ଭୁବନେଶ୍ୱର: ସତସଙ୍ଗ ବିହାର ସମ୍ମୁଖ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକମାନେ ରାସ୍ତାରେ ଯିବାକୁ ଭୟ କଲେଣି। କାରଣ ଗତ ୭ ମାସରେ ୧୭ଟି ଦୁର୍ଘଟଣାରେ ୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ଯେଉଁଥିରେ ୪ଟି ଭୟଙ୍କର ଦୁର୍ଘଟଣା ଏବଂ ୧୩ଟି ଛୋଟ ବଡ଼ ଦୁର୍ଘଟଣା ରହିଛି। ୪ଟି ଭୟଙ୍କର ଦୁର୍ଘଟଣାରୁ ୨ଟିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଗତ ଶନିବାର ବିଳମ୍ବିତ ରାତିରେ ଜୟଦେବବିହାର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଟ୍ରକ ପଛରେ ପିଟି ହେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏପ୍ରିଲ ମାସରେ ଜୟଦେବ ବିହାର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସତ୍ସଙ୍ଗ ବିହାର ନିକଟରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣାଗୁଡ଼ିକର ମୁଖ୍ୟ କାରଣ ଦ୍ରୁତ ଗତି ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ବୋଲି ଜଣାପଡ଼ିଛି। ଓଭରବ୍ରିଜ୍ ହେତୁ ଚାଳକମାନେ ଗତିରେ ନିୟନ୍ତ୍ରଣ ହାରାଇ ମନଇଚ୍ଛା ସ୍ପିଡ୍ରେ ଗାଡ଼ି ଚଲାଉଛନ୍ତି। ଗାଡ଼ି ତଳକୁ ଖସିବା ବେଳକୁ ଚାଳକମାନେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଉଛନ୍ତି। ବାରମ୍ବାର ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ କିଛି ଦିନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସେଠାରେ ବ୍ୟାରିକେଡ୍ ଲଗାଯିବା ସହ ଜଣେ କନଷ୍ଟେବଲଙ୍କୁ ନିଯୋଜିତ କରାଯାଇଥିଲା। ଯାହା ଦ୍ୱାରା ଚାଳକମାନେ ସେଠାରେ ଗାଡ଼ିର ଗତି କମ୍ କରିବାକୁ ବାଧ୍ୟ ହେଉଥିଲେ। କିନ୍ତୁ କିଛି ଦିନ ପରେ ସେଠାରୁ ବ୍ୟାରିକେଡ୍କୁ ହଟାଇ ଦିଆଗଲା। ଫଳରେ ଉକ୍ତ ଛକ ବର୍ତ୍ତମାନ ବେଲଗାମ ହୋଇଯାଇଛି। ଚାଳକମାନେ ମନଇଚ୍ଛା ଦ୍ରୁତ ଗତିରେ ଗାଡ଼ି ଚଲାଉଛନ୍ତି। ଅନ୍ୟପଟେ ବାରମ୍ବାର ଦୁର୍ଘଟଣା ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ରାସ୍ତାରେ ବାଲି ଜମା ହେବାରୁ ଦୁର୍ଘଟଣା ଘଟୁଛି। ରାସ୍ତା କଡ଼ରୁ ବାଲି ସଫା କରାଯାଉନାହିଁ। ବାଲିରେ ଗାଡ଼ି ଚକା ଖସି ଯାଇ ଏଭଳି ଦୁର୍ଘଟଣା ଘଟୁଛି। ଏନେଇ ଜାତୀୟ ରାଜପଥ କର୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ସତସଙ୍ଗ ବିହାର ସାମ୍ନା ମରଣଯନ୍ତା
୭ ମାସରେ ୧୭ ଦୁର୍ଘଟଣା, ଗଡ଼ିଲାଣି ୪ ମୁଣ୍ଡ, ୧୫ ଆହତ
/sambad/media/post_attachments/wp-content/uploads/2018/07/Accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)