ସୁଧୁରିଲେନି, ସିଲ୍‌ ହେବ ୭୩ ମଣ୍ଡପ : ବୁକିଂ କରିଥିବା ଲୋକଙ୍କ ଭାଳେଣି

ଉତ୍ତର ଜୋନ୍ ୨୯, ଦକ୍ଷିଣ ପୂର୍ବ ଜୋନ୍‌ରେ ୧୯, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨୫ ମଣ୍ଡପ ବନ୍ଦ ହେବ

ଭୁବନେଶ୍ବର : କଲ୍ୟାଣ ମଣ୍ଡପ ଖୋଲିଛ ଅଥଚ ବିଡିଏ/ବିଏମ୍‌ସିରୁ ପ୍ଲାନ୍ ଅନୁମୋଦନ କରିନ। ଓଡିଏ ନିୟମକୁ ଉଲ୍ଲଂଘନ କରୁଛ। ବେଆଇନ ଭାବେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିକର ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ରାସ୍ତାରେ ବେଆଇନ ପାର୍କିଂ ହେଉଛି। ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନାହିଁ। ବର୍ଜ୍ୟ ସାମଗ୍ରୀ ଗଦାଉଛ ଅଥଚ ଏହାର ପରିଚାଳନା ବ୍ୟବସ୍ଥା କରିନ। ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିନ। ନିୟମ ଅନୁଯାୟୀ ଟ୍ରେଡ୍ ଲାଇସେନ୍ସ ନେଇନ, ହୋଲଡିଂ ଟିକସ ଦେଉନ ଯାହା ଓଡ଼ିଶା ପୌର ଆଇନକୁ ଉଲ୍ଲଂଘନ କରୁଛି।

ଏନେଇ ନଭେମ୍ବର ୨୦ରେ ନୋଟିସ୍ କରାଯାଇଥିଲା। ଭିତ୍ତିଭୂମିରେ ଯାହା ଅସଙ୍ଗତି ଅଛି ତାକୁ ସଜାଡ଼ିବାକୁ ସମୟ ଦିଆଯାଇଥିଲା। ହେଲେ କଲନି। ତେଣୁ କଲ୍ୟାଣ ମଣ୍ଡପ ସିଲ୍‌ କରାଯିବ।

ଏହିଭଳି ନୋଟିସ୍‌ ଆଜି ବିଏମ୍‌ସି ପକ୍ଷରୁ ହୋଇଛି। ଭୁବନେଶ୍ବର ଉତ୍ତର ଜୋନ୍‌ର ୨୯ଟି କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ଏହିଭଳି ନୋଟିସ୍‌ କରିଛନ୍ତି ବିଏମ୍‌ସିର ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ ପୃଷ୍ଟି। ଡିସେମ୍ବର ୬ରୁ ୧୩ତାରିଖ ମଧ୍ୟରେ କଲ୍ୟାଣ ମଣ୍ଡପଗୁଡ଼ିକୁ ସିଲ୍‌ କରାଯିବ।

ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣ ପୂର୍ବ ଜୋନ୍‌ର ୯ ମଣ୍ଡପ ସିଲ୍‌ ହେବ

କେବଳ ଉତ୍ତର ଜୋନ୍‌ ନୁହେଁ ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ୍‌ରେ ୨୮ଟି କଲ୍ୟାଣ ମଣ୍ଡପ ଥିବାବେଳେ ଏଥିରୁ ୧୯ଟି ପ୍ରଥମ ପର୍ଯ୍ୟାୟରେ ସିଲ୍‌ ହେବ। ଏଗୁଡ଼ିକୁ ଡିସେମ୍ବର ୭ରୁ ୧୦ତାରିଖ ମଧ୍ୟରେ ସିଲ୍‌ କରାଯିବ। ବାକି ୯ଟି ଦ୍ବିତୀୟ ପର୍ଯ୍ୟାୟରେ ସିଲ୍‌ କରାଯିବ ବୋଲି ଜଣାପଡ଼ିଛି।

ସେହିପରି ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨୫ଟି କଲ୍ୟାଣ ମଣ୍ଡପ ଥିବାବେଳେ ସେଗୁଡ଼ିକୁ ବି ୭ରୁ ୧୦ତାରିଖ ମଧ୍ୟରେ ସିଲ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଅପରପକ୍ଷେ ବିଏମ୍‌ସି ୧୦ତାରିଖ ମଧ୍ୟରେ ୭୩ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏଗୁଡ଼ିକୁ ବାହାଘର ପାଇଁ ବୁକିଂ କରିଥିବା ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ଏବେ ବାହାଘର ପାଇଁ ଲୋକମାନେ କାର୍ଡ଼ ଛପାଇବା ସହ ସମସ୍ତ ପ୍ରସ୍ତୁତି ଶେଷ ‌କରିଥିବାରୁ ଏହି କଲ୍ୟାଣ ମଣ୍ଡପଗୁଡ଼ିକ ସିଲ୍‌ ହେଲେ କ’ଣ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ହେଲେ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିବା କଲ୍ୟାଣ ମଣ୍ଡପଗୁଡ଼ିକ ମୌଳିକ ସୁବିଧା ଯୋଗାଉନଥିବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି। ଏପରିକି ବେଆଇନ ଭାବେ ବହୁ ନିର୍ମାଣ କରିଥିବାରୁ ୯୦%ରୁ ଅଧିକ କଲ୍ୟାଣ ମଣ୍ଡପରେ ପାର୍କିଂ ସୁବିଧା ନାହିଁ। ଯାହା ଏବେ ରାଜଧାନୀର ସବୁଠୁ ବଡ଼ ଦୁଃଖ ପାଲଟିଯାଇଛି। ତେଣୁ ଏହି ମଣ୍ଡପଗୁଡ଼ିକୁ ସିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର