କେହି ଶତ୍ରୁ ନଥିଲେ, ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ: ପୁଅ ସନ୍ଦୀପ
ଆସିକାରେ ପରିବାର, ସମର୍ଥକ, ଜନପ୍ରତିନିଧି ଚିନ୍ତାରେ

Advertisment

ଭୁବନେଶ୍ବର/ଆସିକା : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନ‌ିଖୋଜ ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତି ସାରିଥି‌ଲେ ହେଁ ଏଯାବତ୍ ତାଙ୍କର ଖୋଜ ଖବର ମିଳିନି। ସରୋଜ କୁଆଡ଼େ ଯାଇଛନ୍ତି, ସେ ସଂପର୍କ‌ରେ ପରିବାରଲୋକଙ୍କ ପାଖରେ ସୂଚନା ନାହିଁ। ଅପରପକ୍ଷେ, ପୁଲିସ ମଧ୍ୟ ସରୋଜ ନିଖୋଜ ଅଛନ୍ତି କି ତାଙ୍କୁ ଅପହରଣ କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ଦେଇପାରୁନି। ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତ ୧୨ତାରିଖ ସକାଳ ୭ଟା ବେଳେ ସରୋଜ ଘରେ ମୋବାଇଲ, ସୁନାଚେନ୍, ମୁଦି ଆଦି ସମସ୍ତ ଜିନିଷ ଛାଡ଼ି ଚାଲି ଚାଲି କେଉଁଆଡ଼େ ଯାଇଥିଲେ। ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ। ସରୋଜଙ୍କ ୨ ପୁଅ ସିସିଟିଭି ଦେଖିବା ସହ ସଂପର୍କୀୟଙ୍କୁ ବାପାଙ୍କ ସଂପର୍କରେ ପଚାରିଥିଲେ। କିନ୍ତୁ ତାଙ୍କ ପତ୍ତା ନ ମିଳିବାରୁ ପୁଅ ସଙ୍ଗୀତ ପାଢ଼ୀ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସରୋଜଙ୍କ ସମସ୍ତ ସଂପର୍କୀୟଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିବା ସହ ରେଳଷ୍ଟେସନ୍, ବସଷ୍ଟାଣ୍ଡ୍ ଓ ବିଭିନ୍ନ ଛକ ସ୍ଥାନରେ ଖୋଜାଖୋଜି କରିଛି। ଏହାସହ ଚେକ୍-ପଏଣ୍ଟଗୁଡ଼ିକର ସିସି ଫୁଟେଜ୍‌ ଯାଞ୍ଚ କରିଛି। ସେହିଭଳି କ୍ୟାପିଟାଲ୍ ଥାନା ପୁଲିସ ସରୋଜଙ୍କ ଫଟୋ ଓ ବ୍ୟକ୍ତିଗତ ତଥ୍ୟ ଆଦି ରାଜଧାନୀର ବିଭିନ୍ନ ଥାନାକୁ ପଠାଇଛି। ସରୋଜଙ୍କୁ ଦେଖିବା ମାତ୍ରେ ଖବର ଦେବାକୁ କ୍ୟାପିଟାଲ୍ ଥାନା ପୁଲିସ ଅନୁରୋଧ କରିଛି।

ଅପରପକ୍ଷେ ଆସିକାରେ ସରୋଜଙ୍କ ସମର୍ଥକ ଓ ଜନପ୍ରତିନିଧି ମହଲରେ ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବତନ ସରପଞ୍ଚ ଅମୂଲ୍ୟ ଉପାଧ୍ୟାୟ କହିଛନ୍ତି, ଶ୍ରୀ ପାଢ଼ୀ ଜଣେ ପୂର୍ବତନ ବିଧାୟକ ହୋଇଥିବାରୁ ଏବଂ ଘଟଣାଟି ରାଜଧାନୀ‌ରେ ଘଟିଥିବାରୁ ପୁଲିସ ଓ ପ୍ରଶାସନ ଗୁରୁତ୍ବର ସହ ଗ୍ରହଣ କରିବା ଆବଶ୍ୟକ। ସେହିପରି ସରକାର ବି ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ଅନ୍ୟ ସମର୍ଥକମାନେ ମଧ୍ୟ ସମାନ କଥା ଦୋହରାଇବା ସହ ଶ୍ରୀ ପାଢ଼ୀ ସୁରକ୍ଷିତ ଭାବେ ଫେରିଆସନ୍ତୁ ବୋଲି କହିଛନ୍ତି।

ଶନିବାର ସନ୍ଧ୍ୟାରେ ‘ସମ୍ବାଦ’ ସହ ସରୋଜଙ୍କ ପୁଅ ସନ୍ଦୀପ ଆଲୋଚନା ବେଳେ କହିଛନ୍ତି, ବାପା ଗତ କିଛି ବର୍ଷ ହେଲା ସାମାନ୍ୟ ଅସୁସ୍ଥ ରହୁଥିଲେ। ଏହି କାରଣରୁ ୨୦୧୯ରେ ସେ ନିର୍ବାଚନରୁ ଓହରି ଯାଇଥିଲେ ଏବଂ ଏହା ପରଠାରୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ଦୀର୍ଘ ବର୍ଷ ଧରି ରାଜନୈତିକ ଜୀବନ ମଧ୍ୟରେ ତାଙ୍କର କେହି ବି ଶତ୍ରୁ ‌ନଥିଲେ। ବର୍ତ୍ତମାନ ସେ ଭୁବନେଶ୍ବରରେ ରହୁଥିଲେ। ବେଳେବେଳେ ଆସିକା ନିକଟ ବଜ୍ରକୋଟରେ ଥିବା ଫାର୍ମହାଉସ୍ ଓ କୁକୁଡ଼ା ଫାର୍ମକୁ ଆସୁଥିଲେ। ଗତ ଗୁରୁବାର ସକାଳୁ ଭୁବନେଶ୍ବରସ୍ଥିତ ବାସଭବନରେ ହାଲ୍‌କା ଜଳଖିଆ ଖାଇବା ପରେ ଲାଲ୍‌ରଙ୍ଗର ଏକ ସାର୍ଟ ଓ ଧୂସର ରଙ୍ଗର ପ୍ୟାଣ୍ଟ୍ ପିନ୍ଧି ଘରୁ ବାହାରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ସନ୍ଦେହ ହୋଇଥିଲା। ଖୋଜାଖୋଜି କରି ନ ପାଇବାରୁ ଥାନାରେ ଏତଲା ଦେଇଥିଲେ।