୭ ବର୍ଷ ହେଲା ୭୮ ଲକ୍ଷ ଟଙ୍କା ପଡ଼ିଛି, ସରକନ୍ତରା ଗ୍ରାମ୍ୟ ରାସ୍ତା ନବୀକରଣ ଠପ୍‌

ଖଣ୍ଡଗିରି: ଦୀର୍ଘ ୭ ବର୍ଷ ହେଲା ୭୮ ଲକ୍ଷ ଟଙ୍କା ପଡ଼ି ରହିଛି ବ୍ୟାଙ୍କ ଜମାଖାତାରେ। ସୁଧ ଯେତିକି ବଢ଼ୁଛି, ଖଣ୍ଡିଆଖାବରା ରାସ୍ତାରେ ଗ୍ରାମବାସୀଙ୍କ ଦୁର୍ଦଶା ସେତିକି ବଢ଼ି ଚାଲିଛି। ବ୍ଲକ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ବର୍ତମାନ ପର୍ଯ୍ୟନ୍ତ ରାସ୍ତା ନବୀକରଣ କାମରେ ତତ୍ପରତା ପ୍ରଦର୍ଶନ କରାଯାଉନାହିଁ। ପୁଣି ଯେତିକି ରାସ୍ତାର କାମ ହୋଇଛି, ତାହା ଏତେ ନିମ୍ନମାନର ଯେ ମାତ୍ର ୬ଟା ମାସରେ କଂକ୍ରିଟ୍‌ ଢଳେଇ ଉଠିଗଲାଣି। ଏ ନେଇ ଭୁବନେଶ୍ବର ବ୍ଲକ ରଣସିଂପୁର ପଞ୍ଚାୟତର ସରକନ୍ତରା ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି କିଛି ସୁଫଳ ପାଇନଥିବା କହିଛନ୍ତି।

ସୂଚନାନୁସାରେ ସରକନ୍ତରା ଗାଁ ରାସ୍ତା ଦେଇ ସ୍ବେରେଜ୍ ବୋର୍ଡ ପକ୍ଷରୁ ପାଇପ୍ ଲାଇନ୍ ବିଛା ଯାଇଛି। କଳିଙ୍ଗବିହାର, ଏମ୍‌ସ ନଗର, ଡୁମୁଡୁମା ହାଉସିଂବୋର୍ଡ କଲୋନି ଓ ପାତ୍ରପଡ଼ା ଅଞ୍ଚଳରୁ ଏହି ପାଇପ୍ ଲାଇନ୍‌ ଏବରଙ୍ଗ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପର୍ଯ୍ୟନ୍ତ ଯାଇଛି। ତେଣୁ ଗ୍ରାମ୍ୟ ରାସ୍ତାକୁ କଂକ୍ରିଟ୍‌ ଢଳେଇରେ ନବୀକରଣ କରିବା ପାଇଁ ସ୍ବେରେଜ୍ ବୋର୍ଡ ଭୁବନେଶ୍ବର ବ୍ଲକରେ ୭୮ଲକ୍ଷ ଟଙ୍କା ଜମା କରି ସାରିଛି। ଉକ୍ତ ଅଂଶ ରାସ୍ତା ପଞ୍ଚାୟତ ଅଧୀନରେ ଥିବାରୁ ସ୍ବେରେଜ୍ ବୋର୍ଡ ଭୁବନେଶ୍ବର ବ୍ଲକକୁ ଏହି ଦାୟିତ୍ବ ହସ୍ତାନ୍ତର କରିଥିଲା। ମାତ୍ର ଏ ଭିତରେ ଦୀର୍ଘ ବର୍ଷ ବିତି ସାରିଥିଲେ ମଧ୍ୟ ରାସ୍ତା ନବୀକରଣ ଠପ୍ ହୋଇ ପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୬ମାସ ତଳେ ଜଣେ ଠିକାଦାର କିଛି କାମ କରିଥିଲେ। ମାତ୍ର ତାହା ଏତେ ନିମ୍ନମାନର ଥିଲା ଯେ ଗୋଟିଏ ବର୍ଷା ଋତୁରେ କଂକ୍ରିଟ୍‌ ଢଳେଇ ଉଠିଗଲାଣି। ଟେଣ୍ଡର୍‌ ପ୍ରକ୍ରିୟାକୁ ନେଇ ମଧ୍ୟ ଗ୍ରାମବାସୀମାନେ ସନ୍ଦେହ ପ୍ରକଟ କରିଛନ୍ତି।

ଏନେଇ ବିଭାଗୀୟ ଯନ୍ତ୍ରୀ ନବୀକରଣ କାମ ବିଳମ୍ବିତ ହେଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। କିନ୍ତୁ କିଛି ଦୋଷ ସ୍ବେରେଜ୍ ବୋର୍ଡ ଉପରକୁ ଠେଲି ଦେଇଛନ୍ତି। କେବଳ ଟଙ୍କା ଦେଲେ କ’ଣ ହେବ, ନବୀକରଣ ଅଂଶର ନକ୍ସା ସ୍ବେରେଜ୍ ବୋର୍ଡ ଠିକ୍‌ରେ ବ୍ଲକକୁ ଦେଇନାହିଁ। କେଉଁ ପିଟ୍‌ରୁ କେଉଁ ପିଟ୍‌କୁ ବିଭକ୍ତ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ୧୦ଟି ଅଂଶରେ ବିଭକ୍ତ ହେବାକୁ ଥିବା ଏହି ନବୀକରଣ କାମ ପାଇଁ ପୁଣି ଥରେ ସ୍ବେରେଜ୍ ବୋର୍ଡକୁ ନକ୍ସା ମଗା ଯାଇଛି ବୋଲି ସେ କହିଛନ୍ତି। ଟେଣ୍ଡର ପ୍ରକ୍ରିୟା ଓ ଠିକାଦାର ଚୟନ ଉପରେ ସେ କିଛି ମତାମତ ଦେଇପାରିନଥିଲେ। ତେବେ ନବୀକରଣ କାମରେ ଆର୍‌ଟିଆଇ(ସୂଚନା ଅଧିକାର ଆଇନ) ବଡ଼ ପ୍ରତିବନ୍ଧକ ସାଜିଛି ‌ବୋଲି ‌ସେ ପରୋକ୍ଷରେ ଇଙ୍ଗିତ କରିଥିଲେ।

ସମ୍ବନ୍ଧିତ ଖବର