ବାଲିପାଟଣା: ବଡ଼ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)ରେ। ଏଠାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସମେତ ୭ଜଣ ଟେକ୍ନିସିଆନ୍ ଓ କର୍ମଚାରୀ ଡେପୁଟେସନ୍ରେ ଯାଇ ରାଜଧାନୀରେ କାମ କରୁଛନ୍ତି। ବାଲିପାଟଣା ସିଏଚ୍ସି ନାଁରେ ସେମାନଙ୍କୁ ଦରମା ମିଳୁଥିବା ବେଳେ ସ୍ଥାନୀୟ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଶିଶୁରୋଗ ବିଶେଷଜ୍ଞ ନଥିବା ବେଳେ ବିଭିନ୍ନ ବିଭାଗର ଟେକ୍ନିସିଆନ୍ ନ ଥିବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ପରିସରରେ ସ୍ବଚ୍ଛତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି।
ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଅଧିକାଂଶ ଗରିବ ତଥା ଦଳିତ ବର୍ଗର ଲୋକ ବାସ କରୁଥିବା ଏହି ଅଞ୍ଚଳ ପାଇଁ ବାଲିପାଟଣା ସିଏଚ୍ସି ଏକ ନିର୍ଭରଯୋଗ୍ୟ ସରକାରୀ ହସ୍ପିଟାଲ। କିନ୍ତୁ ପରିତାପର କଥା, ୪ବର୍ଷ ଧରି ଏଠାରେ ଶିଶୁରୋଗ ବିଶେଷଜ୍ଞ ନାହାନ୍ତି। ଶଲ୍ୟ ଚିକିତ୍ସକ ମଧ୍ୟ ନାହାନ୍ତି। ତେଣୁ ଏଠାରେ ଶିଶୁରୋଗ ଚିକିତ୍ସା ଏକପ୍ରକାର ଠପ୍ ବୋଲି ଅଭିଯୋଗ ହୋଇଆସୁଛି। ଶଲ୍ୟ ଡାକ୍ତର ନ ଥିବାରୁ ଛୋଟମୋଟ ସର୍ଜରି ପାଇଁ ଲୋକେ ଭୁବନେଶ୍ବର ଧାଉଁଛନ୍ତି କିମ୍ବା ଘରୋଇ ହସ୍ପିଟାଲରେ ଖର୍ଚ୍ଚାନ୍ତ ହେଉଛନ୍ତି। ଏବେ ଜଣେ ଡାକ୍ତର ଡେପୁଟେସନ୍ରେ ଭୁବନେଶ୍ବର ଚାଲିଯାଇଥିବା ବେଳେ ଜଣେ ଛୁଟିରେ ଅଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଉଛି, ଏକ୍ସ-ରେ ମେସିନ୍ ଅପରେଟର୍ ଅଭାବ। ଏକ୍ସ-ରେ’ ମେସିନ୍ ଥିଲେ ବି ଟେକ୍ନିସିଆନ ନଥିବାରୁ ହାଡ଼ଭଙ୍ଗା ରୋଗୀମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଗରିବ ଲୋକମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ବର ଧାଇଁବାକୁ ପଡ଼ୁଛି। ସେହିଭଳି ପାଥୋଲାବ୍ରେ ଥିବା ୨ଜଣ ଟେକ୍ନିସିଆନ୍ ବି ଡେପୁଟେସନ୍ରେ ଯାଇଛନ୍ତି। ଜଣେ ଟେକ୍ନିସିଆନ୍ ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରୁଛନ୍ତି। ଫଳରେ କାମ ବିଳମ୍ବ ହେବାରୁ ବହୁ ରୋଗୀ ବାଧ୍ୟ ହୋଇ ବାହାରେ ବିଭିନ୍ନ ପରୀକ୍ଷା କରାଇବାକୁ ବାଧ୍ୟ ହେଉଛନ୍ତି। ସେଥିରେ ପୁଣି ଉକ୍ତ କର୍ମଚାରୀ ସାପ୍ତାହିକ ଛୁଟିରେ ବା କୌଣସି ବ୍ୟକ୍ତିଗତ ସମସ୍ୟା କାରଣରୁ ଛୁଟିରେ ରହିଲେ ପାଥୋଲାବ୍ ବନ୍ଦ ରହୁଛି। ସେହିଭଳି ୫ଜଣ ଫିଲ୍ଡ ୱାର୍କର ବି ଡେପୁଟେସନ୍ରେ ଭୁବନେଶ୍ବରରେ କାମ କରୁଛନ୍ତି। ଫଳରେ ସେମାନଙ୍କ ସେବାରୁ ସ୍ଥାନୀୟ ଲୋକେ ବଞ୍ଚିତ ହେଉଛନ୍ତି। ଏସବୁ ବାଦ୍ ହସ୍ପିଟାଲ ପରିସରର ସ୍ବଚ୍ଛତା ବି ଏକ ପ୍ରମୁଖ ସମସ୍ୟା। ପ୍ରସୂତି ୱାର୍ଡକୁ ଲାଗି ପାହାଡ଼ ଭଳି ଆବର୍ଜନା ଗଦା ହୋଇ ରହିଛି। ହସ୍ପିଟାଲରେ ବ୍ୟବହୃତ ତୁଳା, ଗଜ୍ କପଡ଼ା, ସିରିଞ୍ଜ୍, ସାଲାଇନ୍ ବୋତଲ, ଔଷଧ ଖୋଳ ପ୍ରଭୃତି ଗଦା ହୋଇରହିଛି। ପ୍ରସୂତି ୱାର୍ଡ ନିକଟରେ ଆବର୍ଜନା ଗଦା ପାଇଁ ସଂକ୍ରମଣ ଆଶଙ୍କା ରହିଛି। ଏନେଇ ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରାଙ୍କ କହିବା କଥା ଖୁବ୍ଶୀଘ୍ର ଏସବୁ ସମସ୍ୟାର ସମାଧାନ ହୋଇଯିବ।