ବାଲିପାଟଣା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହି ଦିନକୁ ମହା ଆଡ଼ମ୍ବରରେ ଲୋକେ ପାଳନ କରୁଥିବାବେଳେ ବିଭିନ୍ନ ପ୍ରକାର ଆତସବାଜିରେ ଆକାଶ ଝଲସି ଉଠେ। କିନ୍ତୁ ଦୀପାବଳି ଆସିଲେ ବନମାଳୀପୁରର ସେହି ବହୁଚର୍ଚ୍ଚିତ ବାଣ ବିସ୍ଫୋରଣ କଥା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ୭ ବର୍ଷ ତଳେ ୨୦୧୮ରେ ନୁଆସାହି ଜ୍ଞାନେନ୍ଦ୍ର ମିଶ୍ରଙ୍କ ବେଆଇନ ବାଣ କାରଖାନାରେ ନିଆଁ ଲାଗି ତାହା ଧ୍ବଂସସ୍ତୂପ ପାଲଟିଥିଲା। ବିସ୍ଫୋରଣରେ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କ ମଧ୍ୟ ଅକାଳ ମୃତ୍ୟୁ ଘଟିଲା। ପଡ଼ୋଶୀଙ୍କ ଘର ଭାଙ୍ଗି ଚୂରମାର ହେଲା।  ପୁଲିସ ତଦନ୍ତ ରୁ ଜଣାପଡ଼ିଲା ଯେ ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବିସ୍ଫୋରଣ ପରେ ଜ୍ଞାନେନ୍ଦ୍ରଙ୍କର ଅଉ ପତ୍ତା ମିଳିଲାନି। ସେ ସେଠାରୁ ଦୌଡ଼ି ପଳାଇଥିବା ଆଲୋଚନା ହେଲା। କିନ୍ତୁ ଏବେ ଏହି ଭୟଙ୍କର ଘଟଣାକୁ ୭ ବର୍ଷ ବିତିଥିଲେ ବି ଜ୍ଞାନେନ୍ଦ୍ର କେଉଁଠି ଅଛନ୍ତି ସେ ଖବର କାହା ପାଖରେ ନାହିଁ। ଜ୍ଞାନେନ୍ଦ୍ର ଜୀବିତ ନାଁ ମୃତ କାହା ପାଖରେ ଉତ୍ତର ନାହିଁ। ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି। ମାତ୍ର ପୁଲିସ ଏହି ସମ୍ବେଦନଶୀଳ ଘଟଣାର ଫାଇଲ୍‌କୁ ଶୀତଳ ଭର୍ଡାରକୁ ଠେଲି ଦେଇଛି। ତେଣୁ ରଶ୍ମିତାଙ୍କ ମୃତ୍ୟୁ ବି ରହସ୍ୟ ହୋଇ ରହିଯାଇଛି। ଉଦେଶ୍ୟମୂଳକ ଭାବେ ତାଙ୍କୁ ମାରା ଯାଇଛି ନା ବାଣ କାରଖାନାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ଆଜି ଯାଏଁ ସ୍ପଷ୍ଟ ହେଲା ନାହିଁ। ସେଦିନ ସେଠାରେ ଉପସ୍ଥିତ ଥିବା ଜ୍ଞାନେନ୍ଦ୍ର ହିଁ ଏହି ଘଟଣା ର ଏକମାତ୍ର ମୁକ ସାକ୍ଷୀ।

