ଭୁବନେଶ୍ବର : ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାରକାରୀଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଛି। ଗତକାଲି ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ଓ ଲୋକଙ୍କୁ ସଚେତନ କରିବା ପରେ ଆଜି ଦୁଇଟି ସ୍କ୍ବାଡ୍ ଘନଘନ ଚଢ଼ଉ କରିଥିଲେ। ବିଏମ୍ସି, କମିସନରେଟ୍ ପୁଲିସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କୁ ନେଇ ଗଠିତ ଦଳ ଗଢ଼ାଯାଇଛି। ୧ ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ୍, ରୁପାଲି ଛକ, ଗୋପବନ୍ଧୁ ଛକ ପ୍ରଭୃତି ସ୍ଥାନରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି।
ଚଢ଼ଉର ପ୍ରଥମ ଦିନରେ ୭୫ କେଜି ପଲିଥିନ୍ ଜବତ କରାଯାଇଛି। ଜରିମାନା କରାଯାଇ ନାହିଁ। ବ୍ୟବସାୟୀ ଓ ଲୋକଙ୍କୁ ଚେତାଇ ଦିଆଯାଇଛି। ଆଗକୁ ପଲିଥିନ୍/ପ୍ଲାଷ୍ଟିକ୍ ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଦୁଇଟି ସ୍କ୍ବାଡ୍ ଦ୍ବାରା ଜବତ ହୋଇଥିବା ପଲିଥିନ୍ଗୁଡ଼ିକୁ କଟକ ରୋଡ୍ସ୍ଥିତ ଯାତ୍ରୀ ନିବାସରେ ରଖାଯାଇଛି। ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ଆଗକୁ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ। ସହରରେ ଥିବା ପ୍ରମୁଖ ବଜାରର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ଉ ହେବ। ଏନେଇ ରଣନୀତି ପ୍ରସ୍ତୁତ ହୋଇଛି। କେଉଁ ଅଞ୍ଚଳରେ କେବେ ଚଢ଼ଉ କରାଯିବ ତାହାକୁ ଗୋପନୀୟ ରଖାଯିବ।
ବେଆଇନ ପାର୍କି˚ ଫି’ ଆଦାୟକାରୀ ସାବଧାନ!
ସହରରେ ବେଆଇନ ଭାବେ ପାର୍କି˚ ଫି’ ଆଦାୟ କରୁଥିବା ବ୍ୟକ୍ତିବିଶେଷ ସାବଧାନ। ଲୋକଙ୍କୁ ଆଉ ଭୁଆଁ ବୁଲାଇପାରିବେ ନାହିଁ। କି ଜୋରଜବରଦସ୍ତ ଫି’ ଆଦାୟ କରିପାରିବେ ନାହିଁ। ବେଆଇନ ଫି’ ଆଦାୟ ହେଉଥିବା ନେଇ ସହରର ବିଭିନ୍ନ ସ୍ଥାନରୁ ଲୋକେ ଅଭିଯୋଗ କରିବା ପରେ ବିଏମ୍ସି ଏବେ ତତ୍ପରତା ପ୍ରକାଶ କରିଛି। ବେଆଇନ ପାର୍କିଂ ଫି’ ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଗୋଡ଼ାଇ ଗୋଡ଼ାଇ ଧରିବ ବିଏମ୍ସି। ଆଜିଠାରୁ ଏହି ଚଢ଼ଉ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରେଳ ଷ୍ଟେସନ୍ ନିକଟରେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିବା ଜଣେ ବେପାରୀକୁ ଚିହ୍ନଟ କରାଯାଇ ଚଢ଼ଉ କରାଯାଇଛି। ବିଏମ୍ସିର ଗାଡ଼ି ଲାଗିବା ମାତ୍ରେ ସେ ଦୌଡ଼ି ପଳାଇଥିଲେ। ବେଆଇନ୍ ପାର୍କି˚ କାର୍ଯ୍ୟରେ ଲିପ୍ତ ଥିବା ସମ୍ପୃକ୍ତ ବେପାରୀଙ୍କୁ ପୁଲିସ୍ ନଜରକୁ ଆଣିବା ପାଇଁ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି। ଓାର୍ଡ ସୁପରଭାଇଜର ଦେବୀ ପ୍ରସାଦ ଦାଶ(ଦକ୍ଷିଣ ପୂର୍ବ ମଣ୍ତଳ), ଡେପୁଟି କମିସନର(ରାଜସ୍ବ) ପ୍ରବୀର ଖିଲାରଙ୍କ ଅନୁମତିକ୍ରମେ ଏତଲା ଦିଆଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।
ବର୍ଜ୍ୟବସ୍ତୁ ପରିଚାଳନା ନେଇ ପ୍ରଶିକ୍ଷଣ
ବିଏମ୍ସି ପକ୍ଷରୁ କର୍ମଚାରୀ, ଗୋଷ୍ଠୀ ସଂଗଠକ, ମଣ୍ତଳ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବିଜୁ ଯୁବବାହୀନିର କର୍ମୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ନେସନାଲ୍ ଗ୍ରିନ୍ ଟ୍ରିବୁନାଲର ଅନୁମତିକ୍ରମେ କଠିନ ବର୍ଜ୍ୟ ପରିଚାଳନା ବାବଦରେ ଏହି ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ୩୧୦୦ ସଫାଇ କର୍ମୀ(ତିନୋଟି ସଫେଇ ଅନୁଷ୍ଠାନ)ଙ୍କୁ ସାମିଲ କରାଯିବ। ସମସ୍ତ ୬୭ଟି ଓାର୍ଡରେ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଲାଗୁ କରାଯିବାକୁ ପଦକ୍ଷେପ ନିଆଯାଇଛି। ବର୍ଜ୍ୟ ସ˚ଗ୍ରହକୁ କଡାକଡ଼ି କରିବା ପାଇଁ କର୍ତୃପକ୍ଷ ଉପସ୍ଥିତ କର୍ମଚାରୀମାନଙ୍କୁ କହିଥିଲେ।