ବାଲିଅନ୍ତା : ରୁଦ୍ରପୁର ନକଲି କାରଖାନାରୁ ଜବତ ୭ କ୍ବିଣ୍ଟାଲ ଆଚାର ଓ ସସ୍କୁ ଆଜି ପାହାଳ ଫାଣ୍ଡି ଥାନା ପୁଲିସ୍ ଗାତ ଖୋଳି ପୋତି ଦେଇଛି। ଗତ ବୁଧବାର ଜବତ ହୋଇଥିବା ଏହି ଆଚାର ଓ ସସ୍ ଅପମିଶ୍ରିତ ବୋଲି ଖାଦ୍ୟ ସୁରକ୍ଷା ପରୀକ୍ଷାଗାରରୁ ରିପୋର୍ଟ ଆସିବା ପରେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶାଳୟ ଏହାକୁ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ତେବେ ବାହାରେ ଫିଙ୍ଗିଦେଲେ ବୁଲା ଜୀବଜନ୍ତୁ ଖାଇ ଅସୁସ୍ଥ ହେବାର ଆଶଙ୍କା ଥିବାରୁ ଫାଣ୍ଡି ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ପାହାଳ ଫାଣ୍ଡି ପୁଲିସ୍ ଆଜି ଅପରାହ୍ଣରେ ସେଗୁଡ଼ିକୁ ପୋତି ଦେଇଥିଲେ। ଜେସିବି ସାହାଯ୍ୟରେ ୨୦ ଫୁଟ୍ ଗଭୀର ଓ ୧୦ ଫୁଟ୍ ଚଉଡ଼ାର ଗାତ ଖୋଳ ଯାଇଥିଲା। ସେହି ଗାତ ଭିତରେ ସିଲଭର ଟପ୍ ଓ ପ୍ଲାଷ୍ଟିକ ବ୍ୟାରେଲରେ ଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଖଟାମିଠା ଆଚାର ଓ ସସ୍କୁ ପୋତି ଦିଆଯାଇଥିଲା। ଏହାସହ ସେଠାରେ ମହଜୁଦ ଥିବା ବିଭିନ୍ନ କଞ୍ଚାମାଲ ଯଥା ଆମ୍ବୁଲ, ସିଝା ଲେମ୍ବୁ, ଲଙ୍କା ତଥା ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ କବର ଦିଆଯାଇଥିଲା। ଜାର୍ ଓ କାଚ ବୋତଲ ଭିତରେ ମହଜୁଦ ଥିବା ପ୍ରସ୍ତୁତ ସାମଗ୍ରୀକୁ ମଧ୍ୟ ଫିଙ୍ଗି ଦିଆଯାଇଥିଲା। କମ୍ପାନିଠାରୁ କିଛି ଦୂରରେ ହୋଇଥିବା ଗାତକୁ ପରେ ବନ୍ଦ କରି ଦିଆଯାଇଥିଲା। ଖାଲି ପାତ୍ରଗୁଡ଼ିକୁ ପୁଣି କମ୍ପାନି ଭିତରେ ରଖି ସିଲ୍ କରି ଦିଆଯାଇଛି।
ଅପରପକ୍ଷେ ଏହି ନକଲି କାରଖାନାର ମାଲିକ ପ୍ରମୋଦ କୁମାର ଦାଶ ଏବେ ବି ଫେରାର୍ ଅଛନ୍ତି ବୋଲି ପୁଲିସ୍ କହିଛି। ତାଙ୍କୁ ଧିରବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ଆସନ୍ତା ସପ୍ତାହକ ମଧ୍ୟରେ ତାଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରମୋଦଙ୍କ ଘର ଓ ଠିକଣା ବିଷୟରେ ପୁଲିସକୁ ଏଯାଏ ଜଣା ନଥିବାରୁ ତାଙ୍କୁ କିପରି ନୋଟିସ୍ କରାଯିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ତାର ଠିକଣା ଜାଣି ନ ଜାଣିବାର ଅଭିନୟ କରୁଛି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଏସିପି ସଂଜୀବ ଶତପଥୀଙ୍କ ନେତୃତ୍ବରେ ସ୍ପୋସାଲ ସ୍କ୍ବାଡ୍ ଏହି ନକଲି କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ନକଲି ସସ୍ ଓ ଆଚାର ଜବତ କରିଥିଲା।