୩ କଲିକତିି କିନ୍ନରଙ୍କ ସମେତ ୭ ଗିରଫ

ନାଗା ସାଧୁଙ୍କୁ ଆକ୍ରମଣ ମାମଲା

ଖଣ୍ଡଗିରି: ଗତ ୧୩ ତାରିଖ ଅପରାହ୍ଣରେ ଜଣେ ନାଗା ସାଧୁଙ୍କ ଉପରେ ଉଦୟଗିରି ପାହାଡ଼ ତଳେ ହୋଇଥିବା ଅମାନବୀୟ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୁଲିସ ୭ ଜଣ କିନ୍ନରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଭିତରେ ୩ ଜଣ ଦୁର୍ଦାନ୍ତ କଲିକତି କିନ୍ନରଙ୍କ ସହ ଜଣେ ତେଲୁଗୁ କିନ୍ନର ଅଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ହାଓ୍ଵଡ଼ା ଶାଳକିଆର ସୋନୁ କିନ୍ନର ଓରଫ୍‌ ସ୍ୱପ୍ନା ତ୍ରିପାଠୀ(୨୫), ବବି କିନ୍ନର ଓରଫ ବବି ସିଂ(୨୪), ସ୍ୱିଟ୍‌ କିନ୍ନର ଓରଫ୍‌ ସ୍ୱିଟ୍‌ ଫାତିମା(୨୬), ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ବୋନ୍ଦାପିଲାର ରାକ୍ଷୀ କିନ୍ନର ଓରଫ୍‌ କେ. ରାକେଶ ରେଡ୍ଡୀ(୨୫), ସମ୍ବଲପୁର ଧନୁପାଲିର ସିମରନ୍‌ କିନ୍ନର(୨୩), ଗଞ୍ଜାମ ହିଞ୍ଜିଳିର ସିଲା କିନ୍ନର ଓରଫ୍‌ ସୁଶାନ୍ତ ଦାସ(୨୫) ଓ କେନ୍ଦ୍ରାପଡ଼ା ଅରିଲୋର ଶ୍ରଦ୍ଧା କିନ୍ନର(୨୬)। ଏହି ମାମଲାରେ ମାନସୀ, ଏଲିନା, ସ୍ମୃତିଙ୍କ ଭଳି ଆଉ କିଛି କିନ୍ନର ସାମିଲ୍‌ ଅଛନ୍ତି ଓ ସେମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଚଢ଼ାଉ ଜାରି ରହିଛି। ବଟି ଦେବାକୁ ମନା କରିବାରୁ କିନ୍ନରମାନେ ତାଙ୍କୁ ବିଚ୍‌ ରାସ୍ତାରେ ଘୋଷାରି ଘୋଷାରି ପିଟିବା ସହ ମଠ ଛାଡ଼ି ଚାଲି ନଗଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଆକ୍ରମଣର ଶିକାର ହୋଇଥିବା ସାଧୁ ଅଭିଯୋଗ ନ କଲେ ମଧ୍ୟ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ରାତାରାତି ୭ କିନ୍ନରଙ୍କୁ ଗିରଫ କରିଛି।

ପୁଲିସ ସୂଚନାନୁସାରେ ନାଗା ସାଧୁ ଦିଗମ୍ବର ଶ୍ରୀ ସିଦ୍ଧେଶ୍ୱର ଭାରତୀ ଗତ କିଛି ଦିନ ହେଲା ବାରଣାସୀରୁ ଆସି ଉଦୟଗିରି ପାହାଡ଼ ପାଦଦେଶରେ ଏକ ଅସ୍ଥାୟୀ ଆଶ୍ରମରେ ତପ ସାଧନା କରୁଥିଲେ। ହିଞ୍ଜିଡ଼ାମାନେ ରଜ ପାଇଁ ବାବା ଭାରତୀଙ୍କୁ ଚାନ୍ଦା ମାଗିଥିଲେ। ଶ୍ରଦ୍ଧାଳୁଙ୍କ ଦାନରେ ଚଳୁଥିବା ବାବା ଚାନ୍ଦା କଥାରେ ବିସ୍ମିତ ହେବା ସହ ମନା କରି ଦେଇଥିଲେ। ମାତ୍ର ଏତିକି ଟିକିଏ କଥାରେ କିନ୍ନରମାନେ ରାଗି ଯାଇଥିଲେ। ସେମାନେ ବାବାଙ୍କୁ ତଡ଼ିବା ପାଇଁ ଯୋଜନା କରିଥିଲେ। ଯୋଜନା ଅନୁସାରେ ୧୩ ତାରିଖ ଅପରାହ୍ଣ ସାଢ଼େ ୪ଟାବେଳେ ସେମାନେ ସଂଘବଦ୍ଧଭାବେ ବାବାଙ୍କ ମଠରେ ପହଞ୍ଚି ଗାଳିମନ୍ଦ କରିଥିଲେ। ଉଲଗ୍ନ ହୋଇ ବାବା ସେମାନଙ୍କୁ ଅଶାଳୀନ ଇଙ୍ଗିତ କରୁଥିବା ଅଭିଯୋଗ କରିବା ସହିତ ଅତର୍କିତଭାବେ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ଏମିତିକି ଜଣେ କିନ୍ନର ନିଜେ ଉଲଗ୍ନ ହୋଇ ବାବାଙ୍କୁ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିଥିଲା। କିନ୍ନରଙ୍କ ଏଭଳି ଅପ୍ରତ୍ୟାଶିତ ଆକ୍ରମଣରେ ଭୟଭୀତ ହୋଇ ବାବା ନିକଟସ୍ଥ ନାଗେଶ୍ୱରୀ ମଠ ଆଡ଼କୁ ଧାଇଁଥିଲେ। ମାତ୍ର ପଛରେ ଗୋଡ଼ାଉଥିବା କିନ୍ନରମାନେ ବିଚ୍‌ ରାସ୍ତା ଉପରେ ବାବାଙ୍କୁ ପିଟି ଚାଲିଥିଲେ। ନାଗେଶ୍ୱରୀ ମଠର ଅନ୍ତେବାସୀମାନଙ୍କ ସମ୍ମୁଖରେ ବି କିନ୍ନରମାନେ ସାଧୁଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ। ସାଧୁ ଭାରତୀ ତଳେ ପଡ଼ି ହାତ ଯୋଡ଼ି ଦେଇଥିଲେ ବି ନିର୍ଦୟ କିନ୍ନରମାନେ ଛାଡ଼ି ନଥିଲେ। କୌଣସି ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ସାଧୁଙ୍କୁ ଉଦ୍ଧାର କରାଯାଇଥିଲା।

