୭୧ ବର୍ଷରେ ଭୁବନେଶ୍ବର, ଦି’ଭାଗ ହେବ ସହରାଞ୍ଚଳ ପୁଲିସ ଜିଲ୍ଲା

ଭୁବନେଶ୍ୱର: ୭୧ ବର୍ଷରେ ପଦାର୍ପଣ କରିଛି ଭୁବନେଶ୍ବର। ପ୍ରତ୍ୟେକ ଦିନ ଜନସଂଖ୍ୟା ବଢ଼ୁଥିବା ବେଳେ ବଢ଼ୁଛି ଅପରାଧ। ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ଲଗାତାର ଉଦ୍ୟମ ଅବ୍ୟାହତ ରଖିଥିଲେ ମଧ୍ୟ ଅପରାଧୀ ଖସିଯିବାକୁ ସକ୍ଷମ ହେଉଛି। ଅପରାଧର ମାତ୍ରା ସେତେ ପରିମାଣରେ ବଢ଼ିନଥିଲେ ମଧ୍ୟ ଜନସାଧାରଣଙ୍କୁ ଆତଙ୍କିତ କରୁଥିବା ଅପରାଧ କ୍ରମାଗତ ଭାବରେ ଘଟୁଥିବାରୁ ପୁଲିସର ମୁଣ୍ଡବିନ୍ଧା ବଢ଼ିଛି। ସେଥିପାଇଁ ଆଉ ଏକ ସହରାଞ୍ଚଳ ପୁଲିସ ଜିଲ୍ଲା(ୟୁପିଡି)ଗଠନର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ପୂର୍ବରୁ ଏକ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେଥିରେ କିଛି ସମସ୍ୟା ଥିବାରୁ ତାହା କାଟ୍‌ ଖାଇଛି। ଏଥିପାଇଁ ସବୁ ଦିଗକୁ ଆଖି ଆଗରେ ରଖି ଏକ ନୂତନ ଭାବେ ପ୍ରସ୍ତୁତ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇଛି। ଦୁଇଟି ଭାବରେ ବିଭକ୍ତ ହେଲେ ବା ଦୁଇଟି ୟୁପିଡି ହେଲେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଓ ସୁରକ୍ଷାରେ ସୁଧାର ଆସିବ ବୋଲି ଶ୍ରୀ ମହାନ୍ତି ଆଶାବାଦୀ ଅଛନ୍ତି। ଭୁବନେଶ୍ବରର ୭୧ତମ ପ୍ରତି‌ଷ୍ଠା ଦିବସରେ ଆଜି ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏହା ପ୍ରକାଶ କରିବା ସହ ଅପରାଧ ନିୟନ୍ତ୍ରଣ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତିକି ଥାନା ରହିଛି, ତା’ଠାରୁ ଆହୁରି ଦୁଇ ବା ତିନୋଟି ଅଧିକ ଥାନାର ଆବଶ୍ୟକତା ରହିଛି। କେତେକ ଥାନା ଯେଉଁଥିରେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ ମାମଲା ରୁଜୁ ହେଉଛି ଏବଂ ଜନସଂଖ୍ୟା ମଧ୍ୟ ସୀମାଠାରୁ ଅଧିକ ହୋଇଛି, ସେଠାରେ ଥାନାର ବିଭାଜନ ଆବଶ୍ୟକତା ରହିଛି। ଖଣ୍ଡଗିରି ଥାନାକୁ ବିଭାଜନ ପାଇଁ ପ୍ରସ୍ତାବ ରହିଛି। କେତେକ ଥାନା ଉପରେ କାମର ବୋଝ ରହିଛି। ଜନସଂଖ୍ୟା ଲକ୍ଷେ ଭିତରେ ରହିଲେ ସେଠାରେ ଗୋଟିଏ ଥାନାର ଆବଶ୍ୟକତା ହୋଇଥାଏ। ଏବେ ଖଣ୍ଡଗିରି ଥାନା ଅଧୀନରେ ଜନସଂଖ୍ୟା ୨ଲକ୍ଷରୁ ଊର୍ଦ୍ଧ୍ବ ରହିଛି। ସେହିଭଳି ମଞ୍ଚେଶ୍ବର, ସହିଦନଗର ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଲୋକସଂଖ୍ୟା ଲକ୍ଷେରୁ ଅଧିକ ରହିଛି ଏବଂ କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲିଛି। ଭଡ଼ାଟିଆଙ୍କ ସଂଖ୍ୟା ମଧ୍ୟ ଅନ୍ୟତମ କାରଣ ହୋଇଛି। କାଗଜପତ୍ରରେ ଜନସଂଖ୍ୟା କମ୍‌ ଦିଶୁଥିବା ବେଳେ ବାସ୍ତବରେ ଜନସଂଖ୍ୟା ତାର ଦୁଇଗୁଣ ପାଖାପାଖି ରହିଛି। ଫଳରେ ଏହା ଉଦ୍‌ବେଗର କାରଣ ହୋଇଛି। ତା’ ଛଡ଼ା ଅନ୍‌ଲାଇନ୍‌ ଠକେଇ ବଢ଼ି ବଢ଼ି ଚାଲିଛି। ସେଥିପାଇଁ ପୁଲିସ ସଶକ୍ତ ହେବା ଜରୁରୀ ହୋଇଛି। ସେଥିପାଇଁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏ ନେଇ ମଧ୍ୟ ପ୍ରସ୍ତାବ ରଖାଯାଇଛି। ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଅନେକ ସାଇବର ଅପରାଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ସହଜ ହେବ।

ସେହିଭଳି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ସହଯୋଗ ଦରକାର ଅଛି। ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ନିୟନ୍ତ୍ରଣରେ ବିଏସ୍‌ସିଏଲ୍‌ର ଗୁରୁଦାୟିତ୍ବ ରହିଛି। ପୁଲିସ ନିୟନ୍ତ୍ରଣ କକ୍ଷର ୧୨୦ସିସିଟିଭି କ୍ୟାମେରା ରହିଛି। ଏତେ ବଡ଼ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଅଧିକ କ୍ୟାମେରାର ଆବଶ୍ୟକତା ରହିଛି। ତେବେ ବିଏସ୍‌ସିଏଲ୍‌ର ସହରରେ ୫ଶହରୁ ଅଧିକ ହାଇ ରିଜଲ୍ୟୁସନ କ୍ୟାମେରା ଖଞ୍ଜିଛି। ଏଣୁ ସେହି ସବୁ କ୍ୟାମେରାର ଫିଡ୍‌କୁ ପୁଲିସ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି। ଅପରାଧ ନିୟନ୍ତ୍ରଣ ପାଇଁ ଏ ସବୁ ସହ ଅଧିକ ମାନବ ସମ୍ବଳ ସହ ଅନ୍ୟାନ୍ୟ ସରଞ୍ଜାମ ଜରୁରୀ ଅଛି। ଏବେ ୩୫ପିସିଆର ଭ୍ୟାନ୍‌ ରହିଥିବା ବେଳେ ବିଭିନ୍ନ ଅପରାଧ ବାବଦରେ ୪ ହଜାର ସୂଚନା ଫୋନ୍‌ ଯୋଗେ ଆସୁଛି। ଏଥିରୁ ମାତ୍ର ୨ଶହ ଆଟେଣ୍ଡ କରି ହେଉଛି। ଅଧିକ ପିସିଆର ଭ୍ୟାନ୍‌ ଓ ମାନବ ସମ୍ବଳ ହେଲେ ସମସ୍ତ କଲ୍‌ ଆଟେଣ୍ଡ କରିବା ସହ ଅପରାଧ ନିୟନ୍ତ୍ରଣ ସହଜ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର