ଗୋଟିଏ ପରିବାରର ୭ ପଜିଟିଭ୍‌, ଗାଁ ସିଲ୍‌

ବାଲିପାଟଣା: ସ୍ଥାନୀୟ ଭାପୁର ପଞ୍ଚାୟତର ଏକ ଗାଁରେ ଗୋଟିଏ ପରିବାରର ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗାଁରେ କୋକୁଆ ଭୟ ଖେଳି ଯାଇଛି। ପଞ୍ଚାୟତ ପକ୍ଷରୁ ଉକ୍ତ ଗାଁକୁ ସିଲ୍‌ କରାଯାଇଥିବାବେଳେ ଏହି ପରିବାର ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରାୟ ୧୩ ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ତେବେ ଗୋଟିଏ ପରିବାରରୁ ଏକାଥରକେ ଏତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଗୋଷ୍ଠୀ ସଂକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଛି।

ଗତ ୧୭ ତାରିଖରେ ଏହି ଗାଁର ଜଣେ ବ୍ୟବସାୟୀ କରୋନା ପିଜିଟିଭ୍‌ ବୋଲି ଚି଼ହ୍ନଟ ହୋଇଥିଲେ। ତେଣୁ ତାଙ୍କ ପରିବାରର ୯ ଜଣ ସଦସ୍ୟଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ କରୋନା ପଜିଟିଭ୍‌ ବୋଲି ରି‌ପୋର୍ଟ ଆସିଛି। ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ କୋଭିଡ୍‌ କେୟାର୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ସରପଞ୍ଚ ହେମନ୍ତ କୁମାର ସାହୁ ଉକ୍ତ ଗାଁକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସିଲ୍‌ କରିଛନ୍ତି। ୧୭ ତାରିଖ ପରେ ଏହି ଗାଁକୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ସିଲ୍‌ କରାଯାଇଥିଲା। ତେଣୁ ଦୁଇ ସପ୍ତାହରେ ଏହି ଗାଁ ଦୁଇ ଦୁଇ ଥର କଣ୍ଟେନ୍‌ମେଣ୍ଟ ଜୋନ୍ ହୋଇ ସାରିଲାଣି। ଏହି ପରିବାର ସଂସ୍ପର୍ଶରେ ଆସିଥିବା ୧୩ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ଖୁବ୍‌ ଶୀଘ୍ର ସେମାନଙ୍କ ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ସରପଞ୍ଚ ଶ୍ରୀ ସାହୁ କହିଛନ୍ତି। ସେହିଭଳି ଆଜି ଆମେଣାକୁଦ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ କରୋନା ପଜିଟିଭ୍‌ ବୋଲି ଚି଼ହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ବାଲିପାଟଣାରୁ ମୋଟ୍‌ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର