାର ଜଣେ ଫରେଷ୍ଟ ଗାର୍ଡ। ତା’ର ନିଯୁକ୍ତି ହୋଇଛି ସହରଠାରୁ ବହୁଦୂର ଏକ ଘଞ୍ଚ ଜଙ୍ଗଲ ଇଲାକାରେ। ନା’ ସେଠି ଅଛନ୍ତି ମଣିଷ ନା ଅଛି ରବିର ପରିବାର। ଏକୁଟିଆ ରେଳ ଲାଇନକୁ ସନ୍ତ୍ରାସବାଦୀଙ୍କ କବଳରୁ ରକ୍ଷା କରିବା ଥିଲା ତା’ର ଦାୟିତ୍ୱ। ଦୀର୍ଘ ୧୫ବର୍ଷ ଭିତରେ ସେ ଭୁଲି ଯାଇଛି ଘରଦ୍ୱାର, ପରିବାର, ସମାଜ ଓ ମାନବିକତାର ସଜ୍ଞା। ଭୁଲି ଯାଇଛି ବି ମଣିଷ ସହିତ ମଣିଷର ସମ୍ପର୍କ। ଏମିତି ଏକ ବଙ୍ଗଳା ନାଟକ ଆଜି ପରିବେଷିତ ହୋଇଛି ରବୀନ୍ଦ୍ର ମଣ୍ଡପରେ। ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଅଫ ଥିଏଟର (ଅଜିତ) ସଂସ୍ଥା ପକ୍ଷରୁ ଚାଲିଥିବା ଷଷ୍ଠ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୧୮ର ଆଜି ଥିଲା ଶେଷ ସଂଧ୍ୟା। ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଥିବା ଏହି ନାଟକର ମୁଖ୍ୟ ଆକର୍ଷଣ ଥିଲା ଫରେଷ୍ଟ ଗାର୍ଡ ରବିର ଆତ୍ମଘାତୀ କାର୍ଯ୍ୟ। ରବି ଏହି ଜଙ୍ଗଲ ଭିତରେ ରହି ପାଲଟି ଯାଇଛି ଏକ ଜଙ୍ଗଲୀ ପଶୁ। ଏମିତି ଭାବେ ସମୟ କଟୁଥିବା ବେଳେ ସେ ଶୁଣିବାକୁ ପାଇଛି ଆତ୍ମଘାତୀ ବୋମା ଧାରଣ କରିଥିବା ଏକ ସନ୍ତ୍ରାସବାଦୀ ଝିଅ ସଂପର୍କରେ। ସେ ଝିଅଟି ଏମିତି ରାସ୍ତା କାହିଁକି ଧରିଛି ବୋଲି ରବି ପଚାରି ଚାଲିଛି ପ୍ରଶ୍ନ ପରେ ପ୍ରଶ୍ନ। ଶେଷରେ ଝିଅଟି ମାନିଛି ଯେ ସେ ରାଜଧାନୀ ଏକ୍ସପ୍ରେସକୁ ବୋମା ବିସ୍ଫୋରଣ କରି ଉଡ଼େଇ ଦେବା ପାଇଁ ପ୍ରସ୍ତୁତ ହୋଇଛି। ଏହା ଶୁଣି ରବିର ମନେପଡ଼ିଛି ତାର ପରିବାର, ଘର ଓ ଅତୀତର କଥା। ହେଲେ ଏହି ଦୁର୍ଘଟଣା ଘଟିବା ପୂର୍ବରୁ ସେ ଆତ୍ମହତ୍ୟା କରିଛି। ଏମିତି ଏକ କାଳ୍ପନିକ ଜଗତରେ ବଞ୍ଚି ରହିଥିବା ମଣିଷକୁ ନେଇ ପରିବେଷିତ ହୋଇଥିଲା ନାଟକ ‘ଆତ୍ମଘାାତୀ’। ‘ବହୁରୂପୀ’ ପକ୍ଷରୁ ପରିବେଷିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଦେବେଶ ରାୟ ଚୌଧୁରୀ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ସମ୍ମାନିତ ଅତିଥି ଭାବେ ବିଜୟ ଜେନା ଯୋଗ ଦେଇଥିଲେ। ସଭାରେ ଦେବେଶ ରାୟ ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର