ଖୋର୍ଧାର ୭୦% କରୋନା ମୃତ୍ୟୁ ରାଜଧାନୀରୁ: ଦିନକରେ ୩୨୯ ପଜିଟିଭ୍, ୩ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ କରୋନା ମୃତ୍ୟୁ ବଢ଼ି ବଢ଼ି ଚାଲିଛି। ଗତ ୨୯ଦିନରେ ୪୯ଜଣଙ୍କ ସରକାରୀ ଭାବେ ମୃତ୍ୟୁ ହୋଇ ସାରିଲାଣି। ଆଜି ୩ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ପରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଆଜି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫୦, ୬୦ ଓ ୭୩ବର୍ଷର ପୁରୁଷ ରହିଛନ୍ତି। ତେବେ ୩ ମୃତକଙ୍କ କୌଣସି ଜଟିଳ ରୋଗ ନ ଥାଇ ମଧ୍ୟ ସେମାନେ କରୋନାର ଶିକାର ହୋଇଛନ୍ତି। ଖୋର୍ଧା ଗ୍ରାମାଞ୍ଚଳରେ ମାତ୍ର ୪୦ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ୭୦ ପ୍ରତିଶତ ମୃତ୍ୟୁ ରାଜଧାନୀରୁ ରେକର୍ଡ କରାଯାଇଛି।

ଭୁବନେଶ୍ବରରେ ଏକାଧିକ କୋଭିଡ୍‌ ହସ୍ପିଟାଲ ସହ ଆଇସିୟୁ ଓ ଭେଣ୍ଟିଲେଟର୍‌ ସୁବିଧା ସତ୍ତ୍ବେ ମୃତ୍ୟୁକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। ସରକାରଙ୍କ ପକ୍ଷରୁ ବହୁ ସଂଖ୍ୟାରେ ଶଯ୍ୟା ଖାଲି ରହିଥିବା କୁହାଯାଉଥିଲେ ହେଁ ସାଧାରଣ ଲୋକଟିଏ ଶଯ୍ୟା ପାଇବା ଲାଗି ସଂଘର୍ଷ କରିବାକୁ ପଡ଼ୁଛି। ପ୍ରତ୍ୟେକ ଦିନ ଏଭଳି ବହୁ ଅଭିଯୋଗ ଆସୁଛି ରାଜଧାନୀରୁ। ଅପରପକ୍ଷରେ ଭୁବନେଶ୍ବରରୁ କରୋନା ସଂକ୍ରମଣ ୩ଶହ ତଳକୁ ଖସୁନାହିଁ। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୨୬ରେ ପହଞ୍ଚିଛି। ୩୨୯ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ମାତ୍ର ୭୯ ଚିହ୍ନଟ ହୋଇଥିବା ବେଳେ ୨୫୬ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଏଥିରେ ନନ୍ଦନବିହାର, ଲକ୍ଷ୍ମୀସାଗର, ୟୁନିଟ୍‌-୨, ୟୁନିଟ୍‌-୪, ୟୁନିଟ୍‌-୬, ବାଣୀବିହାର, ଭିଏସ୍‌ଏସ୍‌ ନଗର, ସତ୍ୟନଗର, ଚିନ୍ତାମଣିଶ୍ବର, ବିଜେବି ନଗର, ବଡ଼ଗଡ଼, ଜାଗମରା, ଗୌତମ ନଗର, ଗୋପବନ୍ଧୁ ଛକ, କଳିଙ୍ଗନଗର ଓ ଅନ୍ୟ ଅଞ୍ଚଳରୁ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ୧୯ଜଣ ନୂଆପଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ୟୁନିଟ୍‌-୯ରୁ ୧୫, ପୁରୁଣା ଭୁବନେଶ୍ବରରୁ ୧୧, ରସୁଲଗଡ଼ରୁ ୧୪, ପଟିଆରୁ ୧୦, ଭିଏସ୍‌ଏସ୍‌ ନଗରରୁ ୮, ସୁନ୍ଦରପଦାରୁ ୭, ଲକ୍ଷ୍ମୀସାଗର ଓ ଝାରପଡ଼ାରୁ ୬ ଲେଖାଏଁ, ଶୈଳଶ୍ରୀ ବିହାର, ଜୟଦେବ ବିହାର ଓ ଅନ୍ୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୯୫ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୭, ୮୯୨କୁ ବୃଦ୍ଧି ପାଇଛି। ସୁସ୍ଥ ହାର ୮୨ ପ୍ରତିଶତ ରହିଛି। ମାତ୍ର ଏହା ରାଜ୍ୟର ସୁସ୍ଥ ହାରଠାରୁ କମ୍‌। ରାଜଧାନୀରେ ଏବେ ୩୫୨୬ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର