ବିଧାନସଭାରେ ୭୫୭ ଜଣଙ୍କର ନମୁନା ସଂଗ୍ରହ

ଭୁବନେଶ୍ୱର : ଆସନ୍ତା ୨୯ତାରିଖରୁ ବିଧାନସଭା ଅଧିବେଶନ ବସିବାକୁ ଥିବା ବେଳେ ଏହା ପୂର୍ବରୁ ଆଜିଠାରୁ ବିଧାନସଭା ପରିସରରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି। ଆଜି ୪୦୦ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କର ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ ୭୫୭ ଜଣଙ୍କ ସଂଗ୍ରହ ହୋଇଛି। ବିଏମ୍‌ସି ପକ୍ଷରୁ ଆଜି ବିଧାନସଭା ପରିସରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୬ଟି କାଉଣ୍ଟରରେ ନମୁନା ସଂଗ୍ରହ ହୋଇଥିଲା। ଏହାବାଦ୍‌ ୪୦ଜଣ ପ୍ରତୀକ୍ଷା କରିବା ଭଳି ଦୁଇଟି ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା। ଆଜି ସକାଳ ୮ଟାରୁ ନମୁନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅପରାହ୍‌ଣ ୫ଟା ୪୯ ପର୍ଯ୍ୟନ୍ତ ଚାଲିଥିଲା। ଆଜି ୭୩୭ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ବାସ୍ପତିଙ୍କ ସମେତ ୨୦ଜଣ ବିଧାୟକଙ୍କର ବି ନମୁନା ସଂଗ୍ରହ ହୋଇଥିଲା। ସମସ୍ତଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହୋଇଛି। ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ହେବ ବୋଲି କୁହାଯାଇଥିଲେ ହେଁ ଆଜି ହଠାତ୍‌ ନିଷ୍ପତ୍ତି ବଦଳିଯାଇଛି। ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ, ସେମାନଙ୍କ ପିଏସ୍‌ଓ ଏବଂ ଆଜି ବଳି ପଡ଼ିଥିବା କର୍ମଚାରୀଙ୍କର ନମୁନା ସଂଗ୍ରହ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୋମବାର ଅପରାହ୍‌ଣରେ ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଧାନସଭା ପରିସରକୁ ବିଶୋଧନ କରାଯିବ।

ସମ୍ବନ୍ଧିତ ଖବର