ଟ୍ରାଫିକ୍ ଜାମ୍‌ ପାଇଁ ଗୋଟିଏ ଦିନରେ ୭ ଦୁର୍ଘଟଣା

ଚନ୍ଦ୍ରଶେଖରପୁର: ଜନତା ମଇଦାନରେ ଚାଲିଥିବା କାର୍ଯ୍ୟକ୍ରମ ନେଇ ଆଜି ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ଟ୍ରାଫିକ୍ ଜାମ ଦେଖାଯାଇଥିବା ବେଳେ ଉକ୍ତ ରାସ୍ତାରେ ୭ଟି ଛୋଟ ଦୁର୍ଘଟଣା ଘଟିଥିଲା। ଏଥିରେ କେହି ଗୁରୁତର ଆହତ ହୋଇ ନଥିଲେ ମଧ୍ୟ ଚାଳକମାନଙ୍କ ମଧ୍ୟରେ ପ୍ରବଳ ବଚସା ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଚନ୍ଦ୍ରଶେଖରପୁର ଥାନା ପିସିଆର୍ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଡମଣା ଛକରେ ଦୁଇଟି କାର୍ ପରସ୍ପରକୁ ଧକ୍କା ଦେବାରୁ ଉଭୟ ଗାଡ଼ି ଚେପା ହୋଇଯାଇଥିଲା। ଡମଣା-ଶୈଳଶ୍ରୀବିହାର ରାସ୍ତାରେ ଦ୍ରୁତଗାମୀ ଏକ କାର୍ ଧକ୍କାରେ ଉପେନ୍ଦ୍ର ନାଥ ସାହୁ ନାମକ ଜଣେ ବ୍ୟବସାୟୀ ରାସ୍ତା ପାର୍‌ ହେଉଥିବା ବେଳେ ଆହତ ହୋଇଥିଲେ। କାର୍ ଚକ ତାଙ୍କ ପାଦ ଉପରେ ଚଢ଼ି ଯାଇଥିଲା। ବିଡିଏ ଫଳ ହାଟ ନିକଟରେ ୟୁ-ଟର୍ଣ୍ଣ ନେଉଥିବା ଏକ କାର୍ ମନୋଜ ପାତ୍ର ନାମକ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ବାଇକ୍ ଭାଙ୍ଗି ଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଓମଫେଡ଼୍ ଛକରେ ମଞ୍ଚେଶ୍ବର ରେଳୱେ କଲୋନି ଦିଗରୁ ଆସୁଥିବା ଏକ କାର୍ ଧକ୍କାରେ ଡମଣା ଦିଗରୁ ଆସୁଥିବା କିଶୋର ମହାନ୍ତି ନାମକ ଜଣେ ବାଇକ୍ ଆରୋହୀ ଆହତ ହୋଇଥିଲେ। ନାଲ୍‌‌କୋ ଛକରେ ଟ୍ରାଫିକ୍‌ ସିଗନାଲ୍ ଦେଖି ସୁକାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ନିଜ କାର୍ ବ୍ରେକ୍ ଦେଇ ଜେବ୍ରା କର୍ସିଂରେ ଗାଡ଼ି ରଖିଥିବା ବେଳେ ଆଉ ଏକ କାର୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। କଳିଙ୍ଗ ହସ୍ପିଟାଲ୍ ଦିଗରୁ ବିଡିଏ ଯାଉଥିବା ଏକ କାର୍ ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ। ସେହିପରି ଜାଭିୟର୍‌ ଛକରେ ରାସ୍ତା ପାର୍‌ ହେଉଥିବା ସାଲିଆସାହିର ଦୁଇ ମହିଳାଙ୍କୁ ନାଲ୍‌କୋ ଦିଗରୁ ଯାଉଥିବା ଏକ କାର୍‌ ଧକ୍କା ଦେବାରୁ ସେମାନେ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର