ଭୁବନେଶ୍ବର: ରାଜଧାନୀରେ ଛିନ୍ତାଇ କରି ଚମ୍ପଟ ମାରୁଥିବା କୁଖ୍ୟାତ ବିଷ୍ଣୁପ୍ରସାଦ ଜେନା(୨୧)କୁ କମିସନରେଟ୍ ପୁଲିସ ପୁରୀରୁ ଗିରଫ କରିଛି। ରାଜଧାନୀରେ ପ୍ରାୟ ୧୫ଟି ଛିନ୍ତାଇ କରି ପୁଲିସର ନିଦ ହଜାଇ ଦେଇଥିବା ବିଷ୍ଣୁଠାରୁ ୭ଟି ସୁନା ଚେନ୍ ଜବତ କରାଯାଇଛି।
ଗତ ୨୧ ତାରିଖ ଦିନ ପାତ୍ରପଡ଼ା ଅଞ୍ଚଳର ଆକାଶ କୁମାର ଗୁପ୍ତା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବାଲିଅନ୍ତା ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଇସ୍କନ ମନ୍ଦିର ସମୁଖରେ ବିଷ୍ଣୁ ତାଙ୍କୁ ଅଟକାଇବା ସହ ସୁନା ଚେନ୍ ଛିଡ଼ାଇ ନେଇଥିଲା। ତେବେ ସେ ଏକ ପଲ୍ସର ବାଇକ୍ରେ ଦ୍ରୁତବେଗରେ ପଳାଉଥିବା ବେଳେ ଆକାଶ ଗାଡ଼ି ନମ୍ବର ମନେରଖିଦେଇଥିଲେ। ଆକାଶ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗାଡ଼ିର ନମ୍ବର ଯାଞ୍ଚ କରି ଏକ ଓୟୋ ହୋଟେଲରେ ପହଞ୍ଚିଥିଲା। ସେଠାରୁ ଉକ୍ତ ବାଇକ୍ ମିଳିଥିଲା।
ଓୟୋର କର୍ମଚାରୀମାନେ ପୁଲିସକୁ ବିଷ୍ଣୁ ବିଷୟରେ ସୂଚନା ଦେଇଥିଲେ। କିନ୍ତୁ ସେତେବେଳକୁ ବିଷ୍ଣୁ ଓୟୋ ଛାଡ଼ିପଳାଇଥିଲା। ତେବେ ଓୟୋରେ ଦେଇଥିବା ପରିଚୟ ପତ୍ରରୁ ପୁଲିସ ଠିକଣା ପାଇ ପୁରୀରେ ଚଢ଼ଉ କରି ତାକୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଧୂର୍ତ୍ତ ବିଷ୍ଣୁ ପୁରୀରୁ ଆସି ଭୁବନେଶ୍ବରରେ ବିଭିନ୍ନ ଓୟୋ କିମ୍ବା ଛୋଟ ହୋଟେଲରେ ରହୁଥିଲା। ସେଠାରେ କର୍ମଚାରୀମାନଙ୍କ ସହ ବନ୍ଧୁତା ଜମାଉଥିଲା। ବିଭିନ୍ନ କାମର ବାହାନା କରି ସେ ହୋଟେଲ କର୍ମଚାରୀଙ୍କଠାରୁ କିମ୍ବା ହୋଟେଲରୁ ସ୍ପିଡ୍ ବାଇକ ଭଡ଼ାରେ ନେଇ ବୁଲିବୁଲି ଛିନ୍ତାଇ କରୁଥିଲା। ଗୋଟିଏ ମିସନ୍ ସଫଳ ହେବା ପରେ ସେ ପୁରୀ ଫେରିଯାଉଥିଲା। କମିସନରେଟ୍ ପୁଲିସ ସ୍ଥାନୀୟ ଲୁଟେରା ଓ ଖବରୀଙ୍କୁ ପଚରାଉଚରା କରୁଥିଲେ ହେଁ ଧୂର୍ତ୍ତ ବିଷ୍ଣୁ ବାବଦରେ କେହି ଟେର୍ ପାଉନଥିଲେ। ପୁରୀ ପୁଲିସ ପିଛା କରିବା ପରଠୁ ବିଷ୍ଣୁ ରାଜଧାନୀ ମୁହାଁ ହୋଇଥିଲା।