ପୁରୁଣା ଭୁବନେଶ୍ବର/ମେଣ୍ଢାଶାଳ: ପଞ୍ଚାୟତ ନିର୍ବାଚନର ଚତୁର୍ଥ ଚରଣରେ ମଙ୍ଗଳବାର ଦିନ ଭୁବନେଶ୍ବର ବ୍ଲକ୍ର ୨୦ ପଞ୍ଚାୟତରେ ମତଦାନ ସରିଛି। ମୋଟ୍ ୨୫୬ ବୁଥ୍ରେ ପାଖାପାଖି ୭୩ ପ୍ରତିଶତ ମତଦାନ ହୋଇଛି ବୋଲି ବ୍ଲକ୍ ପକ୍ଷରୁ ସୂଚନା ମିଳିଛି। କୌଣସି ପଞ୍ଚାୟତରେ ରାଜନୈତିକ ହିଂସା ଘଟିନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହି ବ୍ଲକ୍ରେ ରହିଛି ତିନି ନିର୍ବାଚନ ମଣ୍ଡଳୀ। ସର୍ବାଧିକ ପଞ୍ଚାୟତ ଜଟଣୀ ନିର୍ବାଚନ ମଣ୍ଡଳୀର ହୋଇଥିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ଭୁବନେଶ୍ବର ଉତ୍ତରର ପଞ୍ଚାୟତ ସବୁ ରହିଛି। ତେଣୁ ଏଠାରେ ମତଦାନ ହାର ପାଖାପାଖି ୮୦ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ମତଦାନ ୭୩ ପ୍ରତିଶତରେ ସୀମିତ ରହିଛି।
ହସ୍ତଗତ ହୋଇଥିବା ସୂଚନାନୁସାରେ ମଳିପଡ଼ାରେ ସର୍ବାଧିକ ୮୫.୩୦% ମତଦାନ ହୋଇଥିବା ବେଳେ କଣ୍ଟାବାଡ଼ରେ ୮୩%, ମେଣ୍ଢାଶାଳରେ ୭୮%, ଅନ୍ଧାରୁଆରେ ୭୬.୩୯%, ଦାରୁଠେଙ୍ଗରେ ୭୪% ମତଦାନ ହୋଇଛି। ତେବେ, ପ୍ରାୟ ୯ ହଜାର ଭୋଟର ଥିବା ଚନ୍ଦକା ପଞ୍ଚାୟତରେ ମାତ୍ର ୫୬.୨୨% ମତଦାନ ହୋଇଛି। ଗତ ନିର୍ବାଚନରେ ଦାରୁଠେଙ୍ଗ ପଞ୍ଚାୟତ ଭୋଟ ବର୍ଜନ କରିଥିଲା। କିନ୍ତୁ ଏଥର ଭୋଟରମାନଙ୍କ ଭିତରେ ଭଲ ଉତ୍ସାହ ଦେଖିବାକୁ ମିଳିଥିଲା ଓ ଭୋଟ୍ ହାର ୭୪% ଛୁଇଁଥିଲା। ଏହି ବ୍ଲକ୍ ଅଧୀନରେ ରହିଛି ଅନ୍ଧାରୁଆ, ଇଞ୍ଜଣା, ଇଟିପୁର, କଣ୍ଟାବାଡ଼, କଲ୍ୟାଣପୁର, ଚନ୍ଦକା, ଟିକରପଡ଼ା, ତମାଣ୍ଡୋ, ଦାଢ଼ା, ଦାରୁଠେଙ୍ଗ, ଧଉଳି, ନଁପୁଟ, ବରିମୁଣ୍ଡ, ବାସୁଆଘାଇ, ମଳିପଡା, ମେଣ୍ଢାଶାଳ, ରଘୁନାଥପୁର, ରଣସିଂହପୁଟ, ଶିଶୁପାଳଗଡ଼ ଓ ଲିଙ୍ଗିପୁର ପଞ୍ଚାୟତ।
ବ୍ଲକ୍ ମୁଖ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍ ରୁମ୍ରେ ଭୋଟ୍ ବାକ୍ସ ରଖାଯାଇଛି। ଫେବ୍ରୁଆରି ୨୬ରୁ ଭୋଟ୍ ଗଣତି ଆରମ୍ଭ ହେବ। ୨୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ପରିଷଦ ୨୮ନଂ ଜୋନ୍ର ଭୋଟ୍ ଗଣତି ହେବ। ତେଣୁ ସେଦିନ ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଛି ପଞ୍ଚାୟତର ଫଳାଫଳ ଜଣାପଡ଼ିବ। ୨୭ ତାରିଖରେ ୨୯ନଂ ଜୋନ୍ର ଭୋଟ୍ ଗଣତି ହେବ। ଏହି ଜୋନ୍ରେ ରହିଛି ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ। ୨୮ ତାରିଖରେ ୩୦ ନଂ ଜୋନ୍ର ଭୋଟ ଗଣତି ହେବ ଓ ଏଥିରୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଫଳାଫଳ ଜଣାପଡ଼ିବ।
ଯାଁଳାରେ ମୁନା ଖାଁଙ୍କ ପ୍ରଚାର
/sambad/media/post_attachments/wp-content/uploads/2022/02/26-2.jpg)
୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ଚରଣ ମତଦାନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ। ତେଣୁ ଜଟଣୀ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଆଜି ପ୍ରାର୍ଥୀମାନେ ଜୋର୍ଦାର ଶୋଭାଯାତ୍ରା କରିଥିଲେ। ଏହି ଅବସରରେ ଆଜି ରାଜଧାନୀ ଉପକଣ୍ଠ ଯାଁଳା, ମଦନପୁର, ଛତାବର, ଗଙ୍ଗପଡ଼ା ଅଙ୍ଗାରପଡ଼ା ଓ ପଞ୍ଚୁପଲ୍ଲୀ ପଞ୍ଚାୟତରେ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଯାଁଳାରେ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଗାଁ ଗାଁ ବୁଲିବା ସହ ଭୋଟ ଭିକ୍ଷା କରିଥିଲେ।
ବିଜେଡି ପାଇଁ ରାଜ୍ୟସଭା ସାଂସଦ ମୁନା ଖାଁ ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ। ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ସହ ସାଂସଦ ଶ୍ରୀ ଖାଁ ଏକ ସୁସଜ୍ଜିତ ଶଗଡ଼ ଗାଡ଼ିରେ ବୁଲିଥିଲେ। ମୁଣ୍ଡରେ ଗାମୁଛା ଠେକା ଭିଡ଼ିବା ସହ ହାତରେ ଶଗଡ଼ିଆ ପାଞ୍ଚଣ ଧରି ସାଂସଦ ଶ୍ରୀ ଖାଁ ନିଜେ ବଳଦଙ୍କୁ ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/25-2.jpg)