ଷଷ୍ଠ ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ, ମନ ମୋହିଲା ହିଡ଼ିମ୍ବି କାହାଣୀ

ଭୁବନେଶ୍ୱର: ଆଜି ଭଞ୍ଜ କଳାମଣ୍ଡପରେ ଓଡ଼ିଶୀ ଛନ୍ଦରେ ପରିବେଷଣ ହୋଇଥିଲା ମହାଭାରତ ଯୁଦ୍ଧର ହିଡ଼ିମ୍ବି କାହାଣୀ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଶ୍ବରୂପା ଦିସଇଁତଙ୍କ ପରିବେଷିତ ହିଡ଼ିମ୍ବି ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ। କୁରୁ-ପାଣ୍ଡବ ମହାଭାରତ ମହାଯୁଦ୍ଧରେ ତାଙ୍କ ପୁତ୍ରର ନିଧନ ଉପରେ ଆଧାରିତ ଏହି ପ୍ରଦର୍ଶନ ନୃତ୍ୟ ନୈବେଦ୍ୟ ଓଡ଼ିଶୀ ଉତ୍ସବ -୨୦୨୨ର ଉଦ୍‌ଘାଟନ ଉତ୍ସବରେ ବେଶ୍ ଆକର୍ଷଣୀୟ ହୋଇଥିଲା। ପ୍ରଥମେ ଓଡ଼ିଶୀ ସଙ୍ଗୀତକାର ମାତୃପ୍ରସାଦ ଦାସ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ।

ରାଗ କେଦାରଗୌରୀ ତାଳ ଏକତାଳିରେ ନୈବେଦ୍ୟ ସଙ୍ଗୀତ ପରିବେଷଣ କରି ସେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସେହିଭଳି ପ୍ରତାପ ବାରିକ ପ୍ରକୃତି ପୁରୁଷ ପରିବେଷଣ କରିଥିଲେ। ଏହାର ରାଗ ଥିଲା ରାଗମାଳିକା ଓ ତାଳ ଥିଲା ତାଳ ମାଳିକା। ଶେଷରେ ସଂଗୀତା ଛୋଟରାୟ ବିଳାହାରି ପଲ୍ଲବୀ ପରିବେଷଣ କରିଥିଲେ। ଏହି ଉତ୍ସବରେ ଅତିଥି ଭାବେ କବି ଶଙ୍କର ପରିଡ଼ା, ନୃତ୍ୟ ଗୁରୁ ଅରୁଣା ମହାନ୍ତି, ଓଡ଼ିଆ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଡ୍ୟାନ୍ସ କ୍ରିଟିକ୍‌ ମୁଖ୍ୟ ଅଧିକାରୀ ଶ୍ୟାମହରି ଚକ୍ର, ପ୍ରଭାତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱଜିତ୍ ବଳିୟାରସିଂହ ମଞ୍ଚ ସଂଚାଳନା କରିଥିବା ବେଳେ ଗୁରୁ ଧନେଶ୍ବର ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର