କାଟିଦେଲେ ୭୦ ବିଶାଳ ବୃକ୍ଷ: କ୍ବାର୍ଟର୍ସ ଖାଲି ହେବା ପୂର୍ବରୁ ଗଛ ମୂଳପୋଛ, ସିଟି ଫରେଷ୍ଟ ଡିଭିଜନ୍‌ ପାଖରେ ଖବର ନାହିଁ

ଭୁବନେଶ୍ୱର: ବୃକ୍ଷ ଶୂନ୍ୟ ହେବ ରାଜଧାନୀ। ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ବୃକ୍ଷ ଛେଦନ ଚାଲିଛି। ମାସେ ହେଲା, ସହରରେ ବେଧଡ଼କ ଭାବେ ଗଛ କଟା ଯାଉଛି। ତା’ ପୁଣି ସରକାରୀ ବାବୁଙ୍କ ଛତ୍ରଛାୟା ତଳେ। ଉତ୍କଳ ହସ୍ପିଟାଲରୁ ଓଇଆରସି ରାସ୍ତାର ମେଡିଆନ୍‌ରୁ ପାଖାପାଖି ହଜାରେ ଗଛ କଟାଯିବା ନେଇ ‘ସମ୍ବାଦ’‌ରେ ଖବର ପ୍ରକାଶ ପରେ ବାବୁମାନେ ଟିକି‌ଏ କୋହଳ ମନୋଭାବ ପୋଷଣ କରିଛନ୍ତି। ମେଡିଆନ୍‌ ମଧ୍ୟ ଭାଗରେ ଥିବା ଗଛ ନ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ମା‌ତ୍ର ନକ୍ସା ବଦଳାଇଲେ ନାହିଁ। ଦୁଇଦିନ ତଳେ ୪୦୦ ଗଛ କାଟିଥିବା ବେଳେ ଆଗକୁ ଆଉ କେତେ ଗଛ କଟାଯିବ, ତାହା ଆକଳନ କରିବା ବି ମୁସ୍କିଲ। ଏବେ ପୁଣି ୬୦ରୁ ୭୦ବର୍ଷ ପୁରୁଣା ଗଛକୁ ବି ବଳି ଦିଆଯାଇଛି। ୟୁନିଟ୍‌-୪ ଅଞ୍ଚଳରେ ଥିବା ବିଧାୟକ କ୍ବାର୍ଟର୍ସ ଆଧୁନିକୀକରଣ ଲାଗି ୭୦ରୁ ଅଧିକ ବିଶାଳ ବୃକ୍ଷ କଟା ସରିଲାଣି। କିଏ କାଟୁଛି? କାହିଁକି କାଟୁଛି, ସେନେଇ କାହା ପାଖରେ ଖବର ନାହିଁ। ଅନୁମତି ଦିଆଯିବା ନେଇ ସିଟି ଫରେଷ୍ଟ ଡିଭିଜନ୍‌ ପା‌ଖରେ କୌଣସି ଖବର ନ ଥିବା ବେଳେ ବିଧାୟକ କ୍ବାର୍ଟର୍ସ ନିର୍ମାଣ କରୁଥିବା ସଂସ୍ଥା ଏ ବିଷୟରେ ଜାଣି ନ ଥିବା କହିଛି।

