ଚନ୍ଦ୍ରଶେଖରପୁର: ଦଶନ୍ଧି ମଧ୍ୟରେ ଭୁବନେଶ୍ୱରର ନୂଆ ପରିଚୟ ପାଇଥିବା ନନ୍ଦନକାନନ ରୋଡ୍ ଏବେ ଯମ ଯନ୍ତ୍ରଣା ପାଲଟିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନନ୍ଦନକାନନକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ସୁବ୍ୟବସ୍ଥିତ ହୋଇପାରି ନାହିଁ। ଯେଉଁଥିପାଇଁ ପ୍ରତିଦିନ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟୁଛି। ଲୋକଙ୍କ ପ୍ରାଣ ବି ଯାଉଛି। ଏମିତି ସ୍ଥିତି ହୋଇଛି ଯେ ଗତ ୭ ମାସ ମଧ୍ୟରେ ଏହି ରାସ୍ତାରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୫୦ରୁ ଅଧିକ ଆହତ ହୋଇଛନ୍ତି। ତଥାପି ପ୍ରଶାସନର ନିଦ ଭାଙ୍ଗୁନି। ବଡ଼ ବଡ଼ିଆ ପୁଲିସ ବାବୁମାନେ ସବୁ ଜାଣି ଚୁପ୍ ହୋଇ ବସି ପଡ଼ୁଥିବା ବେଳେ ଲୋକେ ହିନସ୍ତା ଭୋଗୁଛନ୍ତି। ସକାଳ ୯ଟାରୁ ୧୧ ଓ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି। ଲୋକେ କାର୍ ବାଇକ୍ରେ ଯିବା ତ ଦୂରର କଥା, ରାସ୍ତା ପାର ହେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଜୟଦେବ ବିହାରରୁ ନନ୍ଦନକାନନକୁ ସଂଯୋଗ କରୁଥିବା ଏହି ୧୦ କିମି ରାସ୍ତାରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ହେଉଛି। ଏହି ରାସ୍ତାର କଳିଙ୍ଗ ହସ୍ପିଟାଲ ଛକ, ଡମଣା ଓ କିଟ୍ ଛକରେ ବଡ଼ ଟ୍ରାଫିକ୍ ପୋଷ୍ଟ ରହିଥିବା ବେଳେ ପଟିଆ ଓ ଜାଭିଅର ଛକରେ ଛୋଟ ଟ୍ରାଫିକ୍ ପୋଷ୍ଟ ରହିଛି। ବଡ଼ ପୋଷ୍ଟଗୁଡ଼ିକ ଅତି ସମ୍ବେଦଶଶୀଳ ଥିବାରୁ ସେଠାରେ ଅଧିକାଂଶ ସମୟ ପୁଲିସ ମୁତୟନ ହେଉଛନ୍ତି। କିନ୍ତୁ ଛୋଟ ପୋଷ୍ଟଗୁଡ଼ିକରେ ଟ୍ରାଫିକ୍ ଅଧିକାରୀ କାଁ ଭାଁ ଦେଖିବାକୁ ମିଳନ୍ତି। ଚିନ୍ତା ବଢ଼ାଇଛି ଏହି ରାସ୍ତାର ଡିଭାଇଡର୍ ମଧ୍ୟରେ ଥିବା ୮ଟି କଟିଂ। ଯାହାକି ଟ୍ରାଫିକ୍ ସମସ୍ୟାକୁ ସାଂଘାତିକ ଭାବେ ବଢ଼ାଇ ଦେଉଛି। ଯେତେବେଳେ କୌଣସି ଗୋଟିଏ ବଡ଼ ଗାଡ଼ି ଏହି କଟିଂରେ ୟୁ-ଟର୍ଣ୍ଣ ମାରୁଛନ୍ତି ସେତେବେଳେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଗାଡ଼ି ଲାଇନ୍ ଲାଗୁଛି। ଗାଡ଼ିଗୁଡ଼ିକର ବେଗ ଏହି ରାସ୍ତାରେ ୨୦ କିମିରୁ ବଢ଼ି ପାରୁ ନାହିଁ। ଏଭଳି ସମସ୍ୟା ଦିନକୁ ଦିନ ବଢ଼ୁଥିଲେ ମଧ୍ୟ ଧ୍ୟାନ ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଜରିମାନା ଆଦାୟ ଚାଲିଛି
ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ୍ ସିଗ୍ନାଲ୍ ସିନା ଫେଲ୍ ହୋଇଯାଉଛି ହେଲେ ପୁଲିସର ଜରିମାନା ଆଦାୟ ବନ୍ଦ ହେଉ ନାହିଁ। ପ୍ରତିଦିନ ଏହି ରାସ୍ତାର ୪ଟି ସ୍ଥାନରେ ଜରିମାନା ଆଦାୟ କରାଯାଉଛି। ୫ରୁ ୬ ଜଣ ଟ୍ରାଫିକ୍ ପୁଲିସ ଓ କନ୍ଷ୍ଟେବଲ୍ ଛିଡ଼ା ହୋଇ ଜୟଦେବ ବିହାର ଛକ, ପାଲ୍ ହାଇଟ୍ସ, କଳିଙ୍ଗ ହସ୍ପିଟାଲ ଛକ, ରଘୁନାଥପୁର ନିକଟରେ ଛିଡ଼ା ହୋଇ ଜରିମାନା ଆଦାୟ କରୁଛନ୍ତି। ହେଲେ ଟ୍ରାଫିକ୍ ପରିଚାଳନା ପ୍ରତି ସେମାନଙ୍କର ଧ୍ୟାନ ନାହିଁ।
କିଛିି ପ୍ରମୁଖ ଦୁର୍ଘର୍ଟଣା…
ଗତ ୭ ମାସ ମାସରେ ଏହି ରାସ୍ତାରେ ୧୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି। ପ୍ରମୁଖ ଦୁର୍ଘଟଣାଗୁଡ଼ିକ ମଧ୍ୟରେ କାନନ ବିହାର ଛକ ନିକଟରେ କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଗନେଟ୍ ଛକରେ ଦୁଇ ବାଇକ୍ ପରସ୍ପରକୁ ଧକ୍କା ଦେବା ଫଳରେ ଉଭୟ ଚାଳକଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହକ ତଳେ ରଘୁନାଥ ବ୍ରିଜ୍ ନିକଟରେ ଗୋଟିଏ କାର ବାଇକ୍କୁ ଧକ୍କା ଦେବା ଫଳରେ ଜଣେ ମୃତ୍ୟୁବରଣ କରିଥିଲେ। ଇନ୍ଫୋସିଟି ଛକରେ କାର୍ ଧକ୍କାରେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଫର୍ଚ୍ୟୁନ ଟାଓ୍ଵାର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ନିକଟରେ ଜଣେ ଟେଣ୍ଟ ହାଉସ ଯୁବକ ରାସ୍ତା ପାର ହେଉଥିବା ବେଳେ କାର ଧକ୍କାରେ ପ୍ରାଣ ହରାଇଥିଲେ। ଗତକାଲି ମଧ୍ୟ ଏକ ବସ୍ ଚାପରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା।
ଟ୍ରାଫିକ୍ରେ ଫସିଲା ଆମ୍ବୁଲାନ୍ସ
ଟ୍ରାଫିକ୍ କବଳରୁ ମୁକୁଳି ପାରୁନି ଆମ୍ବୁଲାନ୍ସ। ଗତ କିଛି ମାସ ମଧ୍ୟରେ ଏକାଧିକ ଥର ଟ୍ରାଫିକ୍ ଭିତରେ ଆମ୍ବୁଲାନ୍ସ ଫସିଥିବା ନଜରକୁ ଆସିଥିବା ବେଳେ ଗତକାଲି ପୂର୍ବାହ୍ନରେ କଳିଙ୍ଗ ହସ୍ପିଟାଲ୍ ଛକରେ ପୁଣି ଏକ ଆମ୍ବୁଲାନ୍ସ ଟ୍ରାଫିକ୍ ଭିତରେ ଫସିଥିଲା। ୫ ମିନିଟ୍ ପର୍ଯ୍ୟନ୍ତ ଆଗକୁ କିମ୍ବା ପଛକୁ ଯାଇପାରି ନ ଥିଲା। ଟ୍ରାଫିକ୍ ପରିଚାଳନାରେ ଥିବା ପୁଲିସ ବାବୁମାନେ ପୋଷ୍ଟରେ ନଥିଲେ। ଗଛ ମୂଳେ ଥିବା ଚେକିଂ ପୋଷ୍ଟ ନିକଟରେ ଛିଡ଼ା ହୋଇ ରହିଥିଲେ। ଟ୍ରାଫିକ୍ର ଗ୍ରିନ୍ ସିଗନାଲ୍ ପରେ ଆମ୍ବୁଲାନ୍ସ ଆଗକୁ ବଢ଼ିଥିଲା। ଏଭଳି ଘଟଣା ପ୍ରତିଦିନ ଏହି ରାସ୍ତାରେ ଦେଖିବାକୁ ମିଳୁଛି। ପ୍ରମୁଖ ଘରୋଇ ମେଡିକାଲ୍ଗୁଡ଼ିକ ଏହି ଅଞ୍ଚଳରେ ଥିବାରୁ ରୋଗୀଙ୍କ ଜୀବନ କେତେବେଳେ ଯେ ଚାଲିଯିବ କେହି କହି ପାରିବେନି।