ଭୁବନେଶ୍ବର: ଦ୍ବୈତନଗରୀରେ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାକୁ ପୁଞ୍ଜିନିବେଶ ନାଁରେ ତ କାହାକୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଲୁଟୁଛନ୍ତି। ଷ୍ଟକ୍ ମାର୍କେଟ୍ ପ୍ରଲୋଭନରୁ ଆରମ୍ଭ କରି ବିଭିନ୍ନ ଲୋନ୍ କରାଇବା, ଅନ୍ଲାଇନ୍ ସପିଂ, ଟ୍ରାଭେଲ ଟିକେଟ୍, ବୀମା, କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇବା, ଲୋନ୍ ଆପ୍, ନ୍ୟୁଡ୍ କଲ୍, ବକେୟା ବିଦ୍ୟୁତ୍ ବିଲ୍ ପୈଠ ଆଳରେ ବିଭିନ୍ନ ମାଧ୍ୟମରେ ସାଇବର ଠକମାନେ ଲୋକଙ୍କୁ ଫସାଉଛନ୍ତି। ସେହିଭଳି ସାଇବର ସୁନ୍ଦରୀ ବେଶରେ ଫସାଇବା ପରେ ବ୍ଲାକ୍ମେଲ୍ କରି ଲୁଟୁଛନ୍ତି। ପୁଲିସ ଯେତେ ସଚେତନ କଲେ ବି ଲୋକମାନେ ଚେତୁ ନାହାନ୍ତି। ଉଦ୍ବେଗର କଥା ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ହିଁ ସାଇବର ଠକଙ୍କ ଜାଲରେ ଫସୁଛନ୍ତି। ୧୦ମାସରେ କଟକ-ଭୁବନେଶ୍ବରରେ ହୋଇଥିବା ସାଇବର ଠକେଇ ତଥ୍ୟରୁ ଜଣାପଡ଼ିଛି ଯେ ଠକମାନେ ୭୦.୬ କୋଟି ଟଙ୍କା ଲୁଟି ନେଇଛନ୍ତି। ମାମଲା ରୁଜୁ କରି ପୁଲିସ ୧୨.୮ କୋଟି ଟଙ୍କା ଫ୍ରିଜ୍ କରିଛି ଏବଂ ଲେକାଙ୍କୁ ୨.୫କୋଟି ଟଙ୍କା ଫେରସ୍ତ କରିଛି। ସେହିପରି ଆଉ ୫ କୋଟି ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି ଅବଧିରେ ପୁଲିସ ରାଜ୍ୟରୁ ଓ ରାଜ୍ୟ ବାହାରୁ ୪୦ ସାଇବର ଠକଙ୍କୁ ବାନ୍ଧି ଜେଲ୍ରେ ପୂରାଇଛି।
ଭୁବନେଶ୍ବରରେ ସର୍ବାଧିକ ୨୭୬ ମାମଲା ରୁଜୁ ହୋଇଛି ଏବଂ ପାଖାପାଖି ୭କୋଟି ଟଙ୍କା ଠକେଇ ହୋଇଛି। ୨୫ ମାମଲାରେ ପୁଲିସ ୩୭ ସାଇବର ଠକଙ୍କୁ ବାନ୍ଧିବା ସହ ୧.୯କୋଟି ଟଙ୍କା ଫେରାଇଛି। ଠକଙ୍କ କବଳରୁ ୧୨.୮କୋଟି ଟଙ୍କା ଫ୍ରିଜ୍ କରିଛି। ସେହିପରି କଟକ ସାଇବର ଥାନା ପୁଲିସ ୭୩ଟି ମାମଲା ରୁଜୁକରିଥିବା ବେଳେ ୬୪.୫ ଲକ୍ଷ ଟଙ୍କା ଠକେଇ ହୋଇଛି। ୩ଟି ମାମଲାରେ ପୁଲିସ ୩ ସାଇବର ଠକଙ୍କୁ ବାନ୍ଧିବା ସହ ସମସ୍ତ ୬୪.୫ ଲକ୍ଷ ଟଙ୍କା ଲୋକଙ୍କୁ ଫେରାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ ଠକେଇର ଶିକାର ହୋଇଥିଲେ ଗୋଲ୍ଡେନ୍ ଆୱାର ଅର୍ଥାତ ଘଣ୍ଟାଏ ଭିତରେ ହେଲ୍ପ ଲାଇନ୍ ‘୧୯୩୦’ରେ କଲ୍ କରି ହେଉ କି ଚକ୍ଷୁ (ସିଏଚ୍ଏକେଏସ୍ଏଚ୍ୟୁ) ପୋର୍ଟାଲ୍ରେ ରିପୋର୍ଟ ଦେବା ଠିକ୍ ପଦକ୍ଷେପ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/cyber-fraud.jpg)