ସୂଚନା ଅନୁଯାୟୀ, ବର୍ତମାନର ବିଧାୟକ କଲୋନିର ରୂପରେଖ ବଦଳିବ। ସାଧାରଣ ପ୍ରଶାସନ ବିଭାଗ ଅଧୀନ ୪୨ଟି କ୍ବାଟର୍ସକୁ ଭଙ୍ଗାଯିବା ସହ ସେଠାରେ ନୂଆ ବିଲଡିଂ ନିର୍ମାଣ କରାଯିବ। ବହୁତଳ କୋଠା ସହ ସେଠାରେ ଗାର୍ଡେନ୍‌, ଜିମ୍‌, ବିଶ୍ରମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ। କମ୍ୟୁନିଟି ହଲ୍‌, କଲ୍ୟାଣ ମଣ୍ଡପ, ମଲଟି ଜିମ୍‌, ଖାଲି ସ୍ଥାନ, ମର୍ଣ୍ଣିଂ ୱାର୍କ, ବ୍ୟବସାୟ ପ୍ରତିଷ୍ଠାନ ରହିବ। ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ବି ଉପଲବ୍ଧ ହେବ। ଏହି ପ୍ରକଳ୍ପ ଲାଗି ପ୍ରାୟ ୪୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କୋଠାର ନିର୍ମାଣ ଦାୟିତ୍ବ ଓଡ଼ିଶା ବ୍ରିଜ୍ ଓ ନିର୍ମାଣ ନିଗମ (ଓବିସିସି)କୁ ଦିଆଯାଇଛି। କିନ୍ତୁ ଏବେ ସୁଦ୍ଧା ସମସ୍ତ କ୍ବାର୍ଟର ଖାଲି ହୋଇ ନାହିଁ। ଆହୁରି କିଛି କ୍ବାର୍ଟର୍‌ ଭଙ୍ଗାଯିବା ବାକି ରହିଛି। ତା’ପୂର୍ବରୁ ଗଛ କାଟି ସଫା କରି ଦିଆଯାଇଛି।

ନିୟମ ଅନୁଯାୟୀ ସରକାରୀ ହୁଅନ୍ତୁ କି ବେସରକାରୀ ସଂସ୍ଥା, ଗଛ କାଟିବା ପୂର୍ବରୁ ସିଟି ଫରେଷ୍ଟ ଡିଭିଜନ୍‌ଙ୍କ ଅନୁମତି ନେବା ଆବଶ୍ୟକ। ଏଥିସହ ଯେତିକି ଗଛ କାଟିବେ, ତାହାର ୧୦ଗୁଣ ଗଛ ଲଗାଇବେ। ମାତ୍ର ତାହାକୁ ଏଠାରେ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ବନବିଭାଗ ଅଧିକାରୀଙ୍କ ନିକଟରେ କୌଣସି ଖବର ନାହିଁ। ସେପଟେ କାମ ନେଇଥିବା ସଂସ୍ଥାର ଅଧିକାରୀମାନେ ଗଛ କଟାଯିବା ଘଟଣାରେ ଚୁପ୍‌ ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ୬୦ରୁ ୭୦ବର୍ଷ ତଳେ ଏଠାରେ ପିପଳି, ଜାମୁ, ଆମ୍ବ ଓ ପଣସ ପରି ବହୁ ମୂଲ୍ୟାୟନ ଗଛ ଲଗା ଯାଇଥିଲା। ବନ ବିଭାଗ ବି ଏହି ଗଛଗୁଡ଼ିକ ଲଗାଇଥିଲା। ପରବର୍ତ୍ତୀ ସମୟରେ ଗା‌ର୍ଡେନ୍‌ରେ ବହୁ ପରିମାଣ ଫଳ ଗଛ ମଧ୍ୟ ଲାଗିଥିଲା। ଏହାଦ୍ବାରା ଗ୍ରୀଷ୍ମ ଋତୁରେ ଏଠାକାର ପରିବେଶ ଥଣ୍ଡା ରହୁଥିଲା। ବିଧାୟକଙ୍କ ନିକଟକୁ ଆସୁଥିବା ଲୋକ ବସୁଥିଲେ। ଗଛ ତଳେ ବହୁ ପିଲା ବସି ପରୀକ୍ଷା ଲାଗି ପଢ଼ାପଢ଼ି କରୁଥିଲେ। ଗଛ କାଟିବା ଅପେକ୍ଷା ତାହାର ସୁରକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା।

ସମ୍ବନ୍ଧିତ ଖବର