୭୫ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ପ୍ରଚ୍ଛଦ ପ୍ରଦର୍ଶିତ ହେବ

ଭୁବନେଶ୍ବର: ସିନେମାଟିଏ ମୁକ୍ତିଲାଭ କରିବା ପରେ ଦର୍ଶକଙ୍କ ନିମନ୍ତେ ପ୍ରେକ୍ଷାଳୟକୁ ଆସେ। ମାତ୍ର ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ ଓ ପରେ ଓଡ଼ିଆ ଚଳଚ୍ଚିତ୍ର ସମ୍ବନ୍ଧୀୟ ଟିକିନିଖି ଖବର ଯିଏ ଭେଟିଦିଏ, ତାହା ଥିଲା ପତ୍ରିକା। ତେବେ ପତ୍ରିକା ତ ଅନେକ ବାହାରୁଥିଲା, କିନ୍ତୁ ଏମିତି ବି ପତ୍ରିକା ଥିଲା ଯାହା ସମ୍ପୂର୍ଣ୍ଣ ଭାବେ ସିନେମା ପାଇଁ ସମର୍ପିତ ଥିଲା। ୧୯୫୧ ମସିହାରେ ପ୍ରକାଶ ପାଇଥିବା ପ୍ରଥମ ସିନେମା ପତ୍ରିକା ‘ସିନେ ଓଡ଼ିଶା’ଠୁ ନେଇ ୨୦୧୭ରୁ ପ୍ରକାଶ ପାଉଥିବା ‘ଓଲିଉଡ୍‌ ମିରର୍‌’। ଏହିଭଳି ମୋଟ ୮୦ଟ ଓଡ଼ିଆ ସିନେମା ସମ୍ବନ୍ଧୀୟ ପତ୍ରିକା ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ୭୫ଟି ପତ୍ରିକାର ପ୍ରଚ୍ଛଦକୁ ନେଇ ରାଜ୍ୟ ଅଭିଲେଖାଗାରରେ ଆସନ୍ତା ୧୮ରୁ ୨୪ ପର୍ଯ୍ୟନ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ’ ଏହି ପତ୍ରିକାଗୁଡ଼ିକ ସଂଗ୍ରହ କରି ଏହାକୁ ବୃହତାକାରରେ ଅଭିଲେଖ ଦିବସରେ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି। ଇନ୍ଦ୍ରଧନୁ, ସିନେମା, ଚିତ୍ରଲେଖା, ଚିତ୍ରପୁରୀ, ଚିତ୍ର ତରଙ୍ଗ ଓ ସିନେମା ଭଳି ପତ୍ରିକାର ପ୍ରଚ୍ଛଦ ଦେଖିବାର ସୁଯୋଗ ମିଳିବ। ଏହି ପ୍ରଦର୍ଶନୀକୁ ‘ଛାୟାଲିପି’ ନାମରେ ନାମିତ କରାଯାଇଛି। ପ୍ରଦର୍ଶନୀକୁ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକତା ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହି ପତ୍ରିକା ଦେଖିବା ପରେ ସେତେବେଳ ଓ ଏବେର ପ୍ରିଣ୍ଟିଂ ଶୈଳୀ, ଡିଜାଇନ, ଅକ୍ଷର, ଫଟୋ, ଉପସ୍ଥାପନାଶୈଳୀ ମଧ୍ୟରେ କେତେ କ୍ରମପରିବର୍ତ୍ତନ ଘଟିଛି, ତାହା ଜାଣିବାର ସୁଯୋଗ ପାଇପାରିବ। ଏହି ଅବସରରେ ସିନେ ସାମ୍ବାଦିକତା କ୍ଷେତ୍ରରେ ସମର୍ପିତ ‘ବାଣୀଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା ଓ ‘ମନୋରଂଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତିଙ୍କୁ ସମ୍ବର୍ଧିତ କରାଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଗରୁ ଯେଉଁ ପତ୍ରିକାମାନ ପ୍ରକାଶ ପାଉଥିଲା, ସେସବୁ କେବଳ ଓଡ଼ିଶାରୁ ପ୍ରକାଶ ପାଉ ନଥିଲା, ବରଂ ବମ୍ବେ ଓ କୋଲକାତାରୁ ମଧ୍ୟ ପ୍ରକାଶ ପାଉଥିଲା। ତେଣୁ ଜଣେ ଏହି ପ୍ରଦର୍ଶନୀ ବୁଲି ଦେଖିବା ଦ୍ବାରା ଏହା କେଉଁଠୁ, କାହା ସମ୍ପାଦନାରେ, କୋଉ ମସିହାରେ ପ୍ରକାଶ ପାଇଥିଲା ସେ ସମ୍ବନ୍ଧ‌‌‌‌‌ରେ ମଧ୍ୟ ସୂଚନା ପାଇ ହେବ।

ସମ୍ବନ୍ଧିତ ଖବର