ଭୁବନେଶ୍ବର: ଓଡ଼ିଶାରେ ସାହିତ୍ୟ ପତ୍ରିକାଙ୍କର ମଡ଼କ ପଡ଼ିଥିବାବେଳେ ହାତଗଣତି ଅଳ୍ପ କେତେଟି ମାସିକ ସାହିତ୍ୟ ପତ୍ରିକା ପ୍ରକାଶିତ ହେଉଛି। ତେବେ ଦଶହରା ସମୟରେ ବେଶ୍‌ କିଛି ପତ୍ରିକା ପ୍ରକାଶିତ ହୁଏ। ଯେତେ କଷ୍ଟ ହେଲେ ମଧ୍ୟ ସଂପାଦକମାନେ ନିଜ ପତ୍ରିକାକୁ ଅନ୍ତତଃ ଦଶହରାରେ ଥରଟିଏ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି। ତେଣୁ ପ୍ରତିବର୍ଷ ଓଡ଼ିଆ ପତ୍ରିକାର ପୂଜା ବିଶେଷାଙ୍କକୁ ପ୍ରତୀକ୍ଷା କରିଥା'ନ୍ତି ଉଭୟ ଲେକକ ଓ ପାଠକ। ଓଡ଼ିଆ ପତ୍ରିକାର ଭଲ ସମୟରେ କିଛିବର୍ଷ ତ‌ଳେ ପୂଜାରେ ୨୦୦ ପାଖାପାଖି ଓଡ଼ିଆ ସାହିତ୍ୟ ପତ୍ରିକା ପ୍ରକାଶିତ ହେଉଥିଲା। କିନ୍ତୁ ଏଥର ଆଜିସୁଦ୍ଧା ପ୍ରାୟ ୭୦ଟି ପତ୍ରିକା ବଜାରକୁ ଆସିଛି। ଆଉ ଅତିବେଶୀରେ ପ୍ରାୟ ୫-୧୦ଟି ଆସିବ। ତେଣୁ ଆସି ସାରିଥିବା ଓ ଆସିବାର ସୂଚନା ଥିବା ପତ୍ରିକାଙ୍କୁ ମିଶାଇଲେ, ଏଥର ଦଶହରା ଓଡ଼ିଆ ସାହିତ୍ୟ ପତ୍ରିକାର ସଂଖ୍ୟା ଅତିବେଶୀରେ ୭୫ରୁ ୮୦ଟି ଭିତରେ ସୀମିତ ରହିବ।

