ଭୁବନେଶ୍ବର: ଖଣ୍ଡଗିରି କୋଳଥିଆସ୍ଥିତ ନିଜର ଏକ କୋଠା ବିକିବା ବାହାନାରେ ଜଣେ ମହିଳାଙ୍କଠାରୁ ୭୫ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଆଜି ଖଣ୍ଡଗିରି ପୁଲିସ ଚଳଚ୍ଚିତ୍ର ପ୍ରଯୋଜକ ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି। ଘର ବିକିବାକୁ କହି ଟଙ୍କା ନେବା ପରେ ଘର ନ ଦେବା, ଟଙ୍କା ଫେରାଇବାକୁ ଯାଇ ଟଙ୍କା ନଥିବା ଆକାଉଣ୍ଟର ଚେକ୍ ଦେବା ଓ ଅଭିଯୋଗ କଲେ ହତ୍ୟା ଧମକ ଦେବା ଭଳି ସଂଗିନ୍ ଅଭିଯୋଗରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ, ରେଭେନ୍ସା ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ନିର୍ଲିପ୍ତା ସ୍ବାଇଁ ଭୁବନେଶ୍ବରରେ ଏକ ଘର କିଣିବା ପାଇଁ ଯୋଜନା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅଜିତାଭ୍ଙ୍କ ଭଉଣୀ ସହ ପ୍ରଫେସର ଶ୍ରୀମତୀ ସ୍ବାଇଁଙ୍କର ପୂର୍ବ ପରିଚିତି ଥିଲା। ତେଣୁ କଥା ପ୍ରସଙ୍ଗରେ ସେ ଘର କିଣିବାକୁ ଯୋଜନା କରୁଛନ୍ତି ବୋଲି ଅଜିତାଭ୍ଙ୍କ ଭଉଣୀଙ୍କୁ କହିଥିଲେ ଏବଂ ସହଯୋଗ କରିବାକୁ କହିଥିଲେ। ଅଜିତାଭ୍ଙ୍କ ଭଉଣୀ ତାଙ୍କୁ ନେଇ ତାଙ୍କ ବାପା ଓ ଭାଇ ସହ ଭେଟ କରାଇଥିଲେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ। ସେମାନେ କୋଳଥିଆସ୍ଥିତ କୋଠା ବିକ୍ରି କରିବାକୁ ଯାଉଥିବା ନେଇ ପ୍ରଫେସର ଶ୍ରୀମତୀ ସ୍ବାଇଁଙ୍କୁ କହିଥିଲେ। ପ୍ରଫେସର ଶ୍ରୀମତୀ ସ୍ବାଇଁ ରାଜି ହୋଇଥିଲେ ଏବଂ ଘରକୁ କୋଟିଏ ଟଙ୍କାରେ କିଣିବାକୁ ପ୍ରସ୍ତୁତ ହୋଇଥିଲେ।
ସେ ପ୍ରଥମେ ନଗଦ ୨୦ ଲକ୍ଷ ଟଙ୍କା ଦେବା ସହ ବିଭିନ୍ନ ପର୍ଯ୍ୟାୟରେ ୭୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ରେଜିଷ୍ଟ୍ରି ପରେ ବାକି ୨୫ ଲକ୍ଷ ଟଙ୍କା ଦେବାକୁ କଥା ଛିଡ଼ିଥିଲା। ମାତ୍ର ଧୂର୍ତ୍ତ ଅଜିତାଭ୍ ବିଭିନ୍ନ ବାହାନା ଦେଖାଇ ରେଜିଷ୍ଟ୍ରି ତାରିଖ ବାରମ୍ବାର ଗଡ଼ାଇ ଚାଲିଲେ। ୪ ବର୍ଷ ବିତିଯିବାରୁ ପ୍ରଫେସର ଶ୍ରୀମତୀ ସ୍ବାଇଁ ଟଙ୍କା ଫେରସ୍ତ ମାଗିଲେ। ଅଜିତାଭ୍ ୭ଟି ଚେକ୍ ଦେଇଥିଲେ। କିନ୍ତୁ ସବୁଗୁଡ଼ାକ ବାଉନ୍ସ ହୋଇଥିଲା। ଏନେଇ ପ୍ରଫେସର ଶ୍ରୀମତୀ ସ୍ବାଇଁ କହିବାରୁ ଅଜିତାଭ୍ ତାଙ୍କୁ ଧମକ ଦେଲେ। ତେଣୁ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ଦୟାନିଧି ନାୟକଙ୍କ ସୂଚନାନୁସାରେ ଚେକ୍ ବାଉନ୍ସ ଓ ଠକେଇ ମାମଲାରେ ଅଜିତାଭ୍ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଜିତାଭ୍ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ପ୍ରଯୋଜକ ଥିବା ବେଳେ ନାୟକ ଭୂମିକାରେ ଅଭିନୟ କରିଥିଲେ। ତେଣୁ ଘର ବିକିବା ବାହାନାରେ ସେ ଲୋକଙ୍କୁ ଠକେଇ କରି ଉକ୍ତ ଟଙ୍କାରେ ଫିଲ୍ମ କରୁଥିବା ଏବଂ ଏମିତି ଆଉ କାହାକୁ ଠକିଥିବା ସନ୍ଦେହ କରାଯାଉଛି।