Advertisment

ବାଣ ବିସ୍ଫୋରଣରେ ଗଡ଼ିଲାଣି ଅନେକ ମୁଣ୍ଡ
୨୦୧୮ରେ ନୁଆସାହି  ଗ୍ରାମର ନୃସିଂହ ମିଶ୍ରଙ୍କ ପୁଅ ଜ୍ଞାନେନ୍ଦ୍ର ମିଶ୍ରଙ୍କ ପତ୍ନୀ ରଶ୍ମିତା ମିଶ୍ରଙ୍କ ଦେହାନ୍ତ ଏହି ଅଞ୍ଚଳରେ ବାଣ ବିସ୍ଫୋରଣ କ୍ଷେତ୍ରରେ ବଡ଼ ଅଘଟଣ ଥିଲା। ଏହା ପୂର୍ବରୁ ୧୯୯୯ରେ  ନୃସିଂହଙ୍କ ବଡ଼ ପୁଅ ନଗେନ୍ଦ୍ରଙ୍କର ବି ବାଣ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ସେହିପରି ବାଣ ବିସ୍ଫୋରଣରେ ବାଲିକୁଦା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଁ ଶୋଭାଯାତ୍ରା ଦେଖୁଥିବା ଅବସ୍ଥାରେ ଗଛରେ ବାଣ ବିସ୍ଫୋରଣରେ ନରିଶୋର ସୁଶାନ୍ତ ଷଡ଼ଙ୍ଗୀଙ୍କ ପୁଅ ସ୍ମୃତି ରଞ୍ଜନ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖୁବ୍‌ ନିକଟରେ ଚଳିତ ବର୍ଷ ଆରମ୍ଭରେ ନରିଶୋ ହାଟୁଆ ସାହିର ବାଣୁଆ ପୂର୍ଣ୍ଣଚନ୍ଦ୍ର ଦାସ ବାଣ ବିସ୍ଫୋରଣରେ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସେହି ଭୟଙ୍କର ବିସ୍ଫୋରଣ
ସେଦିନ ଥିଲା ୨୦୧୮ ମସିହା ନଭେମ୍ବର ୧ ତାରିଖ। ସକାଳ ପ୍ରାୟ ୧୦ଟା ପାଖା ପାଖି ହେବ। ହଠାତ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ବନମାଳୀପୁର ଅଞ୍ଚଳ। ମାଇଲ ମାଇଲ ଦୂରକୁ ବିସ୍ଫୋରଣ ଶବ୍ଦ ପ୍ରକମ୍ପିତ କଲା। ଆଖପାଖ ଗାଁରେ ଭୁମିକମ୍ପର ଭ୍ରମ ସୃଷ୍ଟି ହେଲା। ଗାଈଗୋରୁ ଛେଳି ମେଣ୍ଢା ଅତର୍କିତ ଭାବେ ଦୌଡ଼ିବାରେ ଲାଗିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାଣ ଭିଡ଼ା ହେଉଥିବା ଘରର ଛାତ ଉଡ଼ି ଯାଇଥିଲା। ବାଣ କାରଖାନା ମାଲିକ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କ ଖଣ୍ଡବିଖଣ୍ଡିତ ଶବ ଗାଁରେ ଏଣେ ତେଣେ ବିଛେଇ ହୋଇ ପଡିଥିଲା। ବାଣ କାରଖାନା ର ମୁଖ୍ୟ ଜ୍ଞାନେନ୍ଦ୍ର ମିଶ୍ରଙ୍କ ସେହି ଦିନୁ ପତ୍ତା ମିଳୁ ନାହିଁ। ଅନ୍ୟପକ୍ଷରେ ଜ୍ଞାନେନ୍ଦ୍ରଙ୍କ ଘର ଏବେ ବଣ ଜଙ୍ଗଲ ହୋଇ ପରିତ୍ୟକ୍ତ ହୋଇ ପଡ଼ିଛି। ତାଙ୍କର ୨ ଝିଅ ବନ୍ଧୁବାନ୍ଧବଙ୍କ ଘରେ ରହି ପଢୁଛନ୍ତି। ତେବେ ମଝିରେ ମଝିରେ ଜ୍ଞାନ ସେଠାକୁ ଆସୁଥିବା ଚର୍ଚ୍ଚା ହେଉଛି।

ଏବେ ବି ଚାଲିଛି ବେଆଇନ ବାଣ ଭିଡ଼ା
ବାଲିପାଟଣାର ଅନେକ ସ୍ଥାନରେ ଚୋରାରେ ବାଣ ଭିଡ଼ା ଚାଲିଛି। କିଛି ବର୍ଷ ଭିତରେ ବାଣ ଅଘଟଣରେ ପ୍ରାୟ ସାତ ଆଠ ଜଣଙ୍କ ମୃତ୍ୟୁ ଘଟିଲାଣି। ପର୍ବପର୍ବାଣିରେ ବାଣ ଫୁଟାଇ ଅନେକ ଆହତ ଓ ଅକ୍ରମଣ୍ୟ ହେବାର ବି ନଜୀର ରହିଛି। ତେବେ ଚିନ୍ତାର ବିଷୟ ଯେ ପୁଲିସ ପାଖରେ ବାଣୁଆଙ୍କ ସୂଚନା ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ସୂଚନା ଅନୁସାରେ ବାଲିପାଟଣା ଥାନା ଅଞ୍ଚଳରେ ଏକାଧିକ ବେଆଇନ ବାଣ କାରଖାନା ଚାଲିଛି। ବାଲିପାଟଣାର ନରିଶୋ, ଗୁଆପୁର, ବନମାଳୀପୁର ପ୍ରଭୃତି ଅନେକ ସ୍ଥାନରେ ଚୋରାରେ ବାଣ କାରଖାନା ଚାଲୁଛି। ପାଖପଡୋଶୀ ଭୟରେ ମୁହଁ ଖୋଲୁ ନାହାନ୍ତି।