ଭୁବନେଶ୍ୱର : ସଂକ୍ରମଣ କମିଛି ସତ, କିନ୍ତୁ ବିପଦ ଟଳିନି। ଏଯାଏଁ ଟିକା ବି ଆସିନି। ଟିକେ ଅସାବଧାନ ହେଲେ ସବୁ ଓଲଟପାଲଟ ହୋଇଯିବ। କିନ୍ତୁ ସବୁ ଜାଣିଶୁଣି ରାଜଧାନୀବାସୀ ଅମାନିଆ ହେଉଛନ୍ତି, ଯାହା ପ୍ରଶାସନ ଓ କମିସନରେଟ୍ ପୁଲିସ୍ ପାଇଁ ଚିନ୍ତାର କାରଣ ପାଲଟିଛି। କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କମିସନରେଟ୍ ପୁଲିସ୍ ଗତ ଦୁଇ ଦିନ ଭିତରେ ରାଜଧାନୀରୁ ୩ ହଜାରରୁ ଊର୍ଧ୍ବ ଲୋକଙ୍କଠାରୁ ଜରିମାନା ଆଦାୟ କରିଛି।
ମାର୍କେଟ୍ ବିଲ୍ଡିଂ ସମେତ କେତେକ ସୋ’ ରୁମ୍, ବଜାରରେ କୋଭିଡ୍ ଆଇନ ଉଲ୍ଲଂଘନ କରୁଥିବା ଲୋକଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି। ସେହିପରି ପୁଲିସ୍ ମାର୍କେଟ ବିଲ୍ଡିଂ ସମେତ ଅନ୍ୟ ସ୍ଥାନରେ ୭ଟି ଦୋକାନକୁ ସିଲ୍ କରିଛି। ଗତକାଲି ରାତିରେ ପଟିଆ ଅଞ୍ଚଳର ଗୋଟିଏ ପୂଜା ମଣ୍ଡପରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି। ଗାଇଡଲାଇନ୍ ଉଲ୍ଲଂଘନ କରି ଲୋକଙ୍କୁ ଦେବୀ ଦର୍ଶନ ଅନୁମତି ଦେଇଥିବାରୁ ପୁଲିସ୍ ଚେତାବନୀ ଦେବା ସହ ଜରିମାନା ଆଦାୟ କରିଥିଲା।