ଧଉଳି ବସଷ୍ଟାଣ୍ଡ୍‌ର ହେବ ସମ୍ପ୍ରସାରଣ, ୭୨ଲକ୍ଷ ଟଙ୍କାର ବ୍ୟୟ ଅଟକଳ

ଧଉଳି: ଧଉଳି ଶାନ୍ତିସ୍ତୂପର ପାଦଦେଶରେ ଥିବା ପାର୍କିଂ ସ୍ଥଳର ସମ୍ପ୍ରସାରିତ ହେବା ସହ ଭିତ୍ତିଭୂମି ସଜଡ଼ାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ ବାବଦରେ ୭୨ ଲକ୍ଷ ଟଙ୍କା ଖର୍ଚ ହେବ। ପିକ୍‌ନିକ୍‌ ଋତୁ ଚାଲିଥିବାରୁ ଉକ୍ତ ସଂକୀର୍ଣ୍ଣ ପାର୍କିଂ ସ୍ଥଳ ଯୋଗୁ ତୀର୍ଥଯାତ୍ରୀ ବସ୍‌ ରଖିବାକୁ ଜାଗା ପାଉନାହାନ୍ତି। ଏପରିକି ପାର୍କିଂ ହୋଇପାରୁ ନଥିବାରୁ ଅନେକ ଯାତ୍ରୀ ଫେରିଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପୂର୍ବରୁ ୬ଟି ସର୍ଟଲ ବସ୍‌ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ ଗତ ଅଗଷ୍ଟମାସରେ ଆଉ ଅଧିକ ୬ଟି ସର୍ଟଲ ବସ୍‌ ଯୋଗାଇ ଦିଆଯାଇଛି । ହେଲେ ସ୍ଥାନ ଅଭାବ ଯୋଗୁ ପାର୍କିଂ ସ୍ଥଳରୁ ଏକାବେଳେ ୧୨ଟି ସର୍ଟଲ ବସ ଚଳାଚଳ ପାଇଁ ସମସ୍ୟା ଉପୁଜିଥିଲା। ସମସ୍ୟା ଦେଖାଦେବାରୁ ନିକଟରେ ଯୋଗାଇ ଦିଆଯାଇଥିବା ବସ୍‌କୁ ବନ୍ଦ କରି ଓଟିଡିସି କାର୍ଯ୍ୟାଳୟରେ ରଖାଯାଇଛି। ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ବିଭାଗ ଜରୁରୀକାଳୀନ ଭିତ୍ତିରେ ୭୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତ ସପ୍ତାହରେ ଟେଣ୍ଡର ସାରିଛି। ପୂର୍ବରୁ କୋଟିଏ ଟଙ୍କାରେ ୨୦ ହଜାର ବର୍ଗଫୁଟ ପାର୍କିଂ ସ୍ଥଳ ନିର୍ମାଣ ହୋଇଥିଲା। ଏହାକୁ ଆଉ ୧୦ ହଜାର ବର୍ଗଫୁଟ ବଢ଼ାଯିବ ବୋଲି ସରକାରୀ ଯନ୍ତ୍ରୀ ସୁବ୍ରତ ଜେନା କହିଛନ୍ତି। ଐତିହ୍ୟ ସମ୍ପନ୍ନ ପାର୍ବତୀ ପୁଷ୍କରିଣୀକୁ ୪୦ ଫୁଟ ପର୍ଯ୍ୟନ୍ତ ପୋତି ପାର୍କିଂ ସ୍ଥଳ ନିର୍ମାଣ ହେବ। କଂକ୍ରିଟ ୱାଲ ନିର୍ମାଣ କରି ତା ଭିତରେ ବାଲି, ମେଣ୍ଟାଲ, ଡଷ୍ଟ ପକାଇ ମଜଭୁତ କରାଯିବ। ଶେଷରେ ଏହା ଉପରେ ଟାଇଲ କାମ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୮ ତାରିଖରେ ପୁରୁଣାଭୁବନେଶ୍ବର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟ ସାରିବା ପରେ ଏଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି। ଏଥିସହିତ ପାର୍କିଂସ୍ଥଳର ପ୍ରବେଶ ପଥରେ ମଧ୍ୟ ଗୋଟିଏ ଲୁହା ତୋରଣ ଲାଗିବ। ଏହାଛଡ଼ା ପାର୍କିଂ ସ୍ଥଳରେ ଆଉ ଅତିରିକ୍ତ ୪୦ଟି ଟଏଲେଟ, ୮ ଏକର ପରିମିତ ପାର୍ବତୀ ପୁଷ୍କରିଣୀରେ ବୋଟିଂ ବ୍ୟବସ୍ଥା, ପୁଷ୍କରିଣୀ ଭିତରେ ଅଧିକ ଉଚ୍ଚତା ବିଶିଷ୍ଟ ବୁଦ୍ଧମୂର୍ତ୍ତି ସ୍ଥାପନ ଏବଂ ପାର୍କ ନିର୍ମାଣ କରାଯିବା ନେଇ ‌ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତୀ ସମୟରେ ଅର୍ଥ ମଂଜୁର ହେଲେ ପ୍ରସ୍ତାବିତ ଉନ୍ନୟନ କାର୍ଯ୍ୟ ହେବ ବୋଲି ଜଣେ ଜନ ପ୍ରତିନିଧି କହିଛନ୍ତି।

ସମ୍ବନ୍ଧିତ ଖବର