ଭୁବନେଶ୍ବର : ପଲାସାରୁ ସମପେଟା। ପୁଣି ଯାଜପୁରରୁ ଭୁବନେଶ୍ବର। ସ୍ବାମୀଙ୍କୁ ଖୋଜିବାକୁ ଦୀର୍ଘ ୧୫ ବର୍ଷ ହେଲା ଏମିତି ଘୂରି ବୁଲୁଛନ୍ତି ଯଶୋଦା ଦାସ। ଦୁର୍ଭାଗ୍ୟ ଯେ ନିଖୋଜ ସ୍ବାମୀଙ୍କର ‌ଫଟୋଟିଏ ବି ତାଙ୍କ ପାଖରେ ନାହିଁ। ତଥାପି ୭୫ ବର୍ଷୀୟା ଯଶୋଦା ଆଶା ଛାଡ଼ି ନାହାନ୍ତି। ଦୀର୍ଘ ୧୫ ବର୍ଷ ତଳେ ରେଲୱେରେ ଚାକିରି କରୁଥିବା ତାଙ୍କ ସ୍ବାମୀ ଉଦୟନାଥ ଦାସ କୁଆଡ଼େ ଗଲେ ଯେ ଏଯାଏ ଫେରିନାହାନ୍ତି। ଏନେଇ ସେ ଅନେକବାର ଥାନାକୁ ବି ଯାଇଛନ୍ତି। ମାତ୍ର ସବୁଠୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏଇ କିଛିଦିନ ତଳେ ଯେ‌ବେ ସେ ଛତ୍ରପୁରରୁ ଭୁବନେଶ୍ବର ଆସି ଷ୍ଟେସନରେ ପହଞ୍ଚି କୁଆଡ଼େ ଯିବା ପାଇଁ ବାଉଳି ହେଉଥିଲେ ସେତେବେଳେ ପୁଲିସ ସହାୟତାରେ ତାଙ୍କୁ ଅଣାଯାଇଥିଲା ଗଙ୍ଗନଗରସ୍ଥିତ ବିଏମସି ବାସହୀନଙ୍କ ଆଶ୍ରୟସ୍ଥଳୀକୁ। ସେଠାରେ ତାଙ୍କ ସହ କଥା ହେ‌ବା ବେଳେ ସେ ବଖାଣିଥିଲେ ନିଜ ଦୁଃଖ କାହାଣୀ। ‘ନିଶା’ ହିଁ ତାଙ୍କ ସୁଖୀ ପରିବାରକୁ ଚୂରମାର କରିଦେଇଛି ବୋଲି ଯଶୋଦା କହିଛନ୍ତି।

Advertisment

ଯଶୋଦାଙ୍କ ଘର ଗଞ୍ଜାମ ଛତ୍ରପୁରରେ। ନିରାଶ୍ରିତ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିବା ଯଶୋଦାଙ୍କ ଜୀବନ ଦିନେ ‌ହସଖୁସିରେ ବିତୁଥିଲା। ସ୍ବାମୀ ଉଦୟନାଥ ଥିଲେ ରେଳ ବିଭାଗର କର୍ମଚାରୀ। ମାତ୍ର ସବୁବେଳେ ମଦ ପିଇ ଫେରିବା ପରେ ଘରେ ଅଶାନ୍ତି ସୃଷ୍ଟି ହେଉଥିଲା। ଦିନେ ଏଇ ନିଶା ‌ଓ ଅଶାନ୍ତି ଯୋଗୁଁ ଉଦୟନାଥ ଘର ଛାଡ଼ି ଚାଲିଗଲେ। ଉଦୟନାଥ ଚାଲିଯିବା ପରେ ପୁଅ ଝିଅଙ୍କ ଭାର ପଡ଼ିଥିଲା ଯଶୋଦାଙ୍କ ଉପରେ। କିଛି ବାଟ ନଥିବାରୁ ଚଳିବା ପାଇଁ ଯଶୋଦା ପର ଘରେ ପାଇଟି କରି ପିଲା ଦୁହିଁଙ୍କୁ ପାଳିଲେ। ହେଲେ ପୁଅ ବି ଭେଣ୍ଡା ବୟସରେ ମଦ ଗଞ୍ଜେଇ ଖାଇଖାଇ ଆରପାରିକୁ ଚାଲିଗଲା। ଶେଷରେ ଝିଅକୁ ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ବାହା ଦେଇଥିଲେ। ଅନ୍ତତଃ ଝିଅ ତାଙ୍କର ଦିନେ ଆଶା ‌ବାଡ଼ି ହେବ ବୋଲି ଆଶା ବାନ୍ଧିଥିଲେ। ମାତ୍ର ଝିଅ ସୁନୁତା ଭାଗ୍ୟରେ ମଧ୍ୟ ଜଣେ ନିଶାଡ଼ି ଯୁବକ ପଡ଼ିଲା। ସୁନୁତାଙ୍କ ସ୍ବାମୀ ବି ମଦ ନିଶାରେ ବୁଡ଼ି ରହି ଆର ପାରିକୁ ଚାଲିଗଲେ। ସୁନୁତା ମଧ୍ୟ ଗୋଟେ ଝିଅ ଓ ଗୋଟେ ପୁଅକୁ ନେଇ ଏବେ ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି। ଯଶୋଦାଙ୍କ କହିବା ମୁତାବକ, ତାଙ୍କ ଝିଅ ଏବେ ଭୁବନେଶ୍ବର‌ରେ କେଉଁଠି ଏକ ଚା’ ଦୋକାନ କରିଛି। ମାତ୍ର ସେ ଖୋଜି ଖୋଜି ସେ ଝିଅର ଠିକଣା ମଧ୍ୟ ପାଉନାହାନ୍ତି।

ଦୀର୍ଘ ୧୫ ବର୍ଷ ହେଲା ସ୍ବାମୀଙ୍କୁ ଖୋଜିଖୋଜି ଆଖିରୁ ଲୁହ ଶୁଖୁନଥିବା ବେଳେ ନିଶା ଯୋଗୁଁ ତାଙ୍କ ପରିବାର କିଭଳି ଛାରଖାର ହୋଇଯାଇଛି ସେ ବାବଦରେ ଦୁଃଖ ବଖାଣିବା ବେଳେ ବାକରୁଦ୍ଧ ହୋଇଯାଉଥିଲେ ଯଶୋଦା। ଉଦୟନାଥ ଇହଧାମରେ ଅଛନ୍ତି କି ନାହିଁ ସେକଥା ମଧ୍ୟ ଯଶୋଦା ଜାଣନ୍ତି ନାହିଁ। ତଥାପି ସେ ଖୋଜୁଛନ୍ତି। ଆଶା କାଳେ କେ‌ବେ ଦେଖା ହେଇଯିବ।