Advertisment

୨୦୦ ଜାଗାରେ ଏଥର ୭୦ ପୂଜା ପତ୍ରିକା
କରୋନା ପରଠାରୁ ପ୍ରତିବର୍ଷ ୨୦ ପତ୍ରିକାର ମୃତ୍ୟୁ ଘଟୁଛି

ପୂଜା ପତ୍ରିକାସବୁ ଏଥର ସେପ୍ଟେମ୍ବର ଶେଷ ସପ୍ତାହରୁ ବଜାରକୁ ଆସିବା ଆରମ୍ଭ କରିଦେଇଥିଲେ। ଚଳିତ ବର୍ଷ ବଜାରରେ ଉପଲବ୍ଧ ହେଉଥିବା ପତ୍ରିକା ମଧ୍ୟରେ ରହିଛି ‘କଥା’, ‘କାଦମ୍ବିନୀ’, ‘ପକ୍ଷୀଘର’, ‘ବିଶ୍ବମୁକ୍ତି’, ‘ପଲକ’, ଯୁଗଶ୍ରୀ ଯୁଗନାରି’, ‘ଚନ୍ଦନ ଧାରା’, ‘ଆକାଂକ୍ଷା’, ‘ଲେଖାଲେଖି’, ‘ସାହିତ୍ୟ ଦର୍ପଣ’, ‘ସାହିତ୍ୟର ସ୍ୱର’, ‘ସାହିତ୍ୟ ଚର୍ଚ୍ଚା’, ‘ଶିବାନୀ’, ‘ନବଲିପି’, ‘ନିଶବ୍ଦ’, ‘ବନଫୁଲ’, ‘ଶତଦ୍ରୁ’, ‘ପରାଗ’, ‘ନବରାଗ’, ‘ଶିଶିର’, ‘ପାହାଚ’,  ‘ମହୁରି’, ‘ସୌରଭ’, ‘ମୌସୁମୀ’, ‘ଶ୍ୱେତ ସଂକେତ’, ‘ଶୋଭନା’, ‘ବିଭାବନା’, ‘ଚିରସମର୍ଥା’, ‘ଝର୍କା’, ‘ଝଙ୍କାର’, ‘ଅପୂର୍ବା’, ‘ସତ୍ୟବାଦୀ’, ‘ଭିଜାମାଟି’, ‘ଆଇନା’, ‘ଗୋକର୍ଣ୍ଣିକା’, ‘ରଜନୀଗନ୍ଧା’, ‘କଳ୍‌କୀ’, ‘ଅକ୍ଷାଂଶ’, ‘ଝରଣା’, ‘ସୁଧନ୍ୟା’, ‘ତୀରତରଙ୍ଗ’, ‘କଥାକଳିକା’, ‘ରେବତୀ’ ଓ ‘ସ୍ବରସଙ୍କେତ’ ଆଦି। ଏସବୁର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୪୫୦ ଟଙ୍କାକୁ ଛୁଇଁଛି। ଏଥର ସବୁଠୁ ଅଧିକ ମୂଲ୍ୟ ଥିବା ପତ୍ରିକା ହେଉଛି ‘ପକ୍ଷୀଘର’। ୬୨୪ ପୃଷ୍ଠାର ଏହି ବିଶାଳକାୟ ପତ୍ରିକାର ମୂଲ୍ୟ ରହିଛି ୪୫୦ ଟଙ୍କା।  ଅନ୍ୟପକ୍ଷରେ ପ୍ରତିପୂଜା ଭଳି ଏଥର ମଧ୍ୟ 'ସମ୍ବାଦ ବାର୍ଷିକ ବିଶେଷାଙ୍କ’ ବିକ୍ରିରେ ସବୁଠୁ ଆଗରେ ରହିଛି। ୨୯୨ପୃ‌ଷ୍ଠାର ଏହି ବିଶେଷାଙ୍କର ମୂଲ୍ୟ ୭୫ ଟଙ୍କା ରହିଥିବା ବେଳେ ଏଥିରେ ୧୯ଟି ପ୍ରବନ୍ଧ, ୩୨ ଗଳ୍ପ ଓ ୩୯ଟି କବିତା ରହିଛି। 

ଏଥର ବହୁ ସଂପାଦକ, ପତ୍ରିକା ବିକ୍ରେତା, ପାଠକ ଓ ଲେଖକଙ୍କ ସହିତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପୂର୍ବରୁ ପୂଜା ପତ୍ରିକାଙ୍କର ବେଶ୍‌ ଭଲ ଚାହିଦା ରହିଥିଲା। କିନ୍ତୁ କରୋନା ସମୟରେ ପତ୍ରିକାର ସଂଖ୍ୟା ଉଦ୍‌ବେଗଜନକ ଭାବେ କମି ଯାଇଥିଲା ଓ ସେ ପ୍ରକ୍ରିୟା ଜାରି ରହିଛି। ପତ୍ରିକା ଥରେ ବନ୍ଦ ହେଇଗଲେ ଆଉ ଆରମ୍ଭ ସହଜ ହୁଏନି, ଆଗ୍ରହ ମଧ୍ୟ ରହେନି। ପତ୍ରିକାଗୁଡ଼ିକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉନଥିବା ଓ କୌଣସି ସହଯୋଗ ମିଳୁନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ପତ୍ରିକା ହେଉଛି ସମକାଳୀନ ସାହିତ୍ୟର ମୁକସାକ୍ଷୀ। ଏନେଇ ସରକାର ଖୁବ୍‌ଶୀଘ୍ର କିଛି ନିଷ୍ପତ୍ତି ନନେଲେ ପତ୍ରିକାଜଗତ ଘୋର ଅନ୍ଧକାର ଭିତରକୁ ଠେଲି ହୋଇଯିବ ବୋଲି ସମସ୍ତେ ଏକସ୍ବରରେ କହିଛନ୍ତି।