ପୁରୁଣା ଭୁବନେଶ୍ୱର: ବିଜେବି କଲେଜ ପଡ଼ିଆରେ ୭୧ତମ ରାଜ୍ୟସ୍ତରୀୟ ଏନ୍‌ସିସି ଦିବସ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କ୍ୟାଡେଟ୍‌ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ‌ଏହି ଅବସରରେ ଶ୍ରୀ ବେହେରା କହିଥିଲେ, ଏନ୍‌ସିସି ଦେଶପ୍ରେମ ଭାବନା ଶିଖାଇବା ସହ ଦେଶ ମାତୃକାର ସେବା କରିବାର ସୁଯୋଗ ଦେଇଥାଏ। କାର୍ଯ୍ୟକ୍ରମ ପ୍ରରମ୍ଭରେ ଏନ୍‌ସିସି ସଂଗୀତ ପରିବେଷଣ କରାଯିବା ପରେ ପରେଡ୍‌ କରାଯାଇଥିଲା। ପରେ ବନ୍ଧୁକ ଚାଳଣା, ଅଶ୍ବାରୋହ କରି ବନ୍ଧୁକ ଚାଳଣା, ଯୁଦ୍ଧ କୌଶଳ, ଏରୋ ମଡେଲିଂ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ୍ୟାଡେଟ୍‌ମାନଙ୍କ ବିଭିନ୍ନ କୌଶଳ ପ୍ରଦର୍ଶନ ବିଜେବି କଲେଜ ପଡ଼ିଆରେ ଯୁଦ୍ଧ ପଡ଼ିଆର ଭ୍ରମ ସୃଷ୍ଟି କରିଥିଲା। ଏହି ଅବସରରେ ବର୍ଷସାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ କଳିଙ୍ଗ ଜର୍ଣ୍ଣାଲ୍‌ ଉନ୍ମୋଚିତ ହୋଇଥିଲା। ପରେ କମାଣ୍ଡର ସୁରେନ୍ଦ୍ର ସିଂହ କ୍ୟାଡେଟ୍‌ମାନଙ୍କ ସମ୍ପର୍କରେ କହିଥିଲେ। ଶେଷରେ କର୍ଣ୍ଣେଲ ବିକେ ଗୁପ୍ତା ଧନ୍ୟବାଦ ଦେଇଥିଲେ। ଏଥିରେ ଆର୍ମି ୱିଙ୍ଗ, ନାଭାଲ ୱିଙ୍ଗ, ଏୟାର ସ୍କ୍ୱାର୍ଡନର କ୍ୟାଡେଟ୍‌ମାନେ ଭାଗ ନେଇଥିଲେ।