ଖୋର୍ଦ୍ଧା ଜିଲ୍ଲାର ୬୫% ଆକ୍ରାନ୍ତ ଭୁବନେଶ୍ୱରରୁ

ଖୋର୍ଦ୍ଧାର ୭୪% ଗ୍ରାମକୁ କରୋନା ଛୁଇଁନି

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ (ଭୁବନେଶ୍ବର ସମେତ) ଯେତିକି କରୋନା ଆକ୍ରାନ୍ତ ହେଉଛନ୍ତି, ସେଥିରୁ ୩୫% ଖୋର୍ଦ୍ଧା ଗ୍ରାମାଞ୍ଚଳର ଅର୍ଥାତ୍‌ ଭୁବନେଶ୍ବର ବାଦ୍‌ ଅନ୍ୟ ଅଞ୍ଚଳର ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି। ଅର୍ଥାତ୍‌ ଭୁବନେଶ୍ବରରେ ଖୋର୍ଦ୍ଧା ଜିଲ୍ଲାର ୬୫% ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳରେ ମୋଟ୍‌ ୩୪୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୧୪୨୩ଜଣ ଚିକିତ୍ସାଧୀନ ଅଛନ୍ତି। ଏବେ ସବୁଠୁ ଅଧିକ ବାଣପୁର, ଟାଙ୍ଗୀ, ବାଲୁଗାଁ ଓ ବୋଲଗଡ଼ରୁ ଚିହ୍ନଟ ହୋଇଛନ୍ତି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଜିଲ୍ଲାପାଳ କହିଛନ୍ତି ଯେ ଗ୍ରାମାଞ୍ଚଳକୁ ୧୭୪୦୫ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ଏଥିରୁ ୭୭% ହେଉଛନ୍ତି ଉପରୋକ୍ତ ଚାରିଟି ଅଞ୍ଚଳର। ତେଣୁ ଏଠାରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି। ସେହିପରି ଜିଲ୍ଲାରେ ୨୩୭ଜଣ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୯୯ଜଣ ସୁସ୍ଥ ହୋଇଗଲେଣି। ୧୩୭ଜଣ ଚିକିତ୍ସିତ ହେଉଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରାମାଞ୍ଚଳରେ ୫୩୦ଜଣ ହୋମ୍‌ ଆଇସୋଲେସନ୍‌‌ରେ ଅଛନ୍ତି। ୨୯୦ଜଣ ଡାକ୍ତର, ୧୦୦ଜଣ ସ୍ବାସ୍ଥ୍ୟକର୍ମୀ, ଷ୍ଟାଫ୍ ନର୍ସ, ଲାବ୍‌ ଟେକନିସିଆନ୍‌, ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନେଇ ୨୨ଟି ମେଡିକାଲ ଟିମ୍‌ ଗଠନ ହୋଇଛି। ଯାହା ସ୍ବାସ୍ଥ୍ୟ ସେବାରେ ନିୟୋଜିତ ହୋଇଛି। ଏବେ ବି ଜିଲ୍ଲାର ୭୪% ଗ୍ରାମାଞ୍ଚଳ କୋଭିଡ୍‌ ସଂକ୍ରମଣମୁକ୍ତ ରହିଛି, ଯାହା ଆଶ୍ବସ୍ତିର ବିଷୟ।

ସମ୍ବନ୍ଧିତ ଖବର

Comments are closed.