୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ: ରାଜଧାନୀର ସ୍ୱଚ୍ଛତା ଓ ସବୁଜିମା ପ୍ରମୁଖତା ହେଉ

ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ ଏହି ଉତ୍ସବର ସକାଳ ଅଧିବେଶନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସୌଧ ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହିତ ରାଜଧାନୀ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସକୁ ନୂଆ ଭୁବନେଶ୍ବରର ଜନ୍ମଦିନ ଭାବେ ଅଭିହିତ କରି ଏହାର ସ୍ବଚ୍ଛତା, ସବୁଜିମା ଓ ସୁନ୍ଦରତା କିପରି ବଜାୟ ରହିବ, ସେ ଦିଗରେ ସମସ୍ତେ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ ସମସ୍ତ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ପୁଲିସ କମିସନର, ସଞ୍ଜୀବ ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା, ଡିସିପି ପ୍ରତୀକ ସିଂହଙ୍କ ସମେତ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ବିଏମ୍‌ସି ମିଳିତ ଆନୁକୂଲ୍ୟରେ ଜୟଦେବ ଭବନ ଠାରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉଦ୍‌ଘାଟନ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଭୁବନେଶ୍ବର ରାଜଧାନୀ ପ୍ରତିଷ୍ଠାର ପୁରାତନ ସ୍ମୃତି ସମ୍ବଳିତ ଏବଂ ରାଜଧାନୀର ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜି ଆଦି ବହନ କରୁଥ‌ିବା ବହୁ ପୁରାତନ ଓ ନୂତନ ଫଟୋଚିତ୍ର ସ୍ଥାନିତ ହୋଇଥିଲା। ସେହିପରି ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଓ ପ୍ରଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶନାରେ ଦୀପ୍ତିରେଖା ପାଢ଼ୀ, ବିଷ୍ଣୁମୋହନ କବି, ସ୍ବସ୍ତିକ ପାଢ଼ୀ ଓ ଇପ୍‌ସିତା ପଣ୍ଡା ଭଜନ ଓ ସୁଗମ ସଂଗୀତ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ଶଙ୍କର ବେହେରା ଓ ତାଙ୍କ ସାଥୀମାନଙ୍କ ଦ୍ବାରା ସମ୍ବଲପୁରୀ ଲୋକନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଓ ବିଶ୍ବଜିତ୍ ବଳିୟାର ସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର