ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ ଛୁଇଁଲା, କଲ୍ୟାଣ ପ୍ଲାଜାରେ ଆପାର୍ଟମେଣ୍ଟ୍‌ ସିଲ୍‌

୨୫ କଣ୍ଟାକ୍ଟ କେସ୍ ସହ ଦିନକରେ ୫୧ ଚିହ୍ନଟ

ପୁରୁଣା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଏୟାର୍‌ ଫିଲଡ଼୍‌ ଥାନା ଅଧୀନ ପଧାନସାହି ପଞ୍ଚାୟତରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୭୨ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କୁ ଗତକାଲି ସନ୍ଧ୍ୟାରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେଣୁ ସେ ରହୁଥିବା ହାଇଟେକ୍‌ କଲ୍ୟାଣ ପ୍ଲାଜାସ୍ଥିତ ସି-୧ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି। ପଧାନସାହି ସରପଞ୍ଚ ସୁଚରିତା ପାଇକରାୟ ଏହି ଆପାର୍ଟ‌ମେଣ୍ଟକୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୭୨ ଘଣ୍ଟା ପାଇଁ ସିଲ୍‌ କରିଛନ୍ତି। ‌ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଏୟାର ଫିଲଡ଼୍‌ ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ସି-୧ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବା ପାଇଁ ସମସ୍ୟାରେ ପଡ଼ୁଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନିଅନ୍ତୁ ବୋଲି ବରିଷ୍ଠ ନାଗରିକ ବିନୋଦ କୁମାର ପଣ୍ଡା ଦାବି କରିଛନ୍ତି।

୨୫ କଣ୍ଟାକ୍ଟ କେସ୍ ସହ ଦିନକରେ ୫୧ ଚିହ୍ନଟ
ଭୁବନେଶ୍ବର: ରାଜଧାନୀରେ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ବହୁ ସଂଖ୍ୟାରେ ଲୋକ ପଜିଟିଭ୍ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୨୫ ଜଣଙ୍କର କଣ୍ଟାକ୍ଟ କେସ୍ ରହିଛନ୍ତି। ଏହାସହ ଆମେରିକା ଫେରନ୍ତା ୨ଜଣ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୫ଜଣ ସଙ୍ଗରୋଧରୁ ଓ ୧୬ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରେ ଥିବା ୩୫ ଜଣଙ୍କ ମଧ୍ୟରୁ ୨୫ ଜଣ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀସାଗର ଉପର ସାହିରୁ ୬ଜଣ, ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ନିକଟ, ମହାଲକ୍ଷ୍ମୀ ନଗର, କୋଟିତୀର୍ଥ ଲେନ୍‌, ନୂଆଗାଁ, କଳିଙ୍ଗବିହାର କେ-୫, ନାଗେଶ୍ବର ଟାଙ୍ଗୀ ହାଉସିଂବୋର୍ଡ ‌କଲୋନି, ନୂଆପଲ୍ଲୀ ଗଡ଼ ସାହି, ନୂଆପଲ୍ଲୀ ଏନ୍-୫, ସବର ସାହି, ସହିଦ ନଗର ଏମ୍ପାୟାର୍ସ ହୋଟେଲ ନିକଟ, ୟୁନିଟ୍‌-୬ ଗଙ୍ଗନଗରରୁ ଜଣେ ଲେଖାଏଁ ପଜିଟିଭ୍ ଅଛନ୍ତି। ଏହାବାଦ୍ ରସୁଲଗଡ଼ ପାଲା ମଣ୍ଡପ, ପଟିଆ ଶ୍ରୀ ବିହାର, ରସୁଲଗଡ଼ ଆଦିମାତା କଲୋନିରୁ ୨ଜଣ ଲେଖାଏଁ ଅଛନ୍ତି। ଏହି ସମସ୍ତ ଆକ୍ରାନ୍ତ କଣ୍ଟାକ୍ଟ କେସ୍ ବୋଲି ଜଣାପଡ଼ିଛି। ଏହାବାଦ୍ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ମାଷ୍ଟର କ୍ୟାଣ୍ଟିନ୍, ୟୁନିଟ୍‌-୨, ଘାଟିକିଆ, ଆମେରିକା ଯାତ୍ରା କରିଥିବା ଡୁମୁଡୁମା ଅଞ୍ଚଳର ୨ଜଣ, ଝାରପଡ଼ା ଗଣେଶ ମଣ୍ଡପ ନିକଟ, ବମିଖାଲ ଓ ଗଜପତି ନଗରରୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତ ଥିବା ୧୬ ଜଣଙ୍କ ମଧ୍ୟ‌ରେ କଳିଙ୍ଗ ବିହାରରୁ ୨ଜଣ, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀ ନଗରରୁ ୨ଜଣ, ୟୁନିଟ୍‌-୬ ଗଙ୍ଗନଗର, ଝାରପଡ଼ା ଜଗନ୍ନାଥ ନଗର, ନୂଆପଲ୍ଲୀ ଓ ନୂଆପଲ୍ଲୀ ଏନ୍‌-୫ରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏମ୍‌ସ, କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ସହିତ କିଛି ବ୍ୟକ୍ତି ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ଯାଇ ପଜିଟିଭ୍ ବାହାରିଛନ୍ତି। ରାଜଧାନୀରେ ଏବେ ୩୯୭ ଜଣ ରୋଗୀ ଚିକିତ୍ସା ହେଉଥିବା ବେଳେ ୩୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର