ଶିଖରଚଣ୍ଡୀର ବିକାଶ ଆଶା ସଞ୍ଚାର, ସ୍ଥିତି ଅନୁଧ୍ୟାନ କଲେ ପର୍ଯ୍ୟଟନ ମନ୍ତ୍ରୀ

୭ ବର୍ଷ ତଳର ଯୋଜନା ପୂର୍ଣ୍ଣାଙ୍ଗ ହେବ

ଚନ୍ଦ୍ରଶେଖରପୁର,: ବଦଳିବ ଶିଖରଚଣ୍ଡୀର ରୂପ। ୨୦୧୩ରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବ୍ଲୁ-ପ୍ରିଣ୍ଟ କାର୍ଯ୍ୟକ୍ଷମ ହେବା ନେଇ ଏବେ ପୁଣିଥରେ ଆଶା ସଞ୍ଚାର ହୋଇଛି। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଅନୁରୋଧକ୍ରମେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ବ୍ଲୁପ୍ରିଣ୍ଟ କିଭଳି ପ୍ରସ୍ତୁତ ହୋଇଥିଲା? ଯୋଜନା କେଉଁଠି ଅଟକି ରହିଛି? ଆଉ କ’ଣ ଆବଶ୍ୟକତା ଅଛି? ଆଦି ବିଷୟରେ ପଚାରି ବୁଝିଥିଲେ। ଏଥିସହ ଶିଖରଚଣ୍ଡୀ ପାହାଡ଼ ଚାରିପାଖକୁ ଯେପରି ପର୍ଯ୍ୟଟକଙ୍କ ଉପଯୋଗୀ କରାଯାଇପାରିବ ସେନେଇ ବି ଆଲୋଚନା କରିଛନ୍ତି। ଯେତେଶୀଘ୍ର ସମ୍ଭବ ୭ ବର୍ଷ ତଳର ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆଶ୍ବାସନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ଗସ୍ତ ସମୟରେ ବିଭିନ୍ନ ବିଷୟକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଶିକ୍ଷା ଓ ଶିଳ୍ପାଞ୍ଚଳ ହବ୍‌ ଭିତରେ ଥିବା ଏହି ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଛି। ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର ବୃକ୍ଷଗୁଡ଼ିକର ସଂରକ୍ଷଣକୁ ପ୍ରାଥମିକତା ଦିଆଯିବ। ସକାଳ ସମୟରେ ମୟୂର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବରେ ପ୍ରକମ୍ପିତ ହୁଏ ଏହି ପାହାଡ଼। ତେଣୁ ‌ପର୍ଯ୍ୟଟକ ଯେପରି ସକାଳ ସମୟରେ ଆସି ଏଠାରେ ବିନା ବାଧାରେ ବୁଲିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ସନ୍ଧ୍ୟା ସମୟରେ ଏହି ଅଞ୍ଚଳ ଅନ୍ଧାର ହୋଇଥିବାରୁ ଅସାମାଜିକଙ୍କ ଆଡ୍ଡା ଜମୁଛି। ଏହାକୁ ଦୂର କରିବା ଲାଗି ପାହାଡ଼ ତଳୁ ଶିଖରଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଆଲୋକୀକରଣ କରାଯିବ। ବର୍ଷକର ୩୬୫ ଦିନ ମଧ୍ୟରୁ ଅଧିକାଂଶ ସମୟ ଏଠାରେ ଭୋଜିଭାତର ଆସର ଜମୁଛି। ତାହାକୁ ଦୃଷ୍ଟିରେ ରଖି ଏବେ ମନ୍ଦିର ନିକଟରେ ଥିବା ପିଣ୍ତିଗୁଡ଼ିକୁ ସୁବ୍ୟବସ୍ଥିତ କରିବାକୁ ଯୋଜନା ହୋଇଛି। ପିଣ୍ଡିଗୁଡ଼ିକୁ କଟେଜ୍‌ରେ ପରିଣତ କରିବା ନେଇ ବି ଆଲୋଚନା କରାଯାଇଛି। ଏହାର ବିକାଶ ଲାଗି ଯେଉଁ ୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା ସେନେଇ ଖୁବ୍‌ଶୀଘ୍ର ଇଡ୍‌କୋ ସହ ଆଲୋଚନା କରିବାକୁ ବି ନିଷ୍ପତ୍ତି ନିଆଯାଇଛି।

ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ଶିଖରଚଣ୍ଡୀ ହେଉଛି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଏହାର ବିକାଶ କରାଗଲେ ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି, ଏକାମ୍ରକାନନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସହ ଶିଖରଚଣ୍ଡୀ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଯିବ। ଯେଉଁମାନେ ନନ୍ଦନକାନନ ବୁଲିବାକୁ ଆସିବେ, ସେମାନେ ଏଠାରେ ପ୍ରାକୃତିକ ପରିବେଶର ମଜା ଉଠାଇ ପାରିବେ। ଖଣ୍ଡଗିରି-ଭରତପୁର ଅଭୟାରଣ୍ୟ-ଶିଖରଚଣ୍ଡୀ-ନନ୍ଦନକାନନ-ଚନ୍ଦକାକୁ ଗୋଟିଏ ରାସ୍ତାରେ ସଂଯୋଗ କରାଯାଉଛି। ଚନ୍ଦକାରୁ ଖଣ୍ଡଗିରି ରାସ୍ତା ଶେଷ ହୋଇଥିବା ବେଳେ ଚନ୍ଦକାରୁ ଏକାମ୍ରକାନନ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା କାମ ଜାରି ରହିଛି। ଆଉ କିଛି ମାସ ମଧ୍ୟରେ ଏହା ଶେଷ ହେବା ପରେ ଶିଖରଚଣ୍ଡୀ ପର୍ଯ୍ୟଟକଙ୍କ ଲାଗି ଅନ୍ୟତମ ଆକର୍ଷଣ ପାଲଟିବ।

ସୂଚନାଯୋଗ୍ୟ ଯେ ପର୍ଯ୍ୟଟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବେ ଶିଖରଚଣ୍ଡୀକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ଭୁବନେଶ୍ବରର ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଉଭୟ ବିଭାଗର ଏକ ଟିମ୍‌ ସେଠାକୁ ଏକାଧିକଥର ଗସ୍ତ କରିବା ସହ ପର୍ଯ୍ୟଟକଙ୍କ ଲାଗି କେଉଁଠି କେଉଁ ସୁବିଧା ହେବ, ସେନେଇ ଆଲୋଚନା କରିଥିଲେ। ବିଧାନସଭା ଷ୍ଟାଣ୍ଡିଂ କମିଟି ବି ପାହାଡ଼ର ବିକାଶ ଲାଗି ପ୍ରସ୍ତାବ ଦେଇଥିଲା। ତେବେ କିଛି ସୁଫଳ ମିଳି ପାରିନି। ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଇଛି।

ସମ୍ବନ୍ଧିତ ଖବର