୩ ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ଭୁବନେଶ୍ବରରେ ୭୭ କର‌ୋନା ଆକ୍ରାନ୍ତ

ଭୁବନେଶ୍ୱର:  ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୫୯ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୧୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ଅଛନ୍ତି ୪୧ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୧୧ ଜଣ ।  ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧୨୫। ତେବେ ରାଜଧାନୀରେ ସୁପରସ୍ପ୍ରେଡରମାନେ ପ୍ରଶାସନର ଚିନ୍ତାର କାରଣ ହୋଇଛନ୍ତି। କାରଣ ଜଣେ ଜଣେ ସଂକ୍ରମିତଙ୍କଠାରୁ ବହୂୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଆଜି ରାଜଧାନୀରେ ଏପରି ୩ ଜଣ ସୁପରସ୍ପ୍ରେଡର ସାମ୍ନାକୁ ଆସିଛନ୍ତି। ୩ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଯଥାକ୍ରମେ ୧୩ ଜଣ, ୨୦ ଜଣ ଓ ୪୪ ଜଣ ସଂକ୍ରମିତ ହୋଇଛନ୍ତି।

ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରେ ୪ ବର୍ଷ ଓ ୧୨ ବର୍ଷର ନାବାଳିକା ବି ଅଛନ୍ତି । ସେହିପରି ଆଇଗିଣିଆରୁ ଚିହ୍ନଟ ହୋଇଥିବା ୨୦ ଜଣ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଆସିଛନ୍ତି । ୟୁନିଟ ୩ ଖାରବେଳ ନଗରରେ ମଧ୍ୟ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୧୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ଟୁଇଟ୍ କରି ସୂଚନା ଦେଇଛି।

ରାଜଧାନୀବାସୀଙ୍କ ଲାଗି ଆଶ୍ୱସ୍ତିକର ଖବର ହେଉଛି ଆଜି ୧୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ମାମଲା ୧୧୨୫ ରହିଛି । ସେହିଭଳି ଭୁବନେଶ୍ୱରରେ ହଜାରେ ଟପିଛି ସୁସ୍ଥଙ୍କ ସଂଖ୍ୟା । ଆଜିର ୧୦୨ ସୁସ୍ଥଙ୍କୁ ମିଶାଇ ମୋଟ୍ ୧୦ ୧୧ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୨ରେ ରହିଥିବା ବିଏମସି ସୂଚନା ଦେଇଛି ।

ସମ୍ବନ୍ଧିତ ଖବର