ଚନ୍ଦ୍ରଶେଖରପୁର: ଶିଳ୍ପ ସଂସ୍ଥାଙ୍କୁ ଆକୃଷ୍ଟ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାରଙ୍କ ପକ୍ଷରୁ ଅନୁମୋଦିତ ୩୭୬ଟି ପ୍ରକଳ୍ପ ମଧ୍ୟରୁ ୯୭ଟିର କାର୍ଯ୍ୟ ଶେଷ ହେଲାଣି। ବିଭିନ୍ନ ଜିଲ୍ଲାରେ ୧୦୭ଟି ଶିଳ୍ପାଞ୍ଚଳ ରହିଥିବା ବେଳେ ଆଉ ୭ଟି ନୂତନ ଶିଳ୍ପାଞ୍ଚଳ ସ୍ଥାପନ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶିଳ୍ପର ଆବଶ୍ୟକତା ଅନୁଯାୟୀ ଶିକ୍ଷାକୁ ଯୋଡ଼ିବା ଲାଗି ରାଜ୍ୟର ଦୁଇଟି ଆଇଟିଆଇରେ ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ସ୍ଥାପନ ହୋଇଛି। ଚନ୍ଦକାରେ ୧୪୫ ଏକର ପରିମିତ ଜମିରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଛି। ଇନ୍ଫୋଭାଲିଠାରେ ୨୦୩ ଏକର ପରିମିତ ଜମିରେ ୨୦୦ କୋଟି ଟଙ୍କା ବ୍ୟୟରେ ଏକ ଇଲେକ୍ଟ୍ରୋନିକ୍ ମାନ୍ୟୁଫାକଚରିଂ ପାର୍କ ସ୍ଥାପନ ହୋଇଛି। ଏହି ପାର୍କରେ ଦୁଇଟି ସଂସ୍ଥାକୁ ଜମି ଯୋଗାଇ ଦିଆଯାଇଛି। ଦ୍ବିତୀୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ୪.୧୯ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଛି। ୧୫ଟି ସେକ୍ଟରରେ ଆସିଥିବା ଏହି ପ୍ରସ୍ତାବ ମାଧ୍ୟମରେ ରାଜ୍ୟରେ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଜାଭିଅର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ର ବାର୍ଷିକ ବାଣିଜ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ଜିନ୍ଦଲ୍ ଷ୍ଟିଲ୍ ଓ ପାୱାର ଲିମିଟେଡ୍ର ଡିଜିଏମ୍ (କର୍ପୋରେଟ୍ ଆଫେୟାର୍ସ) ପୁଲିନ୍ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପ ପାଇଁ ଓଡ଼ିଶାରେ ଥିବା ଭିତ୍ତିଭୂମି ସମ୍ପର୍କରେ ଆଲୋକପାତ କରିଥିଲେ। ଆଞ୍ଚଳିକ ପାଣ୍ଠି ସମୀକ୍ଷାର ଅତିରିକ୍ତ ନିର୍ଦେଶକ ରାଜୀବ ସାହୁ, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ନିର୍ଦେଶକ(ଅଡିଟ୍) ଚନ୍ଦନ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଅର୍ଥନୈତିକ ପ୍ରାଦ୍ୟୋଗିକ, ଉଦ୍ୟୋଗିକ ଓ ଶିଳ୍ପ ଭିତ୍ତିକ ବିଷୟ ଉପରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ ଫାଦର ଇ ଏ ଫର୍ଣ୍ଣାଡିଜ୍ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଷ୍ଟାର୍ଟଅପ୍ ପ୍ରତିନିଧିମାନେ ଭାଗନେଇଥିଲେ।
ଜାଭିଅର ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜ୍ମେଣ୍ଟର ବାର୍ଷିକ ବାଣିଜ୍ୟ ସମ୍ମିଳନୀ
୭ ନୂଆ ଶିଳ୍ପାଞ୍ଚଳ ଚିହ୍ନଟ
/sambad/media/post_attachments/wp-content/uploads/2019/02/Untitled-24-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)