ଯଦି ଦେହ ବେପାର ବନ୍ଦ, ତପ ସାଧନା ବି ବନ୍ଦ
ବାବାଙ୍କୁ ବଟି ମାଗିବା ଓ ନ ମିଳିବାରୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ତେବେ ବଟି ମାଗିବା ପଛରେ ରହିଛି ଅନ୍ୟ ଏକ କାରଣ। ୪ ଦିନ ହେଲା ଖଣ୍ଡଗିରି ଥାନା ପୁଲିସ ଉଦୟଗିରି ପାହାଡ଼ ପାଦଦେଶରେ ବସୁଥିବା ହିଞ୍ଜିଡ଼ା ହାଟକୁ ଉଚ୍ଛେଦ କରିବାରେ ଲାଗିଛି। ଫଳରେ ହାଟ ପୂରା ଠପ୍‌ ହୋଇ ଯାଇଛି। ମାତ୍ର ହିଞ୍ଜିଡ଼ାମାନେ ଲୁଚିଛପିି ବେପାର କରିବାକୁ ଯୋଜନା କରିଥିିଲେ। ସେମାନେ ନାଗା ସାଧୁଙ୍କ ମଠ ନିକଟ ସ୍ଥାନକୁ ଦଖଲ କରିବାକୁ ଚାହୁଁଥିଲେ। ପୁଲିସ ଚଢ଼ାଉରୁ ବର୍ତିବା ପାଇଁ ନାଗା ସାଧୁଙ୍କ ମଠଟି ନିରାପଦ ଥିଲା। ମାତ୍ର ନାଗା ସାଧୁଙ୍କ ବିରୋଧ କିନ୍ନରଙ୍କ ବେପାରକୁ ବୁଡ଼ାଇ ଦେଇଥିଲା। ତେଣୁ କିନ୍ନରମାନେ ନାଗା ସାଧୁଙ୍କୁ ଟାର୍ଗେଟ୍‌ କରିଥିଲେ। କିନ୍ନରଙ୍କ ଦେହ ବେପାର ଯଦି ନହେଲା, ସାଧୁଙ୍କ ତପ ସାଧନା ବି ହୋଇପାରିବନି। ଏଭଳି କୁତ୍ସିତ ମାନସିକତା ନେଇ କିନ୍ନରମାନେ ସାଧୁଙ୍କୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଦେହ ବେପାର ନାଁରେ ଏଠାରେ ହିଞ୍ଜିଡ଼ା ହାଟ ବସାଇଥିବା କିନ୍ନରମାନେ ଲୁଟ୍‌ପାଟ୍‌ କରିବା ସହ ଯୁବକମାନଙ୍କୁ ଜୋର ଜବରଦସ୍ତ ବ୍ଲାକ୍‌ମେଲିଂ କରି ବଟି ଆଦାୟ କରୁଥିବା ନେଇ ଅଭିଯୋଗ ହେଉଥିଲା। ନାଗା ସାଧୁଙ୍କୁ ଦିବାଲୋକରେ ଖୋଲାଖୋଲି ଆକ୍ରମଣ କରିବା ପରେ ଲୋକଙ୍କ ଏହି ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର