ନିଖୋଜର ୭ ଦିନ ପରେ ସାଇଫନ୍‌ ନିକଟରେ ନାବାଳକଙ୍କ ଶବ

ଧଉଳି/ବାଲିପାଟଣା: ବନମାଳୀପୁର ଡେରାସାହିର ନାରାୟଣ ପୃଷ୍ଟିଙ୍କ ପୁଅ ନୃସିଂହ(୧୭) ଥିଲେ ଜଣେ କଲେଜ ଛାତ୍ର। ଗତ ୩୧ ତାରିଖ ଗଣେଶ ପୂଜା ଦିନ ଟ୍ୟୁସନ୍‌ରେ ପୁଷ୍ପାଞ୍ଜଳି ଦେଲେ। ହଠାତ୍ ତା’ ପରେ ନିଖୋଜ ହୋଇଗଲେ। ବାଲିପାଟଣା ବସ୍‌ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମଗାର ପାଖରୁ ସାଇକେଲଟି ମିଳିଲା ସିନା‌ ତାଙ୍କ ପତ୍ତା ମିଳିଲା ନାହିଁ। ଆଜି ତାଙ୍କ ମୃତଦେହ ଭାର୍ଗବୀ ନଦୀ ପୁବାସାହି ସାଇଫନ୍‌ ନିକଟରୁ ମିଳିଛି। ୭ ଦିନ ପରେ ମୃତଦେହ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି। ତେବେ ପରିବାର ଲୋକଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଅଭିଯୋଗ କରାଯାଇନାହିଁ। ସନ୍ଦେହ ଉପୁଜିଥିବାରୁ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଶବକୁ ବ୍ୟବଚ୍ଛେଦ କରାଇବାକୁ କ୍ୟାପିଟାଲ ହସ୍ପିଟାଲକୁ ନପଠାଇ କଟକ ବଡ଼ ମେଡିକାଲକୁ ପଠାଇଛି। ଫୋରେନ୍‌ସିକ୍‌ ଲାବ୍‌ରେ ପରୀକ୍ଷଣ ହେବା ପରେ ନୃସିଂହଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ନୃସିଂହ ଜଣେ କଲେଜ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିବା ଚର୍ଚ୍ଚା ହେଉଛି। କୌଣସି କାରଣରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେଣୁ ଏକଦା ନୃସିଂହ ମାନସିକ ଭାରସାମ୍ୟ ହରାଇ ବ୍ଲେଡ୍‌ରେ ହାତ କାଟି ପକାଇଥିଲେ। ତଥାପି ଯୁବତୀଙ୍କୁ ମନାଇବାରେ ସେ ସଫଳ ହୋଇନଥିଲେ। ସେଥିପାଇଁ ସେ ଅଧିକାଂଶ ସମୟ ଗୁମ୍‌ସୁମ୍‌ ରହୁଥିଲେ। ୩୧ ତାରିଖ ଦିନ ଟ୍ୟୁସନ୍‌ରେ ଗଣେଶ ପୂଜା ହେଉଥିବା କହି ସେ ଘରୁ ବାଲିପାଟଣା ଆସିଥିଲେ।

ପୂଜାରେ ସାଙ୍ଗମାନଙ୍କ ସହ ଥିଲେ ଓ ପୁଷ୍ପାଞ୍ଜଳି ଦେଇଥିଲେ। କିନ୍ତୁ ଘରକୁ ଫେରିନଥିଲେ। ପରିବାର ଲୋକମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ପରଦିନ ବାଲିପାଟଣା ବସ୍‌ଯାତ୍ରୀ ବିଶ୍ରାମଗାର ନିକଟରୁ ତାଙ୍କ ସାଇକେଲ ମିଳିଥିଲା। ହେଲେ କୌଣସି ସାଙ୍ଗ ତାଙ୍କ ସଂପର୍କରେ କିଛି ସୂଚନା ଦେଇପାରିନଥିଲେ। ଆଜି ଅପରାହ୍ଣରେ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ପୁବାଗ୍ରାମ ସାଇଫନ୍‌ ମୁହଁ ନିକଟରେ ଏକ ମୃତଦେହ ଭାସୁଥିବା ଖବର ପାଇ ପିପିଲି ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀଙ୍କ ସହାୟତାରେ ମୃତଦେହ ଜବତ କରିଥିଲା। ମୃତଦେହରେ କିଛି କ୍ଷତ ଚିହ୍ନ ରହିଛି। ତାହା କି ପ୍ରକାର କ୍ଷତ ସ୍ପଷ୍ଟ ହୋଇପାରିନାହିଁ। ସାଇଫନ୍‌କୁ ଡେଇଁ ପଡ଼ିଲେ ଏମିତି କ୍ଷତଚିହ୍ନ ହୋଇଥାଏ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର