୭୩ ତମ ରାଜଧାନୀ ପ୍ରତିଷ୍ଠା ଦିବସ; ଭୁବନେଶ୍ୱରକୁ ସୁନ୍ଦର, ନିର୍ମଳ ରଖିବା ଆମ କର୍ତ୍ତବ୍ୟ: ବାଚସ୍ପତି

୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

ଭୁବନେଶ୍ୱର: ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଏହି ଉତ୍ସବକୁ ସରକାରୀ ସ୍ତରରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପ୍ରଦାନ ପରେ କାର୍ଯ୍ୟକ୍ରମକୁ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଆୟୋ‌ଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ପ୍ରାଚୀନ ଓଡ଼ିଶାର ଗୌରବମୟ ଇତିହାସ ଓ ଭୁବନେଶ୍ବରକୁ ରାଜଧାନୀ କରିବାର ପୃଷ୍ଟଭୂମି ସମ୍ପର୍କରେ ଆଲୋକପାତ କରି କହିଲେ, ସହରର ବିକାଶ କାର୍ଯ୍ୟ ଆଗେଇ ଚାଲିଛି। ଏହାର ରୂପରେଖରେ ପରିବର୍ତ୍ତନ ହୋଇଛି ଓ ବୃହତ୍ତର ସହରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଯୋଗୁଁ ରାଜଧାନୀ ସମସ୍ତଙ୍କର ପ୍ରିୟ ହୋଇପାରିଛି। ରାଜଧାନୀକୁ ସର୍ବଦା ସୁନ୍ଦର, ନିର୍ମଳ ରଖିବା ଆମ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମନ୍ଦିରମାଳିନୀ ସହରରୁ ବିକଶିତ ହୋଇ ସ୍ମାର୍ଟ ସିଟିର ମାନ୍ୟତା ପାଇଁ ଦେଶର ଅଗ୍ରଣୀ ସହରର ସମତୁଲ୍ୟ ହେବା ଆମ ସମସ୍ତଙ୍କ ପାଇଁ ଗୌରବର କଥା ବୋଲି କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରି ୨୦୧୧ ମସିହାଠାରୁ ଏହି ଉତ୍ସବ ସରକାରୀ ସ୍ତରରେ ପାଳନ କରାଯାଉଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରିଭ୍ୟୁ ତଥା ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍‌ ମହାନ୍ତି, ଖୋର୍ଧା ଜିଲ୍ଲାପା‌ଳ ସନତ କୁମାର ମହାନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସର ସଭା‌ପତି ତଥା ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ, କମିଟିର ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇ ରାଜଧାନୀ ଭୁବନେଶ୍ବରର ଉନ୍ନତି, ସହରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ତଥା ସହରବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଜନସାଧାରଣଙ୍କ ସମ୍ମିଳିତ ସହଯୋଗ କରାଯିବା ଆଦି ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକ‌ା ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କମିଟି ପକ୍ଷରୁ ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ପ୍ରଭାସ ରଞ୍ଜନ ଦାସ, ହିମାଂଶୁ ଶେଖର ମହାନ୍ତି ଓ ବିଶ୍ବରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଜି ସକାଳେ ପିଏମ୍‌ଜି ଛକଠାରେ ବାଚସ୍ପତି ଶ୍ରୀ ପାତ୍ର, ମନ୍ତ୍ରୀ ଶ୍ରୀ ଦାସ ଓ ଖୋର୍ଧା ଜିଲ୍ଲାପାଳଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମକର୍ତ୍ତା ଓ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଦସ୍ୟମାନେ ଉପସ୍ଥିତ ରହି ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳ‌କରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର